ପାଞ୍ଚଟି ପର୍ବର ଶୁଭ ସମାହାର
ମହାପର୍ବ ଦୀପାବଳି
ଧନ ତ୍ରୟୋଦଶୀ କାଳୀ ଚତୁର୍ଦ୍ଦଶୀ
ଦୀପାବଳି ତହିଁ ମିଳି ।
ବଳି ପ୍ରତିପଦା ଗୋବର୍ଦ୍ଧନ ପୂଜା
ଯମ ଦ୍ଵିତୀୟା ସଙ୍ଗତେ
ଶୁଭ ବରଷଇ ମହା ପର୍ବ ଏଇ
ପୁଲକ ଜଗାଏ ଚିତ୍ତେ ।
ଗୃହ ପରିଷ୍କାର ଯାଉ କୁବିଚାର
ଫୁଟୁ ଅଭିମାନ ବାଣ
ନବୀନ ଚେତନା ନବ ବସ୍ତ୍ର ସିନା
ମିଷ୍ଟାନ୍ନ ମିଠା ବଚନ ।
ପ୍ରକୃତି ପୂଜନ ବିଘ୍ନ ବିନାଶନ
ଶୁଭକାମନା ର ଭାବ
ମନ ମନ୍ଦିରରେ ଜୀବନ ତୀର୍ଥରେ
ଆସୁ ଦିବ୍ୟ ଅନୁଭବ ।
ପାଇ ସ୍ୱାସ୍ଥ୍ୟ ଧନ ବଳ ବୁଦ୍ଧି ଜ୍ଞାନ
ହେଉ ଜଗତ କଲ୍ୟାଣ
ଆସୁ ଶୁଭ ଦିନ ଭରୁ ହୃଦେ ପ୍ରେମ
ପ୍ରଭୁଙ୍କ ଆଶୀଷ ଦାନ ।
ପ୍ରକାଶର ପର୍ବ ଜ୍ଞାନାଲୋକେ ସର୍ବ
ଦୂର ଅଜ୍ଞାନ ଅନ୍ଧାର
ଲକ୍ଷ୍ମୀ ଆବାହନେ ଆସୁ ଏ ଜୀବନେ
ସମୃଦ୍ଧି ସୁଖସମ୍ଭାର ।
ଏ ନବ ଶସ୍ୟେଷ୍ଟି ବ୍ୟଷ୍ଟି ରୁ ସମଷ୍ଟି
ଆସୁ ନବ ଜାଗରଣ
ଶୁଭ ଦୀପାବଳି ଭରୁ ସୁଖ ଶିରୀ
ପ୍ରଭୁ ପଦେ ସମର୍ପଣ ।
✍️ବସନ୍ତ କୁମାର ବରାଳ