ଯତି ସତୀ ଦେଶ ଏ ଭାରତ ବର୍ଷ
ଧନ୍ୟ କରିଲ ସାବିତ୍ରୀ
ତବ ନାରୀ ଧର୍ମ ବଶ ହେଲେ ଧର୍ମ
ଲଭିଲ ଅକ୍ଷୟ କୀର୍ତ୍ତି ।
ପତି ପିତୃ କୁଳ କରିଲ ଉଜ୍ଜ୍ୱଳ
ତୁମରି ସାଧନା ବଳେ
ସତୀ ପତିବ୍ରତା ତୁମ ମହାନତା
ତୁମେ ବନ୍ଦିତା ଭୂତଳେ ।
ତ୍ୟାଗ ସମର୍ପଣ ଶ୍ରେଷ୍ଠ ଆଚରଣ
ଅଶେଷ ଧୈର୍ଯ୍ୟ ଧାରିଣୀ
ତୁମେ ଦଶ ଭୁଜା ତୁମେ ଦେବୀ ଦୁର୍ଗା
ତୁମେ ସଙ୍କଟ ତାରିଣୀ ।
ଏ ସାବିତ୍ରୀ ବ୍ରତ ଯଜ୍ଞ ଅବା ମନ୍ତ୍ର
ହୋଇବ ସିନା ପୂରଣ
ତୁମରି ଆଦର୍ଶ ହେଲେ ଚଲାପଥ
ମୃତ୍ୟୁ ଲଭିବ ମରଣ ।।
ମନ୍ତ୍ରରୁ ଶକତି ହୁଅଇ ଉତ୍ପତ୍ତି
ବିଚାର ତହିଁରୁ ଘେନି
ଖାଲି ଉଚ୍ଚାରଣ ବାହ୍ୟ ଆବରଣ
ନୁହେଁ ମଙ୍ଗଳ ଦାୟିନୀ ।
ବୃଥା ଆଡମ୍ବର ଦୂରେ ହେଉ ଦୂର
ଅନ୍ତର ର ସତ୍ୟ ସଙ୍ଗେ
ସାବିତ୍ରୀ ଚେତନା ଜୀବନ ସାଧନା
ହୃଦେ ଭରୁ ପ୍ରେମ ରାଗେ।
ପୂର୍ଣ୍ଣ ହେଉ ବ୍ରତ ପୁରୁ ମନୋରଥ
ମୃତ୍ୟୁ ଭୟ ହେଉ ଦୂର
ଶୁଭ ଅବସରେ ତୁମ ଚରଣରେ
କୋଟି କୋଟି ନମସ୍କାର ।
✍️ବସନ୍ତ କୁମାର ବରାଳ