News
WhatsApp Image 2023-10-04 at 17.25.00
samparksetu

ରମଜାନ ମାସରେ ରୋଜା ର ମହତ୍ତ୍ଵ

କେଡ଼େ ଆନନ୍ଦର ମାସ ଆସିଲା ସାରା ସଂସାର ଆନନ୍ଦେ ହସିଲା,
ଅଲ୍ଲାହ୍ ପାଦ ତଳେ ଯା’ର ଭକତି ତା’ର ହୃଦୟ ଆନନ୍ଦେ ନାଚୁଛି।

ଆରବୀ ଶବ୍ଦ ରମଜାନ ଯାହାର ଆକ୍ଷରିକ ଅର୍ଥ ହେଲା ଜଳିଯିବା ଅର୍ଥାତ୍ ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ। ଇସଲାମି ହିଜରି କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ଇସଲାମି ମାସର ନବମ ମାସ ଅର୍ଥାତ୍ ଶାବାନ୍ ମାସର ପରବର୍ତ୍ତୀ ଏବଂ ଶୱ୍ୱଲ୍ ର ପୂର୍ବବର୍ତ୍ତୀ ମାସ ଅଟେ ।

ଏହି ମାସରେ ଅଲ୍ଲାହ୍ ଙ୍କ ନିକଟତା ପ୍ରାପ୍ତି ଉଦେଶ୍ୟ ରେ ଇସଲାମି ଧର୍ମାବଲମ୍ବୀ ମାସ ସାରା ସକାଳ ସୂର୍ଯଦୟ ପୂର୍ବଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରୋଜା (ଉପବାସ) ରଖନ୍ତି ତଥା ଅନ୍ୟ ଦିନ ଅପେକ୍ଷା ଅଧିକ ଧର୍ମ-କର୍ମ କରିଥାନ୍ତି। ପବିତ୍ର ରମଜାନ ରେ ରୋଜା ର ମହତ୍ତ୍ଵ ବର୍ଣ୍ଣନା କରିବାକୁ ଯାଇ ଅଲ୍ଲାହ୍ ତାଲା ପବିତ୍ର କୋରାନ୍ ରେ କହିଛନ୍ତି :

ହେ ବିଶ୍ୱାସକାରୀମାନେ ! ତୁମ ମାନଙ୍କ ପାଇଁ ରୋଜା ରଖିବା ମଧ୍ୟ ସେହିପରି ଧାର୍ଯ୍ୟ କରାଯାଇଛି ଯେପରି ତୁମମାନଙ୍କ ପୂର୍ବବର୍ତ୍ତୀ ଲୋକମାନଙ୍କ ସକାଶେ ଏହା ଧାର୍ଯ୍ୟ କରାଯାଇଥିଲା, ଫଳରେ ତୁମେମାନେ ଆଧ୍ୟାତ୍ମିକ ଓ ନୈତିକ ଦୁର୍ବଳତାଜନିତ ତୃଟି ରୁ ରକ୍ଷା ପାଇବ ।

ସୁତରାଂ ତୁମେମାନେ ରୋଜା (ଉପବାସ) ରଖ କେତେକ ନିର୍ଦ୍ଦିଷ୍ଟ ଦିନରେ । ଏବଂ ତୁମମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ରୋଗୀ ଥାଏ ବା ଯାତ୍ରା କରୁଥାଏ ତେବେ ତାହାକୁ ଅନ୍ୟଦିନ ମାନଙ୍କରେ ସେହି ନିର୍ଦ୍ଦିଷ୍ଟ ସଂଖ୍ୟା ପୁରଣ କରିବାକୁ ହେବ। ଏବଂ ଯେଉଁମାନେ ଏହା ଅର୍ଥାତ୍ କ୍ଷତିପୂରଣ ଦେବାକୁ ସମର୍ଥ ସେମାନେ କ୍ଷତିପୂରଣ ସ୍ୱରୂପ ଜଣେ ଲେଖାଏଁ ଦରିଦ୍ରଲୋକଙ୍କୁ ଖାଇବାକୁ ଦେବା ବିଧେୟ।

ଯେଉଁ ବ୍ୟକ୍ତି ସମ୍ପୁର୍ଣ ଆଜ୍ଞାପାଳନ କରି କୌଣସି ପୁଣ୍ୟ କାର୍ଯ୍ୟ କରିବ ଏହା ତା ପକ୍ଷରେ ଉତ୍କୃଷ୍ଟ ହେବ। ଏବଂ ଯଦି ତୁମେ ଜାଣିଥାଅ ତେବେ ବୁଝିପାରିବ ଯେ ରୋଜା ରଖିବା ତୁମମାନଙ୍କ ପକ୍ଷରେ ଉତ୍କୃଷ୍ଟତର ।

ଇସଲାମ ଧର୍ମ ର ସଂସ୍ଥାପକ ହଜରତ୍ ମହମ୍ମଦ ମୁସ୍ତଫା ସ୍ୱଲ୍ଲଲ୍ଲାହୁ ଅଲୈହି ୱ ସଲ୍ଲମ୍ ରୋଜାର ମହତ୍ତ୍ଵ ଏହି ଭଳି ବର୍ଣ୍ଣନା କରନ୍ତି : ହଦିସ୍ ରେ ବର୍ଣିତ ଅଛି : ହଜରତ୍ ମହମ୍ମଦ ସଲ୍ଲମ୍ ଙ୍କ ଅନୁଚର ହଜରତ୍ ଅବୁ-ହୁରେରା ରଜିଅଲ୍ଲାହୁ ଅନହୁ ବର୍ଣ୍ଣନା କରନ୍ତି ଯେ ପୈଗମ୍ବର ହଜରତ୍ ମହମ୍ମଦ ସଲ୍ଲମ୍ କହିଛନ୍ତି ଯେ ଗୈାରବମୟ ଅଲ୍ଲାହ୍ କୁହନ୍ତି – ଉପବାସ ବ୍ୟତୀତ ମନୁଷ୍ୟ ର ପ୍ରତ୍ୟେକ ପୁଣ୍ୟ କାର୍ଯ୍ୟ ତା ନିଜ ପାଇଁ ହେଲେ ରୋଜା ବା ଉପବାସ କେବଳ ମୋ ପାଇଁ ଏବଂ ମୁଁ ହିଁ ତାଙ୍କୁ ତା’ର ପୁରସ୍କାର (ଫଳ) ଦେବି।

ରୋଜା ହେଉଛି ଏକ ପ୍ରକାର କବଚ ଅତଏବ ଯେତେବେଳେ ତୁମେମାନେ ରୋଜା (ଉପବାସ) ରଖିଥାଅ ସେତେବେଳେ ଅନାବଶ୍ୟକ ପାଟିତୁଣ୍ଡ କରନାହିଁ କିମ୍ବା କୌଣସି ଅଶ୍ଳୀଳ ଶବ୍ଦ ଜିଭରେ ଆଣ ନାହିଁ । ବରଂ ଯଦି କେହି ତୁମସହ ଦୁର୍ବ୍ୟବହାର କରନ୍ତି କିମ୍ବା ଗାଳିଗୁଲଜ କରନ୍ତି ତେବେ କୁହ ଯେ ମୁଁ ଉପବାସରେ ଅଛି ।

ମନେରଖ ମୁଁ ତାହାରି ଶପଥ ନେଇ କହୁଛି ଯାହାର ହାତରେ ମହମ୍ମଦଙ୍କ ଜୀବନ ଅଛି ​​ରୋଜେଦାର୍ (ଉପବାସ କରିଥିବା ବ୍ୟକ୍ତି) ଙ୍କ ପାଟିର ଗନ୍ଧ ଅଲ୍ଲାହ୍ ଙ୍କୁ କସ୍ତୁରୀ ଠାରୁ ମଧ୍ୟ ଅଧିକ ପ୍ରିୟ। ( ବୁଖାରୀ, ମୁସଲିମ୍)

ଇସଲାମର ତୃତୀୟ ସ୍ତମ୍ଭ ହେଉଛି ରୋଜା ଲୋକମାନେ ମଧ୍ୟ ରୋଜାର ବାସ୍ତବତା ସହିତ ଅପରିଚିତ,ବାସ୍ତବତା ହେଉଛି ଯେଉଁ ଦେଶକୁ ମନୁଷ୍ୟ ଯାଇ ନଥାଏ କିମ୍ବା ଯେଉଁ ସଂସାର ବିଷୟରେ ସେ କିଛି ଜାଣି ନାହିଁ କିମ୍ବା ପରିଚିତ ନୁହେଁ ସେ ଦେଶର ସ୍ଥିତିକୁ ସେ ବା କ’ଣ ବର୍ଣ୍ଣନା କରିବ।

ରୋଜା କେବଳ ସେତିକି ନୁହେଁ ଯେଉଁଥିରେ ବ୍ୟକ୍ତି କେବଳ ଭୋକିଲା ଏବଂ ଶୋଷିଲା ରହେ ବରଂ ଏହାର ବାସ୍ତବତା ଏବଂ ଏହାର ପ୍ରଭାବ ହେଉଛି ଯାହା ଅନୁଭବ ଦ୍ୱାରା ଜାଣି ହୁଏ। ମାନବିକ ସ୍ୱଭାବରେ ଅଛି ଯେ ଯେତେ କମ୍ ଖାଏ, ତା’ର ଆତ୍ମା ​​ଅଧିକ ଶୁଦ୍ଧ ହୋଇଯାଏ ଏବଂ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି ପାଇଥାଏ ।
ଏଥିରେ ଅଲ୍ଲାହ୍ ତାଲା ଙ୍କ ରହସ୍ୟ ରହିଛି ତାହା ହେଉଛି ଗୋଟିଏ ଖାଦ୍ୟ ହ୍ରାସ କରି ଅନ୍ୟଟି ବୃଦ୍ଧି କର ।

ରୋଜା ରଖିବା ଲୋକ ନିଜ ସମ୍ମୁଖରେ ସର୍ବଦା ଏହି ଲକ୍ଷ୍ୟ କରିବା ଉଚିତ୍ ଯେ ରୋଜା ର ଅର୍ଥ କେବଳ ଭୋକିଲା ରହିବା ନୁହେଁ ବରଂ ଅଲ୍ଲାହ୍ ନାମ ଜପ କରି ସେଥିରେ ମଗ୍ନ ରହିବା ଉଚିତ୍।

ତେଣୁ ମନେରଖିବା ଉଚିତ୍ ଯେ ଉପବାସର ଉଦ୍ଦେଶ୍ୟ ହେଉଛି ମନୁଷ୍ୟ କେବଳ ଶରୀରକୁ ପୋଷଣ କରୁଥିବା ରୁଟି (ଖାଦ୍ୟ) ଛାଡ଼ି ଅନ୍ୟ ଖାଦ୍ୟ ଗ୍ରହଣ କରୁ ଯଦ୍ୱାରା ଆତ୍ମା ସନ୍ତୁଷ୍ଟି ପ୍ରାପ୍ତି ହୁଏ। ଯେଉଁମାନେ ଲୋକଦେଖାଣିଆ ନୁହେଁ ବରଂ କେବଳ ଇଶ୍ବରଙ୍କ ନିକଟତା ପାଇଁ ଉପବାସ ରଖନ୍ତି ସେମାନେ ଆଲ୍ଲାଙ୍କ ପ୍ରଶଂସା ଗାନ କରିବା ଏବଂ ଜପ-ତପ ରେ ମଗ୍ନ ରହିବା ଉଚିତ୍ ଯଦ୍ଵାରା ଦ୍ୱିତୀୟ ଆଧ୍ୟାତ୍ମିକ ଖାଦ୍ୟ ତାଙ୍କୁ ପ୍ରାପ୍ତି ହେବ।

ରମଜାନ ରୋଜା ର ଗୋଟିଏ ମହାନ ଉଦ୍ଦେଶ୍ୟ ଭୋକିଲା ର ଭୋକ ନିବାରଣ ମଧ୍ୟ ଅଟେ । ଗୋଟିଏ ଭୋକିଲା ଲୋକ ଅନ୍ୟ ଭୋକିଲା ପେଟର ଜ୍ୱଳନ୍ତ କୁ ବୁଝିପାରିବ। ଅତଏବ୍ ଦାନ ଧର୍ମ କରିବା ଅସହାୟ ଗରିବ ଓ ଭୋକିଲା ର ଭୋକ ନିବାରଣ କରିବା କ୍ଷେତ୍ରରେ ମନୁଷ୍ୟ ଅଗ୍ରସର ହେଲେ ରମଜାନ ରୋଜା ର ମହାନ୍ ଉଦେଶ୍ୟ ପୁର୍ଣ ହେବ।

ବି ଦ୍ର: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି ଢେଙ୍କାନାଳ ଅପଡେଟ୍ ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ ।

new life
You might also like
error: Content is protected !!