ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ବିଷୟରେ ରାମାୟଣ ଓ ରାମଚରିତ ମାନସରେ ବର୍ଣ୍ଣିତ ହୋଇଛି। ଉଭୟ ଆମ ପାଇଁ ପବିତ୍ର ଗ୍ରନ୍ଥ ଅଟେ ।
ସନ୍ଥ ତୁଳସୀଦାସ ପ୍ରଭୁ ଶ୍ରୀରାମଙ୍କୁ ଈଶ୍ୱର ଭାବିକି ରାମଚରିତମାନସ ରଚନା କରିଥିବାବେଳେ ଆଦିକବି ବାଲ୍ମୀକି ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କୁ ମନୁଷ୍ୟ ଭାବିକି ରାମାୟଣ ରଚନା କରିଛନ୍ତି। ତୁଳସୀଦାସ ପ୍ରଭୁଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ବର୍ଣ୍ଣନା କରିଥିବାବେଳେ ଆଦିକବି ବାଲ୍ମୀକି ପ୍ରଭୁଙ୍କ ମହାପ୍ରୟାଣ ପର୍ଯ୍ୟନ୍ତ ବର୍ଣ୍ଣନା କରିଛନ୍ତି ।
ମହାରାଜା ଦଶରଥ ପୁତ୍ର ପ୍ରାପ୍ତି ପାଇଁ ଯଜ୍ଞ କରିବାକୁ ନିଷ୍ପତ୍ତି ନେଲେ। ମହାରାଜାଙ୍କ ଆଦେଶ ଅନୁସାରେ ଶ୍ୟାମକର୍ଣ ଘୋଡାକୁ ଚତୁରଙ୍ଗୀ ସେନା ସହିତ ଛାଡି ଦିଆଗଲା। ମହାରାଜା ଦଶରଥ ସମସ୍ତ ଋଷି ,ମୁନି,ତପସ୍ୱୀ ତଥା ବେଦଜ୍ଞ ପଣ୍ଡିତ ମାନଙ୍କୁ ନିମତ୍ରଣ କଲେ ।
ନିର୍ଦ୍ଧାରିତ ସମୟ ଅନୁସାରେ ଦଶରଥ ଗୁରୁ ବଶିଷ୍ଠ ଏବଂ ସମସ୍ତେ ଅତିଥି ଓ ଅଭ୍ୟାଗତଙ୍କୁ ନେଇ ଯଜ୍ଞ ଆରମ୍ଭ କଲେ। ସମ୍ପୂର୍ଣ୍ଣ ବାତାବରଣ ଉଚ୍ଚସ୍ବର ବେଦ ପାଠରେ ପବିତ୍ର ଲାଗିଲା
ସମିଧ ଓ ଘୃତରେ ଚତୁର୍ଦିଗ ମହକି ଉଠିଲା ।
ସମସ୍ତ ପଣ୍ଡିତ , ଋଷିମୁନି ଓ ବ୍ରାହ୍ମଣ ମାନଙ୍କୁ ଯଥାରୀତି ଧନଧାନ୍ୟ,ଗୌମାତା ଇତ୍ୟାଦି ଉପହାର ସ୍ୱରୂପ ଦେଇ ବିଦାୟ କରି ସାରିଲା ପରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଗଲା। ରାଜା ଦଶରଥ ଯଜ୍ଞର ପ୍ରସାଦ ସ୍ୱରୂପ ଚରୁଅର୍ଣ୍ଣକୁ ନେଇ ରାଜମହଲକୁ ଗଲେ ଏବଂ ତିନି ରାଣୀଙ୍କୁ ବାଣ୍ଟିଲେ। ପ୍ରସାଦ ଗ୍ରହଣର ପରିଣାମ ସ୍ୱରୂପ ତିନି ରାଣୀ ଗର୍ଭ ଧାରଣ କଲେ ।
ଚୈତ୍ରମାସ,ଶୁକ୍ଳପକ୍ଷ,ନବମୀ ତିଥୀ , ପୁନର୍ବସୁ ନକ୍ଷତ୍ରରେ ଯେତେବେଳେ ସୂର୍ଯ୍ୟ, ମଙ୍ଗଳ, ଶନି, ବୃହସ୍ପତି ଓ ଶୁକ୍ର ଉଚ୍ଚସ୍ଥାନରେ ବିରାଜମାନ ଥିଲେ କର୍କ ଲଗ୍ନ ଉଦୟ ହେବା ମାତ୍ରେ , ଦଶରଥଙ୍କ ବଡରାଣୀ କୌଶଲ୍ୟାଙ୍କ ଗର୍ଭରୁ ଏକ ଶିଶୁପୁତ୍ର ଜନ୍ମ ନେଲା । ପୁତ୍ର ନୀଳବର୍ଣ, ଚୁମ୍ବକୀୟ ଆକର୍ଷଣ,ଅତ୍ୟନ୍ତ ତେଜିୟାନ,ପରମ କାନ୍ତିବାନ ଏବଂ ଅତ୍ୟନ୍ତ ସୁନ୍ଦର ଥିଲେ।ଏହାପରେ ଶୁଭ ନକ୍ଷତ୍ର ଏବଂ ଶୁଭ ବେଳାରେ ମହାରାଣୀ କୈକେୟୀଙ୍କ ଗର୍ଭରୁ ଜଣେ ଏବଂ ତୃତୀୟ ରାଣୀ ସୁମିତ୍ରାଙ୍କ ଗର୍ଭରୁ ଦୁଇଜଣ ତେଜସ୍ୱୀ ପୁତ୍ର ଜନ୍ମଲାଭ କଲେ।
ଚାରି ପୁତ୍ରଙ୍କ ପାଇଁ ଅଯୋଧ୍ୟାରେ ଉତ୍ସବର ବାତାବରଣ ତିଆରି ହେଲା। ଗନ୍ଧର୍ବ ଗାନ କଲେ, ଅପସରା ମାନେ ନୃତ୍ୟ କଲେ ଏବଂ ଦେବତା ମାନେ ରଥରୁ ପୁଷ୍ପ ବୃଷ୍ଟି କଲେ । ସମସ୍ତ ନଗରବାସୀଙ୍କୁ ମୁକ୍ତ ହସ୍ତରେ ଧନରତ୍ନ ଉପହାର ଦିଆଗଲା ।
ଚାରି ପୁତ୍ରଙ୍କର ନାମକରଣ ଗୁରୁ ବଶିଷ୍ଠଙ୍କ ଦ୍ଵାରା ସମାପନ ହୋଇ ଯଥାକ୍ରମେ ରାମଚନ୍ଦ୍ର, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ରଖାଗଲା ।