ନୀଳାଚଳ ଚୂଳେ କଳା ମେଘ ହୋଇ
କୃପା ଯେ ଯାନ୍ତି ବରଷି
ସର୍ବ ତୀର୍ଥ ଜଳ ହୋଇଛନ୍ତି ମେଳ
ଧନ୍ୟ ତାହାଙ୍କୁ ପରଶି ।
ମତ୍ତ ମାତଙ୍ଗର ଚାଲି ମନୋହର
ପହଣ୍ଡିରେ ଦୟାମୟ
ରତ୍ନବେଦୀ ତେଜି ଚତୁର୍ଦ୍ଧା ମୂରତ୍ତୀ
ସ୍ନାନବେଦୀରେ ବିଜୟ ।
ଶ୍ରୀପୁରୁଷୋତ୍ତମ ଧାମ ସଙ୍ଗେ ନାମ
କ୍ଷେତ୍ର କ୍ଷେତ୍ରୀ ଭେଦ କାହିଁ
ପତିତପାବନେ ପତିତପାବନ
ପତିତପାବନ ତହିଁ ।
ନବ ଜଳଧର ଧରି ନବ ଜଳ
ଗଗନେ ହେଲେଣି ମେଳ
କଳାହାତୀ ସ୍ନାନ ଭକତ ଜୀବନ
କଳା କରିବାକୁ ଦୂର ।
ତୁମେ ଗଜ ତୁମେ ଗଜ ଉଦ୍ଧାରଣ
ତୁମେହିଁ କାର୍ଯ୍ୟ କାରଣ
ଏ ସଂସାର ତାପ ନାଶ କର ଆହେ
ପ୍ରବଳ ମତ୍ତ ବାରଣ ।
ତବ ସ୍ନାନେ ହେଉ ଜଗତ ଶୀତଳ
ପ୍ରଭୁ ଜଗତ ଆଧାର
ଭାବ ଗଦ ଗଦେ ଭାବର ସମୁଦ୍ରେ
ଭାବଗ୍ରାହୀ ସ୍ନାନ କର ।
ଭକ୍ତ ଭଗବାନ ମଧୂର ମିଳନ
ଭକ୍ତ ହିତେ ହାତୀ ବେଶ
ପ୍ରେମେ ଗାଏ ଭକ୍ତ ହୋଇ ଉର୍ଦ୍ଧ୍ବ ହସ୍ତ
ଜୟ ଜୟ ଜଗଦୀଶ।
✍️ବସନ୍ତ କୁମାର ବରାଳ