News
WhatsApp Image 2023-10-04 at 17.25.00
samparksetu

ମୋ ଜୀବନ ମୋ କବିତା

ଆବଶ୍ୟକ ନାହିଁ ମୋ’ର ସେପରି ବିଜୟ
ନୁହେଁ ଯା’ ମୋ’ପାଇଁ ଶୁଭ,ଚିର ଶାନ୍ତିମୟ
ତାହାଠାରୁ ଶତଗୁଣେ ଭଲ ପରାଜୟ
ଲୋଡ଼େ ମୁହିଁ କୀର୍ତ୍ତି ଏକ ଅମ୍ଳାନ ଅକ୍ଷୟ ।

ନିର୍ବାଣ ଓ ଚିରମୁକ୍ତି ଲୋଡେନା ମୁଁ ମନେ
ଚିରଦୁଃଖୀ ହେବା ଚାହେଁ ଜୀବନେ ଜୀବନେ
ଅବିରତ ସଂଗ୍ରାମ ମୋ’ ନର୍କର ଭିତରେ
ଦେଖିବାକୁ ପୃଥିବୀକୁ ନୂତନ ରୂପରେ ।

ସେଥିପାଇଁ ଲେଖିବି ମୁଁ ନୂତନ କବିତା
ସତ୍ୟ ,ଶିବ,ସୁନ୍ଦରର ବହିବ ଛବିତା’
ଶୁଭଭାଵ, ଶୁଭଭାଷା, ସୁଚେତନା ଭରି
ଶାନ୍ତି, ମମତା, ସ୍ନେହ ଓ ପ୍ରେମ ସୃଷ୍ଟି କରି ।

ସୁପ୍ତି ତେଜି ଉଜାଗର ହେବି ମୁହିଁ କବି
ଅଶାର ଆକାଶେ ଉଆଁଇବି ନବରବି
ହତାଶା, ଭ୍ରାନ୍ତି ଓ ଦୁଃଖ ମନୁ କରି ଦୂର
କବିତା ମୋ’ ଯୋଗାଇବ ପ୍ରେରଣା ପ୍ରଚୁର ।

ଗରିବର ଯେତେ ଦୁଃଖ, ଯାତନା, ବେଦନା
ତାହାର ଆଶା, ଆକାଂକ୍ଷା, କର୍ମ ଓ ସାଧନା
ଅତୀତ ଓ ବର୍ତ୍ତମାନ, ଭବିଷ୍ୟତ ତା’ର
ରୂପାୟିତ ହୁଏ ଆଜି କବିତାରେ ମୋ’ର ।

ଗରିବ ପାଇଁ ସହିବି ଜୀବନ ଦହନ
ତା’ଲାଗି ଆଣିବି ସୁଖ,ଶାନ୍ତିର ସନ୍ଧାନ
ମନୁ କରି ଦୂର ଗର୍ବ, ସ୍ୱାର୍ଥ ଅହଙ୍କାର
ସୃଜନା କରିବି ଏକ ଭିନ୍ନ-ପୃଥିବୀର ।

✍️ ଡ଼ା. ଦେବୀ ପ୍ରସାଦ ମିଶ୍ର

new life
You might also like
error: Content is protected !!