News
WhatsApp Image 2023-10-04 at 17.25.00
samparksetu

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା ଦିବସେ ଶେଷ
ହୁଅଇ ପବିତ୍ର କାର୍ତ୍ତିକ ମାସ
ଶୀତୁଆ ସକାଳେ ପକେଇ ବୁଡ଼
ଚାଲ ହୋ ପୂଜିବା ଗଉରୀ-ବର ।

ଆଜ ଦିନେ ପରା ଭୋଳା ଶଙ୍କର
ବଧ କରିଥିଲେ ତ୍ରିପୁରାସୁର
ଆନନ୍ଦେ ଦେବତା ଜାଳିଲେ ଦୀପ
ଦେବ-ଦୀପାବଳି ଏଣୁ ଏ ପର୍ବ ।

କାର୍ତ୍ତିକେୟ ଜନ୍ମ ଦିନଟି ଏହି
ମୀନ ଅବତାର କମଳା ସାଇଁ
ତୁଳସୀ ଓ ଶାଳଗ୍ରାମ ବିବାହ
ଚତୁର୍ମାସ୍ୟାର ଯେ ଅନ୍ତ ସମୟ ।

ଗୋପେ ଗୋପାଙ୍ଗନା ସଙ୍ଗତେ ରହି
ରାହାସ ରଚିଲେ ଶ୍ରୀକୃଷ୍ଣ ରାଇ
ଇନ୍ଦୁ କିରଣରେ କୁଞ୍ଜ କାନନ
ପ୍ରତେ ହେଉଥାଇ ସ୍ବର୍ଗ ସମାନ ।

ଭୀଷ୍ମ ପଞ୍ଚକର ପରିସମାପ୍ତି
ନାନକ ଗୁରୁଙ୍କ ଭୂମିଷ୍ଠ ତିଥି
ଜୈନେ ସୁମରନ୍ତି ଶ୍ରୀ ଆଦିନାଥ
ପୁଷ୍କର ମେଳାରେ ବ୍ରହ୍ମା ଆରାଧ୍ୟ ।

ବୋଇତ ବନ୍ଦାଣ କଳିଙ୍ଗ ଧାମେ
ବାଣିଜ୍ୟ ଉଦ୍ଦେଶ୍ୟେ ସାଧବ ଗମେ
କାହିଁ କେଉଁ କାଳୁ ଏ ପରମ୍ପରା
ସମୃଦ୍ଧ କରିଛି ଜୀବନ ଧାରା ।

ମଣି କର୍ଣିକାରେ ଗଙ୍ଗା ସ୍ନାହାନ
ଶୁଦ୍ଧ ଚିତ୍ତେ କରି ଶ୍ରଦ୍ଧାଳୁ ଗଣ
କାଶୀ ବିଶ୍ଵନାଥ ସମୀପେ ଯାଇ
ପ୍ରାର୍ଥନା କରନ୍ତି ନିର୍ବାଣ ପାଇଁ ।

କାର୍ତ୍ତିକ ପୂର୍ଣ୍ଣିମା ମାହେନ୍ଦ୍ର ବେଳା
ଭୁଲା ମନ ଟିକେ ମଗଜ ଖେଳା
ପ୍ରଭୁ ଶ୍ରୀପୟରେ ରଖିଲେ ଲୟ
ଭବ ଜଳୁ ପାର ହେବୁ ନିଶ୍ଚୟ  ।
  
    ✍️ ଡ଼ଃ ସୌମ୍ୟେନ୍ଦ୍ର ମିଶ୍ର 

new life
You might also like
error: Content is protected !!