କେବେ କେବେ ଇଚ୍ଛା ହୁଏ ବାଣ୍ଟି ଦିଅନ୍ତି
ନିଜକୁ ଭିନ୍ନ ଭିନ୍ନ ଇଲାକା ମଧ୍ୟରେ
ପୋଛି ଦିଅନ୍ତି ସାହାରା ଖୋଜୁଥିବା
ଅନେକ ଆଖିର ଲୁହ
କରି ଦିଅନ୍ତି ପୁରା ଅନେକ କୋମଳ ପାପୁଲି
ମୁଠେଇ ରଖିଥିବା ମେଞ୍ଚା ମେଞ୍ଚା ସ୍ଵପ୍ନ
ଶାନ୍ତ କରିଦିଅନ୍ତି ଜୀବନର ଚଲାପଥରେ
ପେଶୀ ହୋଇ କ୍ଷତ ବିକ୍ଷତ ହେଉଥିବା
ଅନେକ ନିରୀହ ମନ
ଭାବେ ବେଳେବେଳେ ଦେଇପାରନ୍ତି କି
ନିସ୍ତବ୍ଧ ରାତିରେ ଛଟପଟ ହେଉଥିବା
ଅଭିଯୋଗ କୁ ଶାନ୍ତି
ଭୋକିଲା ପେଟରୁ କାଢି ଆଣନ୍ତି କି ଅବା
ବିକଳ ବେଦାନାର କ୍ଳାନ୍ତି
ବିଞ୍ଚି ହୋଇଯାଆନ୍ତି ହୋଇ
ଟୋପା ଟୋପା ଜଳବିନ୍ଦୁ
ଫେରେଇ ଆଣିବାକୁ ସବୁଜ ବନାନୀ
ଘୁଙ୍ଗୁର ର ଝଙ୍କାର ପରି ବୋହି ଆସନ୍ତି କି
ମେଣ୍ଟେଇବାକୁ ଶୋଷ ହୋଇ
ଝରଣାର ପାଣି
ଇଚ୍ଛା ହୁଏ ବେଳେ ବେଳେ
ଶାନ୍ତ କରିବାକୁ ସମୁଦ୍ର ତଟରେ
ଗର୍ଜୁଥିବା ସେଇ ଅଶାନ୍ତ ମନର ଅଶାନ୍ତ ଲହଡ଼ି
ଅଳସି ନଦୀ ଟିଏ ପରି ବୋହି ଆସିବାକୁ ହୋଇ
ମେଞ୍ଚାଏ ଆଶ୍ୱାସନା ଓ ଜୀବନ୍ତ କରିଦେବାକୁ
ଶୁଖିଲା ମାଟିର ସବୁଜ ସୃଷ୍ଟି
ଇଚ୍ଛା ହୁଏ ବେଳେ ବେଳେ
ବିପ୍ଳବୀର ମନ ନେଇ କରିବାକୁ ବିଦ୍ରୋହ
ବିଜୟର ଟୀକା ପିନ୍ଧି ବିଦିର୍ଣ କରିବାକୁ
ଅଟ୍ଟହାସ୍ୟ କରୁଥିବା ଅସତ୍ୟର ଦେହ
ଭାବେ ବେଳେ ବେଳେ ଶେଷ କରିପାରନ୍ତି କି
ମଣିଷ ରୂପୀ ରାକ୍ଷସର ବିକଟାଳ ରାବ
ଦେବତାର ମନ ନେଇ ଖିନ୍ ଭିନ୍ କରି ହୁଅନ୍ତା କି
ଅନେକ ବିକୃତ ମାନସିକତା, ଅହଙ୍କାର ଓ ଗର୍ବ
କେବେ କେବେ ଇଚ୍ଛା ହୁଏ ଉଡି ବୁଲିବାକୁ
ଖୋଲା ଆକାଶରେ ହୋଇ ମୁକ୍ତ ଏକ ବିହଙ୍ଗ
ପୁରା କରିବାକୁ ମୋର ଅସରନ୍ତି ଇଚ୍ଛା
ଓ ବଦଳେଇବାକୁ ନିଷ୍ଠୁର ଦୁନିଆର ନିଷ୍ଠୁର ଢଙ୍ଗ ।
✍️ ମନୀଷା ତ୍ରିପାଠୀ