ଉଲ୍ଲାସ ଫଗୁଣ ମନ୍ଦ ସମୀରଣ
ମୋହିତ କରେ ପରାଣ
ବସନ୍ତ ବିଭୋର ବେଶ ମନୋହର
ପୁଲକିତ କୋଣ କୋଣ।
ପରଶେ ମଳୟ ନବ କିଶଳୟ
ପାଇଛି ମଧୁ ପରଶ
ସରସ ସକାଳ ସମ ସଂଧ୍ୟା କାଳ
ହରେ ଜୀବନ ପରାଶ ।
ରଙ୍ଗର ପସରା ରଙ୍ଗ ମୟ ଧରା
ପ୍ରକୃତିର ଅଭିସାର
ଆମ୍ବ ବଉଳର ବାସ ମନୋହର
କୋକିଳ ପଞ୍ଚମ ସ୍ୱର ।
ପ୍ରଭୁ କୃପାକର ସ୍ପର୍ଶ କି ମଧୁର
ପାଇ ସର୍ବେ ପ୍ରେମେଭରା
ପ୍ରେମ ବିତରଣ ବେଳା ଏ ଜୀବନ
ଖୋଲିଛି ପ୍ରେମ ପସରା ।
ମିଳି ଗ୍ରାମ ଜନେ ସଜିତ ବିମାନେ
ବିଜେ ଶ୍ରୀରାଧେ ଗୋବିନ୍ଦ
ଉତ୍ସବ ମୁଖର ଗ୍ରାମ ପରିସର
ସକଳ ଲଭି ଆନନ୍ଦ ।
ରାଗ ଅଭିମାନ ଦୂର କରି ମନ
ପ୍ରେମ ରଙ୍ଗ ହୋଇ ବୋଳି
ବିକାର ଜ୍ଵଳନ ହୋଲିକା ଦହନ
ସରବେ ଏକତ୍ର ମିଳି।
ବିଗତ ମାନରେ ହୃଦ ବିମାନରେ
ବସ ଶ୍ରୀରାଧେ ଗୋବିନ୍ଦ
ଯୁଗଳ ମୂରତୀ ଜୀବନେ ସମ୍ପତ୍ତି
ବନ୍ଦେ ପଦ ଅରବିନ୍ଦ ।
✍️ ଇଂ.ବସନ୍ତ କୁମାର ବରାଳ