ରାସ୍ତା ନାହିଁ ତ ଭୋଟ ନାହିଁ ,ନାରା ଦେଇ ଗ୍ରାମଦେବୀଙ୍କ ନିକଟରେ ଶପଥ ପାଠ କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡ଼ାହାଡ଼ ବ୍ଲକ ବାମ୍ ପଞ୍ଚାୟତ ଅନ୍ତର୍ଗତ ପାକଟମୁଣ୍ଡା ଗାଁରେ । ଗାଁରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ପରିବାର ୬ନଂ ୱାର୍ଡରେ ପାହାଡ଼ ପର୍ବତ ଘେରା ଅପହଞ୍ଚ ଇଲାକାରେ ବାସ କରୁଛନ୍ତି । ସ୍ୱାଧୀନତାର ୭୪ ବର୍ଷ ପରେ ବି ସେମାନେ ଆଜି ମୌଳିକ ସମସ୍ୟା ଘେରରେ ରହିଛନ୍ତି ।
ଗାଁକୁ ନା ରହିଛି ଭଲ ରାସ୍ତା ,ନା ମିଳିଛି ମୌଳିକ ସୁବିଧା । ସ୍ୱାସ୍ଥ୍ୟ କିମ୍ବା ମୋବାଇଲ ନେଟୱାର୍କ ଏଠାରେ ଅପହଞ୍ଚ । ଦୀର୍ଘ ବର୍ଷ ହେବ ପଞ୍ଚାୟତ ଠାରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଏବେବି ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରିଛନ୍ତି । ବର୍ଷାଦିନେ ଦୁଇଟି ବଡ଼ ନାଳ ଓ କଚ୍ଚା ରାସ୍ତା ଯୋଗୁଁ ଲୋକମାନେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ରହୁଛନ୍ତି ।
ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଏଠାକାର ଲୋକମାନେ ନିଜର ମୌଳିକ ଅଧିକାର ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ମାନେ ଏକତ୍ର ହୋଇ ଗାଁ ମୁଣ୍ଡରେ ଥିବା ଗ୍ରାମଦେବୀଙ୍କ ନିକଟରେ ଭୋଟ ବର୍ଜନ ପାଇଁ ଶପଥ ପାଠ କରିଛନ୍ତି । ତୁରନ୍ତ ସରକାର ଲୋକଙ୍କ ଦାବି ପୂରଣ ନକଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ଯାହାକୁ ନେଇ ଗ୍ରାମର ଲୋକମାନେ ସମସ୍ତ ପୋଷ୍ଟର ବ୍ୟାନରକୁ ଚିରି ଜାଳି ଦେଇଛନ୍ତି । ତୁରନ୍ତ ଏଥିପ୍ରତି ସରକାର ଧ୍ୟାନ ନଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।