ପଚାରିଲି ଯାଇ..
ହେ ବିଶ୍ୱ ଗୋସାଇଁ..
ଏ ସଂସାରେ ସୁଖୀ କିଏ..?
ନଦେଲେ ଉତ୍ତର..
ତ୍ୟାଗୀବି ଶରୀର..
ଏ ପଣ ଅନ୍ୟଥା ନୁହେଁ..!!!
ମୁରୁକି ହସିଲେ..
ଭାବରେ ଭାସିଲେ..
ଆଗେ କୁହ ତୁମେ କିଏ..?
ଶୁଣି ଏହି ପ୍ରଶ୍ନ..
ହୋଇ ହସ ହସ..
କୁହେ ମୁଁ ଭିକାରୀ ଟିଏ..!!!
ଭିକ୍ଷା ବୃତ୍ତି ଛାଡି..
ଆସିଛି ଦଉଡି…
ଜାଣିବାକୁ ସୁଖୀ କିଏ..!!!
ଶୁଣି ନାରାୟଣ..
କଲେ ନିରୀକ୍ଷଣ..
ନିରବ ରହି ଟିକିଏ..!!!
ନେଇ ଦୀର୍ଘ ଶ୍ୱାସ..
କୁହନ୍ତି ହେ ବତ୍ସ..
ତ୍ୟାଗୀ ହିଁ ସୁଖୀ ବୋଲାଏ..!!!
ଶୁଣି ଏ ଉତ୍ତର..
ମନ ତା ଅସ୍ଥିର..
ତେବେ ପ୍ରଭୁ ତ୍ୟାଗୀ କିଏ..?
କୁହନ୍ତି ଶ୍ରୀହରି..
ମୃଦ୍ୟୁ ହସିକରି..
କର୍ମ ହିଁ ତ୍ୟାଗ ବୋଲାଏ..!!!
ଅତି ବିନମ୍ରରେ..
ପଚାରେ ଛାମୁରେ..
ଭିକ୍ଷା କଣ କର୍ମ ନୁହେଁ..?
ନାହିଁ ଦୃଷ୍ଟିଶକ୍ତି..
କିବା କର୍ଣ୍ଣ ଶ୍ରୁତି..
ହାତ ଗୋଡ ସୁସ୍ଥ ନୁହେଁ..!!!
ବଞ୍ଚାଇ ରଖିଛ..
ବିଦୃପ କରୁଛ..
ଭିକ୍ଷା ବୃତ୍ତି ବାଛି ନିଏ..!!!
ଆଉ କେଉଁ ତ୍ୟାଗ..
କୁହ ମହାଭାଗ..
ଲହୁ ଲୁହ ହୋଇ ବୁହେ..!!!
ତୁମ ସମ୍ବିଧାନ..
ଅତି ନିମ୍ନ ମାନ..
ଦୁଃଖୀ କୁ ଦୁଃଖ ଲାଦାଏ..!!!
ଦୁଃଖ କୁ ତ୍ୟାଗିଛି..
ସୁଖୀ ଭାବୁଅଛି..
ତଥାପି କଠୋର ପ୍ରାୟେ..!!!
ଭିକାରି ବିତର୍କ..
ଶୁଣି ଜଗନ୍ନାଥ..
ତା ଦୁଃଖ ନେଲେ ହୃଦୟେ..!!!
ଚକ୍ଷୁ ଖୋଲିଗଲା..
ଓଁ କାର ଶୁଭିଲା..
ହାତ ଗୋଡ ସୁସ୍ଥ ଛାଏଁ..!!!
ଯୋଡି ବେନିକର..
ଶ୍ରୀହରି ପୟର..
ଅପଲକେ ଚାହିଁ ଥାଏ..!!!
ତ୍ୟାଗ ହିଁ ଅମୃତ..
ତ୍ୟାଗ ପଞ୍ଚ ଭୁତ..
ତ୍ୟାଗ ହିଁ ସୁଖୀ କରାଏ..!!!