News
WhatsApp Image 2023-10-04 at 17.25.00
samparksetu

ବାପାଙ୍କୁ ବିନ୍ଦୁଏ

ବାପାଙ୍କର କଥା
     ତୀର ପରି ଛାତିକୁ କରତେ
     କେବେ ଲାଗେ ମହୁ ଠାରୁ ମିଠା  l

ବାପାଙ୍କର ଆଖି
     ଢଳ ଢଳ କମଳର ତୁଲ
     ଘୁରି ବୁଲେ ଆମ ପାଖା ପାଖି l

ବାପାଙ୍କର ନାକ
     ଅବିକଳ ଖଣ୍ଡାଧାର ତୀଖ
     ନାଲି ପଡେ ଅଇଲେ ଆତଙ୍କ l

ବାପାଙ୍କର ଚାଲି
     ଖଣ୍ଡେ ଦୂରୁ ପାହୁଣ୍ଡ ଶବ୍ଦରୁ
     ଜଣାଯାଏ ଆସୁଛନ୍ତି ବୋଲି l

ବାପାଙ୍କର ହସ
     ଢେଉ ତୋଳେ ପବନ ବୁକୁରେ
     କମ୍ପିଯାଏ ସାରା ପରିବେଶ l

ବାପାଙ୍କର ଚୁଟି
     କଳା କଜଳ କୁଞ୍ଚି କୁଞ୍ଚିକା
     ଚିରିଣି ଯେ ହୁଏ  ଛାଟି ପିଟି l

ବାପାଙ୍କର ହାତ
     ବଳିଷ୍ଠ କରଣି କରତଳ
     ବେଢ଼ି ଥାଏ ଆମ ସରହଦ l

ବାପାଙ୍କର ପାଦ
     ଲଙ୍ଘି ଯାଏ ବନ ମରୁ ମେରୁ
     ଆମ ତୁଣ୍ଡେ ଦେବା ପାଇଁ ଖାଦ୍ୟ l

ବାପାଙ୍କ ଚେହେରା
     କନ୍ଦର୍ପଠୁ ବଳି ଲାଗେ ମତେ
     ସୌନ୍ଦର୍ଯ୍ୟର ଚଳନ୍ତି ପସରା l

ବାପାଙ୍କ ହୃଦୟ
     ପରିବ୍ୟାପ୍ତ ମାଟିରୁ ଆକାଶ
     ମାପିବାକୁ ନାହିଁ ମୋ ସାମର୍ଥ୍ୟ  l

ବାପାଙ୍କ ଆଦର୍ଶ
     ପରହିତେ ପ୍ରାଣ ସମର୍ପଣ
     ଆମ ପାଇଁ ଆଣିଛି ଉତ୍କର୍ଷ  l

ବାପାଙ୍କ ବ୍ୟକ୍ତିତ୍ୱ
     ସରଳ, ଉଦାର, ଅକପଟ
     ସାନିଧ୍ୟେ ଯା ଜନେ କୃତ୍ୟ କୃତ୍ୟ  l

ବାପାଙ୍କ ସିନିହ
     ଅବାରିତ ଅସୀମ ଅବ୍ୟକ୍ତ
     ସଞ୍ଚରିଛି ଦେହରୁ ବିଦେହ  l

ବାପାଙ୍କର ଆଶା
     ମୋ ପିଲାଟି ମତେ ଟପି ଯାଉ
     ସଂସାରକୁ ଦେଖାଉ ସେ ଦିଶା l

   ✍️ ସୈାମ୍ୟେନ୍ଦ୍ର ମିଶ୍ର

new life
You might also like
error: Content is protected !!