News
WhatsApp Image 2023-10-04 at 17.25.00
samparksetu

ବିବର୍ତ୍ତନ କ୍ରାନ୍ତି

ଶୁଭିବ ଗର୍ଜନ ଚନ୍ଦ୍ରଭାଗା କୂଳେ
ଓଡ଼ିଶା ପଡ଼ିବ ଥରି
ହେବ ପୁନର୍ବାର ସତ୍ୟର ବିଜୟ
ଫେରିବ ଅଯୋଧ୍ୟା ପୁରୀ
ଆସ ଧର୍ମପଦ ଫେରି
କର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତି
ଶାନ୍ତି ଯାଉ ପୁଣି ଭରି

ଖୋରଧା ମାଟିରୁ ପୁଣି ଶୁଭିବ
ତାନ୍ତ୍ରିକର ମନ୍ତ୍ର ଡାକ
ନିଆଁଖୁଣ୍ଟା ନିଆଁ ପୁଣି ଜଳିବ
ଉଠ ଉଠ ହେ ପାଇକ
କାଟି ଦୁର୍ନୀତି ମସ୍ତକ
କର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତି
ସାଜି ଧର୍ମର ନାବିକ

ବକୁଳ ବନରୁ ହେବ ପ୍ରଜ୍ବଳିତ
ସତ୍ୟବାଦୀ ଦୀପ ଶିଖା
ଇତିହାସ ଫର୍ଦ୍ଦ ଲେଉଟି ପଡ଼ିବ
ହେବ ଐଶୋର୍ଯ୍ୟର ଦେଖା
ଲଭି ଐଶୋର୍ଯ୍ୟ ଠୁ ଶିକ୍ଷା
କର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତି
ଭାଙ୍ଗି ସବୁରି ପ୍ରତୀକ୍ଷା

ମହୋଦଧି ଆଜି ଲଙ୍ଘିଯିବ କୂଳ
ଥରିବ ରତନ ବେଦୀ
ଭକତ ଡାକରେ ଫିଟିବ ପହଡ଼ 
ସବୁ ନୀରବତା ଭେଦି
ଏ କ୍ରାନ୍ତି ଧରମ ଯଦି
ଶ୍ରୀ ଭୁଜକୁ ଟେକି, ଦିଅ ହେ ଆଶିଷ
ହେବ ଅନ୍ତ ଏ ଶତାବ୍ଦୀ

ବିପ୍ଳବ ଅନଳ ବ୍ୟାପିବ ଉତ୍କଳେ
ସଚେତନ ହୁଅ ପାପୀ
ଅନ୍ୟାୟ, ଦୁର୍ନୀତି ପାଇବ ସମାଧି
ପୂଜା ପାଉଥିବେ ତପୀ
ମାଆର ନାମକୁ ଜପି
ବଜାଅ ଆଜିରେ ସମର ବାଇଦ
ଯାଉ ଶତୃ ହିୟା କମ୍ପି

ଆସ ଆସ ହେ ମାଆ ଚଣ୍ଡୀ ଚାମୁଣ୍ଡା
ଗ୍ରହଣ କର ମୋ ରକ୍ତ
ଜଗତ କଲ୍ୟାଣେ ପ୍ରାଣୀଙ୍କ ମଙ୍ଗଳେ
କର ଏ ବାହୁକୁ ଶକ୍ତ
ଡାକୁଛି ତୁମରି ଭକ୍ତ
ଭକତ ମାଗୁଣି ରଖିଦିଅ ମାଆ
ହେବେ ପାପୀ ମଥାନତ

✍️ହୃଦୟ_ରଞ୍ଜନ_ପରିଡ଼ା

new life
You might also like
error: Content is protected !!