ବିବାହର ଦୁଇ ବର୍ଷ ପୂରି ନଥିବା ବେଳେ ଯୌତୁକ ରୂପି ରାକ୍ଷସର ଶିକାର ହେବାକୁ ପଡ଼ିଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଇ ଗାଁରେ ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି।
୨୦୧୯ ମସିହା ଜୁନ ମାସରେ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଶ୍ରୀମୂଳା ଗାଁର ବସନ୍ତ ବେହେରାଙ୍କ ଏକମାତ୍ର କନ୍ୟା ସନ୍ତୋଷିନୀ ଗୁଣଦେଇ ଗାଁର ସ୍ୱର୍ଗତ ଗନ୍ଧର୍ବ ଦେହୁରୀଙ୍କ କନିଷ୍ଠ ପୁତ୍ର ଅନୀଲ କୁମାର ଦେହୁରୀକୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ସାମର୍ଥ୍ୟ ମୁତାବକ ଘର କରଣା ଜିନିଷ ପତ୍ର ସନ୍ତୋଷିନୀଙ୍କୁ ଦେଇଥିଲେ ମଧ୍ୟ ଶାଶୁଘର ଲୋକଙ୍କ ମନ ପସନ୍ଦ ହୋଇନଥିବା ଝିଅ ବାରମ୍ବାର ବାପାଙ୍କୁ ଗୁହାରି କରୁଥିଲେ।
ସ୍ବାମୀ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଘର ଲୋକଙ୍କ ନିର୍ଯ୍ୟାତନା ଅସହ୍ୟ ହୋଇ ପଡିଥିବା ସନ୍ତୋଷିନୀଙ୍କ ପିତା ସୂଚନା ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଝିଅ ସହ ଶେଷ କଥା ହୋଇଥିଲେ। ଝିଅ ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିବା ପରେ ବସନ୍ତ ଝିଅ ଘରକୁ ଯାଇଥିଲେ।
ଝିଅ ଘରେ ପହଁଞ୍ଚିବା ପୂର୍ବରୁ ସନ୍ତୋଷିନୀଙ୍କ ମୃତ୍ୟୁ ହୋଇ ସାରିଥିଲା। ଏ ସମ୍ପର୍କରେ ସେ ମୋଟଙ୍ଗା ଥାନା ଅଧିନ ହିନ୍ଦୋଳ ରୋଡ ଫାଣ୍ଡିରେ ସନ୍ତୋଷିନୀଙ୍କ ପିତା ଅଭିଯୋଗ କରିଛନ୍ତି। ସୂଚନା ଥାଉ କି ସନ୍ତୋଷିନୀଙ୍କ ଏକ ତିନି ମାସର ଶିଶୁ କନ୍ୟା ଅଛି।
ଶିଶୁ କନ୍ୟାର ଜନ୍ମ ପରେ ଅଧିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସନ୍ତୋଷିନୀଙ୍କ ଶାଶୁ, ସାନ ଯାଆ ମନ୍ଦାର ଦେହୁରୀ, ଦମୟନ୍ତୀ ବୋଲି ଜଣେ ନଣନ୍ଦ ଓ ସ୍ବାମୀ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ।