News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ନିର୍ବାହୀ ଅଧିକାରୀ ସଂଘର ସାଧାରଣ ଅଧିବେଶନ

ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଢେ଼ଙ୍କାନାଳ ଜିଲ୍ଲା ନିର୍ବାହୀ ଅଧିକାରୀ ସଂଘର ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଂଘର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଗଁଦିଆ ବ୍ଲକ ନିର୍ବାହୀ ଅଧିକାରୀ ସଂଘର ସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ବାରିକଙ୍କ ସ୍ୱାଗତ ସମ୍ଭାଷଣ ଓ ପୁଷ୍ପଗୁଛ ଦ୍ୱାରା ସମ୍ବର୍ଦ୍ଧନା ପରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଜୟ କୁମାର ନାୟକ,ଉପସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର,ରାଜ୍ୟ ନିର୍ବାହୀ ଅଧିକାରୀ ସଂଘର କାଉନସିଲ ସଭ୍ୟ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ଓ ଶ୍ରୀ ରତ୍ନାକର ଲେଙ୍କା ସଂଘର ଏଜେଣ୍ଡା ମୁତାବକ ଆଲୋଚନା କରିଥିଲେ।

ସଭାପତି ଶ୍ରୀଯୁକ୍ତ ମଲ୍ଲିକ ସଂଘକୁ ସୁଦୃଢ଼ କରିବା ଓ ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଭାଇଚାର ବୃଦ୍ଧି କରିବା ଉପରେ ନିଜର ମତ ଉପସ୍ଥାପନ କରିଥିଲେ।ସମ୍ପାଦକ ଶ୍ରୀଯୁକ୍ତ ନାୟକ ସଙ୍ଘର ସଭ୍ୟମାନଙ୍କ ଶ୍ରମ,ସମୟ ଓ ଆର୍ଥିକ ସହଯୋଗ ଉପରେ ନିଜର ମତପୋଷଣ କରିଥିଲେ। ଉପସଭାପତି ଶ୍ରୀଯୁକ୍ତ ମିଶ୍ର ସଂଘରେ ଉପୁଜିଥିବା ସମସ୍ୟା ଓ ପ୍ରତିବନ୍ଧକକୁ ସମାଧାନ କରି ଆଗକୁ ସଂଘକୁ ଏକଜୁଟ ହୋଇ ଲକ୍ଷ୍ୟ ପୂରଣ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।ରାଜ୍ୟ ନିର୍ବାହୀ ଅଧିକାରୀ ସଂଘର କାଉନସିଲ ସଭ୍ୟ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁ ରାଜ୍ୟ ସଂଘକୁ ସୁଦୃଢ଼ କରିବାରେ ଢେ଼ଙ୍କାନାଳ ଜିଲ୍ଲାର ଅବଦାନ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।ଏତଦବ୍ୟତୀତ ଅଠଗୋଟି ବ୍ଲକର ସଭାପତିମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ସଂଘ ସହ ସର୍ବଦା ନିଜର ଭାଗିଦାରୀ ଜାରୀରଖିବାକୁ ମତପୋଷଣ କରିଥିଲେ।ସର୍ବଶେଷରେ ସର୍ବସମ୍ମତି କ୍ରମେ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିମ୍ନ ପ୍ରସ୍ତାବ ଗୁଡ଼ିକ ଗୃହୀତ କରାଗଲା।

୧)ଅନୁପସ୍ଥିତ ସଭ୍ୟମାନଙ୍କୁ ପୁନର୍ବାର ସଂଘ ଅଭିମୁଖୀ କରିବାକୁ ଉଦ୍ୟମ କରାଯିବ।
୨)ଆସନ୍ତା ରାଜ୍ୟ ସ୍ଥରୀୟ ସଭା ଓ ଗୃହୀତ ହେବାକୁ ଥିବା କାର୍ଯ୍ୟପନ୍ଥା ଯଥା ପଦବୀର ପ୍ରବେଶ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖିବା ସହିତ ଏମ.ଏ.ସି.ପି ଓ ପ୍ରାନ୍ ବଦଳରେ ପୂର୍ବ ଅବସର କାଳୀନ ସୁବିଧା ସୁଯୋଗ ଓ ପେନସନ ପାଇଁ ଦାବି ରଖାଯିବ ।
୩)ନିର୍ବାହୀ ଅଧିକାରୀମାନଙ୍କର କ୍ୟାଡର ରୂଲ ପ୍ରଚଳନ ପାଇଁ ଦୃଢ଼ ଦାବି ରଖାଯିବ ।
୪)ଉଛେଦ ହୋଇଥିବା ପ୍ରଗତି ସହାୟକ(ପି.ଏ)ପଦକୁ ପୁନଃ ପ୍ରଚଳନ କରିବାକୁ ଦାବି ରଖାଯିବ।
୫)ଜିଲ୍ଲାର ସଂଘଠନକୁ କ୍ରିୟାଶୀଳ ଓ ପ୍ରଭାବୀ କରିବାକୁ ଏକ ଷ୍ଟିଅରିଂ କମିଟି ଗଠନ କରାଯିବ।
୬)ସଭ୍ୟ ଚାନ୍ଦା ନିର୍ଦ୍ଧାରଣ ସହ ନୂତନ ବର୍ଷରେ ପୁନର୍ବାର ସାଧାରଣ ଅଧିବେଶନ ଗଠନ ପାଇଁ ଦିନ ଧାର୍ଯ୍ୟ କରାଯିବ।

ସଭାର ପ୍ରାରମ୍ଭରେ ନିର୍ବାହୀ ଅଧିକାରୀ ସ୍ବର୍ଗତ ଇବ୍ରାହୀମ ଖାଁ ଓ ସନ୍ତୋଷ ପାତ୍ରଙ୍କ ଅକାଳ ବିୟୋଗ ହୋଇଥିବାରୁ ନିରବ ପ୍ରାର୍ଥନା ପୁର୍ବକ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା।

new life
You might also like
error: Content is protected !!