ଲକ୍ଷେ ଶିବ ପୁଜି ଘରଣୀ ଦେଇଛି
ସୁନାମୁଣ୍ଡା ଉପହାର
ଯତନେ ପାଳିଛି ଝାଳ ନିଗାଡିଛି
ରହି କେତେ ଅନାହାର ।
ଅଳି ଅରଦଳି ଅଝଟ ସହିଛି
ଦେଇଛି ଓଠରେ ହସ
ନିଦ ଭୁଲି କେତେ ରାତି ଯେ ଅନିଦ୍ରା
ଭୁଲି ଅଛି ଭୋକ ଶୋଷ ।
ପୁତ୍ରସ୍ନେହ କେବେ କରିନି ସେ ଉଣା
କରିଛି ଜଗତଜିତା
ଏ ସୁନ୍ଦର ପୃଥିବୀ ଉପହାର ଯାର
ସେଇ ଅଟେ ପିତାମାତା ।
ପ୍ରତିଦାନେ ତାର ସୁପୁତ୍ର ଦେଇଛି
ବୃଦ୍ଧକାଳେ ବୃଦ୍ଧାଶ୍ରମ
ମା କୋଳ ପିତା ବାହୁଠୁ ସୁନ୍ଦର
ଶାନ୍ତି ଦିଏ ଟଙ୍କା ପ୍ରେମ ।
କାଚ ସୀସା ଘର ଅଟାଳିକା ଗୃହେ
ସୁସ୍ୱାଦୁ ବ୍ୟଞ୍ଜନ ଖାଏ
ମାଟି କାନ୍ଥ ଘରୁ ଚୁଲି ମୁଣ୍ଡ ତିରେ
ସେ ମା କୁହୁଳୁ ଥାଏ ।
ବୋହୂ ନିର୍ଯ୍ୟାତନା ପୁତ୍ରର ଯାତନା
ନିଷ୍ଠୁର ସମୟ ଚକ୍ର
ଓଳିଏ ଦିମୁଠା ଦାନା ବି ପେଟକୁ
ଖୋଜି ବୁଲେ ଦିବାରାତ୍ର ।
ଲୁହ ଦର ମିଶା ଆଖିରେ ତାହାର
ଛାତିରେ ଛାତିଏ କୋହ
ଭାଗ୍ୟକୁ ଆଦରି ଆଜି ବି କାନ୍ଦୁଛି
କିଏ ପୋଛିଦେଵ ଲୁହ ।
✍️ ଅଜିତ କୁମାର୍ ଦାସ