ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ହାଟରେ ମଙ୍ଗଳବାର ଦିନ ହାଟ ପାଳିରେ ଜଣେ ବ୍ୟବସାୟୀଙ୍କ ଠାରୁ ଥଣ୍ଡା ପାନୀୟ ରେ ନିଶା ମିଶାଇ ତାଙ୍କ ଠାରୁ ଦୁର୍ବୃତ୍ତ ମାନେ ଅଭିନବ ଉପାୟରେ ଲୁଟ୍ କରିଛନ୍ତି ।
ସୂଚନା ଅନୁସାରେ ଯୋରନ୍ଦା ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ପ୍ରତ୍ୟକ ମଙ୍ଗଳବାର ଓ ଶନିବାର ହାଟ ପାଳିରେ ଚକୋଲେଟ୍,କୁରକୁରେ, ବିସ୍କୁଟ ଇତ୍ୟାଦି ବିଭିନ୍ନ ପ୍ରକାରର ଚଟପଟି ଜିନିଷ ହୋଲସେଲ୍ କରନ୍ତି । ଗତ ମଙ୍ଗଳବାର ହାଟ ପାଳିତ ଦିନ ଦୁଇଜଣ ଯୁବକ ଆସି ବେଲଟିକିରି ଗ୍ର୍ରାମର ପରିଚୟ ଦେଇ ଏକ ନୂଆ ଦୋକାନ ପାଇଁ ଜିନିଷ ନେବା ପାଇଁ କହିଥିଲେ । ଜିନିଷ ବାହାର କରି ହିସାବ କରିଥିଲେ । ଏହି ସମୟରେ ଦୁଇଜଣଙ୍କ ମଧ୍ୟରୁ ଜଣେ ଥଣ୍ଡାପାନୀୟ ଆଣି ନିଜେ ପିଇବା ସହିତ ଦୋକାନୀ କୃଷ୍ଣଙ୍କୁ ଦେଇଥିଲେ । ପିଇବାର କିଛି ସମୟ ପରେ କ୍ରୃଷ୍ଣ ବାନ୍ତି କରିଥିଲେ ଓ ଅଚେତ ହୋଇ ଯାଇଥିଲେ । ପରେ ଦୁର୍ବୃତ୍ତ ଦୁଇଜଣ ତାଙ୍କର ଟଙ୍କା ବାକ୍ସରୁ ସବୁ ବିକ୍ରି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ।
ଅଚେତ ଅବସ୍ଥାରେ ଘରଲୋକ କୃଷ୍ଣଙ୍କୁ କଟକ ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ । ସୁସ୍ଥ ହୋଇ ଫେରିବା ପରେ ଯୋରନ୍ଦା ଫାଣ୍ଡିରେ ଏତଲା ଦେଇଛନ୍ତି । ସେ ସ୍ଥାନୀୟ ବଜାରରେ ଲାଗିଥିବା ସିସିଟିଭି ଫୁଟେଜ ପୋଲିସ କୁ ଦେଖାଇଛନ୍ତି । ଏ ସମ୍ପର୍କରେ ଯୋରନ୍ଦା ନୂତନ ଫାଣ୍ଡି ଅଧିକାରୀ ଅନାଦି ଚରଣ ପଟ୍ଟନାୟକ କହିଛନ୍ତି ଏ ସମ୍ପର୍କରେ ଏତଲା ହୋଇଛି ଓ ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରି ତଦନ୍ତ କରୁଛୁ ।
ହାଟରେ ବାରମ୍ବାର ମୋବାଇଲ ଚୋରି ,ପକେଟ୍ ମାରୁ ପରି ଘଟଣା ଘଟୁଥିବା ଯୋଗୁଁ ବ୍ୟବସାୟୀ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।
ସୂଚନା ଥାଉକି, ଯୋରନ୍ଦା ଅଞ୍ଚଳରେ ବାରମ୍ବାର ଚୋରି,ରାହାଯାନି ପରି ଘଟଣା ଘଟୁଥିବାରୁ ପୋଲିସ ପେଟ୍ରୋଲିଙ୍ଗ ପାଇଁ ଯୋରନ୍ଦା ସରପଞ୍ଚ ଆରତୀ ନାୟକ, ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଏସପି ଙ୍କୁ ଲିଖିତ ଭାବେ ଜଣାଇ ଥିଲେ । କିନ୍ତୁ ତା’ର କାର୍ଯ୍ୟକାରି ହୋଇନାହିଁ ।