News
WhatsApp Image 2023-10-04 at 17.25.00
samparksetu

” ଜେଜେମାଆ “

ମନେ ପଡେ ଭାରି ଆଜି
ଜେଜେମାଆ କଥା
ତା କୋଳରେ ଶୋଇଯାଏ
ରଖି ଦେଇ ମଥା ।
ଘୋଡେ଼ଇ ଦିଏରେ ସିଏ
ତା ପଣତ କାନି
ଶୁଆଇ ଦିଏରେ କହି
କେତେ ପରୀ କାହାଣୀ ।
ତା ହାତ ସ୍ପରଶେ ସତେ
କି ଯାଦୁ ଥାଏରେ ଏତେ –୨
ନିମିଷେକେ ଅପସରି
ଯାଏ ସବୁ ବ୍ୟଥା ।
ଭାରି ମନେ ପଡେ ଆଜି
ଜେଜେମାଆ କଥା ।

ଦୁନିଆକୁ ଯେବେ ଠାରୁ
ମୁଁ ରେ ଚିହ୍ନିଲି
ସବୁବେଳେ ସାଥିରେ ମୋ
ତାକୁ ତ ଦେଖିଲି ।
ମୋ ହାତ ଧରିଣ ସିଏ
ଚାଲି ଶିଖେଇଛି
ତା ପାଇଁ ଦୁନିଆରେ
ଆଜି ମୁଁ ବଞ୍ଚିଛି ।
ଛାଇ ପରି ଥାଏ ରହି
ଯାଏନି କେବେ ଦୂରେଇ –୨
ଝଡ଼ ଝଞ୍ଜା ଦୁଃଖ ସୁଖେ
ସାଥେ ଥାଏ ଏକା ।
ଭାରି ମନେ ପଡ଼େ ଆଜି
‌ଜେଜେମାଆ କଥା ।

ଯୁଆଡ଼େ ଗଲେ ବି ତାର
ସାଥେ ନେଇ ଯାଏ
ମିଠା ମିଠା କଥା କହି
ମନ ମୋହୁ ଥାଏ ।
ଝଣ୍ଟି ମୁଁ ପଡ଼ିଲେ ଧାଇଁ
ଆସି ତୋଳି ନିଏ
ପଣତରେ ପୋଛି ଦେଇ
ଗାଲେ ଚୁମା ଦିଏ ।
ସହେରେ ଅଳି ଅର୍ଦ୍ଦଳି
ଦିଏନା ଜମାରୁ ଗାଳି –୨
ତା ଓଠରୁ ଝରେ ଖାଲି
ମିଠା ମିଠା କଥା ।
ଭାରି ମନେ ପଡେ ଆଜି
ଜେଜେମାଆ କଥା ।

ଯାନି ଯାତ୍ରା ଦେଖିବାକୁ
ସାଥେ ନେଇ ଯାଏ
ରଙ୍ଗ ବେରଙ୍ଗ ବେଲୁନ୍
ଖେଳଣା ଯେ ଦିଏ ।
ଗାଆଁକୁ ଯେବେ ତ କିଛି
ବିକା ଆସି ଯାଏ
କରାଟରୁ ପଇସା କାଢି
ଖାଇବାକୁ ଦିଏ ।
ସତରେ ସେ ଏତେ ଭଲ
କୋଳେ ଶୋଇ କରେ ଗେଲ –୨
ତା ହାତ ଧରି ଚାଲିବା
ଥାଏ ଭାରି ମଜା ।
ଭାରି ମନେ ପଡେ ଆଜି
ଜେଜେମାଆ କଥା ।

ଖରାପ ହୋଇଲେ ଦେହ
କେତେ କାନ୍ଦୁ ଥାଏ
ଉଜାଗରେ ରହି କେତେ
ସେବା କରୁଥାଏ ।
କେତେ ଦେବା ଦେବୀଙ୍କି ସେ
‌ମାନସିକ କରିଥାଏ ।
ରୁଚିକର ଖାଦ୍ୟ ନିଜେ
ରାନ୍ଧି ଖୋଇ ଦିଏ ।
ଏ ସ୍ନେହ ମମତା ମୂଲ
ଅମୂଲ ଅଟେ ତା ମୂଲ –୨
ପଇସାରେ ନା ହେଇ
ଥାଏ କିଣା ବିକା ।
ଭାରି ମନେ ପଡ଼େ ଆଜି
ଜେଜେମାଆ କଥା ।

ଏଇ ମନ ସବୁବେଳେ
ତାକୁ ହିଁ ତ ଝୁରେ
ହେଲେ ନା ତାକୁ ପାଏ
ସିଏ ବହୂ ଦୂରେ ।
ସବୁବେଳେ ତା ସ୍ମୃତି
ଆଖିରେ ମୋ ଭାସେ
ତା ପାଇଁ ଦୁନିଆରେ
ଆଜି ମୁଁ ହସେ ।
କି ମିଠା ଜହ୍ନ ଗୀତ
ତା ହାତ ଖୁଆଇ ଭାତ –୨
ଓଡିଆଣୀ ବେଶ ସତେ
ଆହାଃ କି ମନଲୋଭା ।
ଭାରି ମନେ ପଡ଼େ ଆଜି
ଜେଜେମାଆ କଥା ।

ତା ପାଇଁ ରାମାୟଣ
ମହାଭାରତ ପଢିଛି
କେତେ ଯେ ଗଳ୍ପ ପୁରାଣ
ଭାଗବତ ଜାଣିଛି ।
ତା ପାଇଁ ଭଗବାନଙ୍କ
ସାନିଧ୍ୟ ପାଇଛି
ତା ପାଇଁ ମନ୍ଦିରକୁ
ମୁଁ ଯାଇ ପାରୁଛି ।
ସିଏ ମିଳୁ ଜନ୍ମ ଜନ୍ମ
ତା ପାଦେ କୋଟି ପ୍ରଣାମ–୨
ତା ବିନା ଦୁନିଆଟା
ଲାଗେ ଭାରି ଏକା ।
ଭାରି ମନେ ପଡେ ଆଜି
ଜେଜେମାଆ କଥା ।

new life
You might also like
error: Content is protected !!