ବିଚିତ୍ରତା ପୂର୍ଣ୍ଣ ସାରା ମୁଲକ ତ
ଭାବି ଘୁରି ବୁଲେ ମଥା
ବୋପା ଅଜା ଆମ ଚଉଦ ପୁରୁଷ
କାନେ ପଡିନାଇ କଥା ।
ଉତ୍କଳ ପବିତ୍ର ମାଟିରେ ମ୍ଳେଛଙ୍କ
ବଢ଼ିଲାଣି ଉତୁ ପାତ
ଅଜବ ସମ୍ପର୍କ ବଢୁଛି ସମାଜେ
ପାପୀ ହୋଇଲେଣି ଜାତ ।
ମାଉସୀ ଜଗୁଛି ପୁତୁରା ଆଶାରେ
ଝିଅକୁ ଛାଡ଼ୁନି ବାପ
କଳା କଳଙ୍କର କାଳିମା ବୋଳୁଛି
ଅର୍ଜନ କରୁଛି ପାପ ।
ସ୍ୱାମୀର ସଂସ୍କାର ହୋଇନି ସ୍ମଶାନେ
ପ୍ରେମିକ ସାଥିରେ ଗଲା
ବାହା ନହୋଇ ବି ତିନି ବର୍ଷ ଛୁଆ
ଦାଣ୍ଡେ ଜଗି ନୂଆ ପାଲା ।
କିଏ ଏଠି ବୁଣେ ନାଗଫାସ ପୁଣି
ବଡ଼ ବଡ଼ିଆଙ୍କୁ ଛନ୍ଦି
ସ୍ୱାମୀ ସ୍ତ୍ରୀ ଦେହ ଭଡାରେ ଲାଗାଏ
ଫାସେ ପଡି ହୁଏ ବନ୍ଦୀ ।
ମାମୁଁ ରଖିଅଛି ପାପର ସମ୍ପର୍କ
ଭାଣିଜୀ କରୁଛି ଦାବି
ବାଡ଼ ଖାଉଅଛି କ୍ଷେତର ଶରୀର
ଏଇ ଯେ ସମାଜ ଛବି ।
ଝିଅ ବାହାଘର କରିଲାଣି ବୋପା
ପର ଭାରିଜାକୁ ଚାହେଁ
ପରକୀୟା ପ୍ରୀତି ମହଙ୍ଗା ପଡିଲା
ଛେଚା ଖାଇଲାଣି ବହେ ।
ପର ପୁରୁଷକୁ ପ୍ରେମିକ ସଜେଇ
ନିଜ ଛୁଆ ତଣ୍ଟି ଚିପେ
କାମନା ବାସରେ ରାସ୍ତାରୁ କଣ୍ଟାକୁ
ମୂଳରୁ ଓପାଡି ଦିଏ ।
ସବୁ ଏଠି ଯଦି ଦେହ ଆକର୍ଷଣ
ହୃଦୟ ବୁଝିବ କିଏ
କଳୁସିତ ହୁଏ ପବିତ୍ର ବନ୍ଧନ
ସଂସାର ଉଜୁଡି ଯାଏ ।
ଲୋକ ନିନ୍ଦା ଯହିଁ ସ୍ପର୍ଶ କରୁନାହିଁ
କାହାକୁ କହିବ କିଏ
ଅର୍ଥ କାମନାର ପ୍ରତିଫଳନରୁ
ଏସବୁ ଏପରି ହୁଏ ।
ବେଳ ଥାଉ ଥାଉ ସୁଧୁରୀ ଯାଅରେ
ଉପରେ ଦେଖୁଛି ସବୁ
କର୍ମ ନେଇ ଫଳଝୁଡ଼ି ସଜାଡୁଛି
ଶୂନ୍ୟ ନିରାକାର ପ୍ରଭୁ ।
✍️ଅଜିତ କୁମାର ଦାସ