ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତାକୁ ମରାମତି କରିବା ଲକ୍ଷ୍ୟ ନେଇ ଗତ ୧୯ତାରିଖ ଦିନ ୫୩ ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ପକ୍ଷରୁ ରାସ୍ତା ଅବରୋଧ କରିଥିଲେ ।
କୁନାଲ ନାମକ କମ୍ପାନୀ ୫୩ ନମ୍ବର ଜାତୀୟ ରାଜପଥକୁ ସମ୍ପ୍ରସାରଣ କରି ଚାରି ଲେନ ବିଶିଷ୍ଟ ରାଜପଥ ଓ ବ୍ରାହ୍ମଣୀ ସେତୁ ପୋଲ ନୂତନ ଭାବେ ନିର୍ମିତ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ବର୍ତ୍ତମାନ ଲୋକଙ୍କ ଯାତାୟତ ଓ ସମସ୍ତ ଯାନବାହାନ ଚଳପ୍ରଚଳ କରିବାର ଏକ ମାତ୍ର ବିକଳ୍ପ ରାସ୍ତା ବ୍ୟତୀତ ଅନ୍ୟ କୌଣସି ଦିଗ ନଥିବାରୁ କମ୍ପାନୀ ଏହି ମରଣଯନ୍ତା ରାସ୍ତାକୁ ମରାମତି କରିବା ଦିଗରେ ଦୃଷ୍ଟି ନଦେବାରୁ ପ୍ରାୟ ଦୁଇ ଘଣ୍ଟା ଧରି ଗ୍ରାମବାସୀ ଜଟିଆ ଛକରେ ଅବରୋଧ କରିଥିଲେ ।
ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ କମ୍ପାନୀ କର୍ମଚାରୀ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ବୁଝାସୁଝା କରିବା ସହ କମ୍ପାନୀ ଚାରି ଦଫା ସମ୍ବଳିତ ଉପରେ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।ତୁରନ୍ତ କାର୍ଯ୍ୟ ହେବା ପରିବର୍ତ୍ତେ ଲଘୁଚାପ ଜନିତ ବର୍ଷା ଦାଉ ସାଜିଥିଲା ।ଯାହାକି କାର୍ଯ୍ୟରେ ବ୍ୟତିକ୍ରମ ହୋଇଥିଲା ।
କିନ୍ତୁ ବର୍ଷା ଦୁଇ ଦିନ ହେଲା ହେଉନଥିବା ବେଳେ ଖରା ହେଉଥିବା ସତ୍ତ୍ୱେ କମ୍ପାନୀ ମରାମତି ନକରିବାରୁ ବାଧ୍ୟ ହୋଇ ଆଜି ଯୁବ ସଂଗଠନର ଆବାହକ ପ୍ରେମାନନ୍ଦ ସାହୁଙ୍କ ନେତୃତ୍ୱରେ ସକାଳ ଆଠଟାରୁ ପ୍ରାୟ ସକାଳ ୧୦ ଘଟିକା ପର୍ଯ୍ୟନ୍ତ କୁନାଲ କମ୍ପାନୀ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ।ଜଟିଆ ଛକ ନିକଟରେ କୁନାଲ କମ୍ପାନୀ ରାଜପଥ ସମ୍ପ୍ରସାରଣ ଓ ବ୍ରାହ୍ମଣୀ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ସ୍ବତନ୍ତ୍ର କ୍ୟାମ୍ପ ରହିଛି ।
କ୍ୟାମ୍ପରୁ କମ୍ପାନୀର ସମସ୍ତ ଗାଡ଼ି ଓ କାର୍ଯ୍ୟରେ ନିୟୋଜିତ ହେଉଥିବା ଉପକରଣ ଗୁଡିକ ଏହି ଠାରୁ ଯିବା ଆସିବା କରୁଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବ୍ରାହ୍ମଣୀ ସେତୁ ପୋଲ ନିର୍ମାଣରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ବନ୍ଦ କରିଦେଇଥିଲେ । କମ୍ପାନୀ କାର୍ଯ୍ୟ ତଦାରଖ କରୁଥିବା କର୍ମଚାରୀ ପହଞ୍ଚି କାର୍ଯ୍ୟ ଆରମ୍ଭ କରିବାରୁ ଆନ୍ଦୋଳନରୁ ନିବୃତ ହୋଇଥିଲେ ଗ୍ରାମବାସୀ ।