ଢେଙ୍କାନାଳ ଜିଲ୍ଲାରେ କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂ ମଲ ପର୍ଯ୍ୟନ୍ତ ପଡିଛି । ଫଳରେ ଲକ୍ଷାଧିକ ଟଙ୍କା ଋଣ କରି ଏବେ ଦାଣ୍ଡର ଭିକାରୀ ସାଜିବା ସାରହୋଇଛି । ଏଭଳି କ୍ଷତି ସହିଥିବା ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସହାୟତା ପ୍ରଦାନ ପାଇଁ ସର୍ଭେ କରାଯାଉ ଥିବାର ଜଣାପଡିଛି ।
ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନସଂଖ୍ୟା ଅନୁସାରେ ୧୧ଲକ୍ଷ ୯୨ ହଜାର୮୮୧ ଲୋକ ବସବାର କରୁଥିବାର ଜଣାପଡିଛି ।ଜିଲ୍ଲାରେ ମୋଟ ୮ଟି ବ୍ଲକ ରହିଥିବା ବେଳେ ୨୧୨ଟି ଗ୍ରାମ ପଞ୍ଚାୟତ ରହିଛି । ଜିଲ୍ଲାରେ ମୋଟ ୫ହଜାର ୬୩୬ଟି ଶିଳ୍ପ ସଂସ୍ଥା ରହିଥିବା ବେଳେ ୧ ହଜାର ୨୯୪ଟି ପଞ୍ଜିକରଣ ସଂସ୍ଥା ରହିଛନ୍ତି । ଜିଲ୍ଲାରେ ୫ଟି ଶିଳ୍ପାଞ୍ଚଳ ରହିଥିବା ବେଳେ କୃଷି ଭିତ୍ତିକ ୧ ହଜାର ୩୭୬ଟି ଶିଳ୍ପ ରହିଛି ।ଟେକ୍ସଟାଇଲ ଭିତ୍ତିକ ୪୬୨ଟି ,କାଠ କାର୍ଯ୍ୟ ସମ୍ପର୍କିତ ୩୨୩ଟି, ପେପର ଏବଂ ଆନୁସାଙ୍ଗିକ ସଂସ୍ଥା ୧୨୨ଟି, ଚମଡା ଭିତ୍ତିକ ୧୨ଟି,ରାସାୟନିକ ଶିଳ୍ପ ସମ୍ପର୍କିତ ୧୦୨ଟି, ରବର ଏବଂ ପ୍ଲାଷ୍ଟିକ ୮୩ଟି, ମିନେରାଲ ଭିତ୍ତିକ ୬୯୧ଟି,ଷ୍ଟିଲ ୬୨୧ଟି ବିଦ୍ୟୁତ ସଂରଞ୍ଜାମ ୫୮ଟି, ମରାମତି କରୁଥିବା ସଂସ୍ଥା ୧ ହଜାର ୪୨୫ଟି ଏବଂ ୩୬୧ଟି ଅନ୍ୟାନ୍ୟ ସଂସ୍ଥା ଜିଲ୍ଲାରେ କାର୍ଯ୍ୟ କରୁଥିବାର ତଥ୍ୟରୁ ଜଣାପଡିଛି ।
ଏହି ସବୁ ସଂସ୍ଥାରେ ହଜାର ହଜାର ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ୩୨ ହଜାର ୮୦୮ ଦିନମଜୁରିଆ ଏହି ସଂସ୍ଥା ଉପରେ ନିର୍ଭର ଶୀଳ ଅଟନ୍ତି ।ଗତ ୨୦୨୦ ମାର୍ଚ୍ଚ ୨୧ରୁ ଲକ୍ ଡାଉନ,ସଟଡାଉନ ଯୋଗୁଁ ବ୍ୟବସାୟ ସମ୍ପୁର୍ଣ୍ଣ ଭାବରେ ଉଜୁଡି ଯାଇଛି । ଢେଙ୍କାନାଳ ସହରରେ ଥିବା ୧୦ଟି ବଡ ବଡ ମଲ, ୭ଟି ନର୍ସିଂ ହୋମ, ୬ଟି ମଣ୍ଡପ,୫୬୦ଟି ଉଠାଦୋକାନୀ ପଞ୍ଜିକୃତ କରି ବ୍ୟବସାୟ ଚଳାଇଥିବା ବେଳେକରୋନା ଏବଂ ଅନଲାଇନ ବ୍ୟବସାୟ ଯୋଗୁଁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛନ୍ତି ।
ସହରରେ ୩ ହଜାରରୁ ଅଧିକ ଉଠା ଦୋକାନୀ ଥିବା ବେଳେ ଜିଲ୍ଲାରେ ହଜାର ହଜାର ଡ୍ରାଇଭର,ହେଲପର,ଘରୋଇ ବିଦ୍ୟାଳୟ,ସ୍କଲ କଲେଜଙ୍କ କର୍ମଚାରୀ ମାନେ ରହିଛନ୍ତି ।କରୋନା ଯୋଗୁଁ ସବୁକିଛି ବନ୍ଦ ହୋଇପଡ଼ିବା ହେତୁ ସେମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା । ଫଳରେ ନିଜର ବ୍ୟବସାୟ ଛାଡି କେହି କେହି ମୂଲ ମଜୁରୀ କରୁଥିବାର ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ସେମାନଙ୍କୁ କୌଣସି ସହାୟତା ମିଳିନଥିବା ବେଳେ ବିଭିନ୍ନ ବ୍ୟବସାୟୀଙ୍କ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଘରେ ବସି ରହିଥିଲେ । ଧାର କରଜ କରି ପରିବାର ପ୍ରତିପୋଷଣ କରିଥିବା ବେଳେ କରୋନା ପରେ ସଂସ୍ଥାଗୁଡିକ ଆଗଭଳି ବ୍ୟବସାୟ କରି ପାରୁନଥିବାର ଜଣାପଡିଛି । ଅନଲାଇନ ବ୍ୟବସାୟ ଯୋଗୁଁ ସାଧାରଣ ବ୍ୟବସାୟ ମାନ୍ଦା ପଡିଛି । ଏଭଳି ସ୍ତରରେ କେନ୍ଦ୍ର ସରକାରଙ୍କ ତରଫରୁ ସହାୟତା ପ୍ରଦାନ ପାଇଁ ଏକ ସର୍ଭେ କରାଯାଉଥିବାର ଜଣାପଡିଛି । ଦିଲ୍ଲୀର ଏକ ଘରୋଇ ସଂସ୍ଥା ଏହି ସର୍ଭେ କରୁଥିବାର ଜଣାପଡିଛି ,ସର୍ଭେ ପରେ ସହାୟତା ପ୍ରଦାନ କରାଯାଇ ପାରେ ବୋଲି ଆଶା କରାଯାଉଛି ।