News
WhatsApp Image 2023-10-04 at 17.25.00
samparksetu

ଇସଲାମରେ ଖିଲାଫତର ମହତ୍ତ୍ଵ

” ଇସଲାମରେ ଖିଲାଫତର ମହତ୍ତ୍ଵ “
୨୭ ମେ ୧୯୦୮ ଅହମଦିୟା ମୁସଲିମ ଖିଲାଫତ ଦିବସ ଉପଲକ୍ଷେ ବିଶେଷ ପ୍ରସ୍ତୁତି

ଖିଲାଫତ୍ (Successorship ) ଗୋଟିଏ ଆରବି ଶବ୍ଦ ଯାହାର ଅର୍ଥ ହେଉଛି ଉତ୍ତରାଧିକାରୀ। କୌଣସି ନବୀ, ରସୁଲ୍ ତଥା ଅବତାରଙ୍କର ଦେହାବସାନ ପରେ ତାଙ୍କ ଆଧ୍ୟାତ୍ମିକ କାର୍ଯ୍ୟକୁ ସୁଚାରୁ ରୂପେ ଚଳାଇବା ପାଇଁ ଯେଉଁ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ତାଙ୍କ ଲକ୍ଷ୍ୟ ବା ମିସନଟିକୁ ଆଗକୁ ବଢାଇଥାନ୍ତି ତାଙ୍କୁ “ଖଲିଫା” କୁହାଯାଏ ।

ଇସଲାମ ଧର୍ମରେ ଖିଲାଫତ୍ ପୈଗମ୍ବର ହଜରତ୍ ମୁହମ୍ମଦ ସଲ୍ଲମଙ୍କ ଦେହାନ୍ତ ପରେ ଆରମ୍ଭ ହୋଇଥିଲା। କାରଣ ତାଙ୍କ ଅନୁଚରମାନେ ବିଚଳିତ ହୋଇ ଉଠିଲେ, ସମସ୍ତେ ହତାଶ ହୋଇପଡ଼ିଲେ ଯେ ଆମର ମାର୍ଗଦର୍ଶନ କିଏ କରିବ। ଯେମିତି ଘରର ମୁରବି ଚାଲିଗଲେ ଘରଲୋକ ଛିନ୍ନବିଛିନ୍ନ ହୋଇଯାଆନ୍ତି, ଅସହାୟ ହୋଇଯାଆନ୍ତି, କୈାଣସି ନିଷ୍ପତ୍ତି ନେଇପାରନ୍ତି ନାହିଁ ଠିକ୍ ସେହିପରି ଆଧ୍ୟାତ୍ମିକ ଜଗତରେ ଯେତେବେଳେ ନବୀ,ରସୁଲ୍ ତଥା ଅବତାର ମାନେ ଇହଧାମ ପରିତ୍ୟାଗ କରନ୍ତି ସେତେବେଳେ ତାଙ୍କର ଅନୁଚରମାନେ ମଧ୍ୟ ଅବିକଳ ସେହିପରି ଅସ୍ତବ୍ୟସ୍ତ ହୋଇଉଠନ୍ତି ।

ହଜରତ ମୁସା ଏବଂ ହଜରତ ଈସା (ଯୀଶୁଖ୍ରୀଷ୍ଟ) ଙ୍କ ପରେ ତାଙ୍କ ଅନୁଚରମାନେ ମଧ୍ୟ ଛିନ୍ନବିଛିନ୍ନ ହୋଇ ଅନେକ ଗୋଷ୍ଠୀରେ ବିଭାଜିତ ହୋଇପଡ଼ିଥିଲେ। ହେଲେ ପବିତ୍ର କୁରଆନରେ ଅଲ୍ଲାହତାଲା “ଖିଲାଫତ ପ୍ରଥା” ର ଭବିଷ୍ୟତ ବାଣୀ କରିଥିଲେ । ସୁତରାଂ ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ୍ ମୁହମ୍ମଦ ସଲ୍ଲମଙ୍କ ଦେହାନ୍ତ ପରେ ତାଙ୍କ ଅନୁଚରମାନେ ଯେତେବେଳେ ବ୍ୟସ୍ତ ଓ ବିବ୍ରତ ହୋଇଉଠିଲେ ସେତେବେଳେ ପବିତ୍ର କୁରଆନ ରେ ଥିବା ବାଣୀ ଅନୁଯାୟୀ ହଜରତ୍ ମୁହମ୍ମଦ ସଲ୍ଲମଙ୍କର ଜଣେ ସାହାବି (ଅନୁଚର) ହଜରତ ଅବୁବକର ସିଦ୍ଦିକ୍ ତାଙ୍କ (ମହମ୍ମଦ ସଲ୍ଲମ୍ ଙ୍କ) ଲକ୍ଷ୍ୟଟିକୁ ନେଇ ଆଗକୁ ବଢିଥିଲେ ।
ହଜରତ ମୁହମ୍ମଦ ସଲ୍ଲମଙ୍କ ଭବିଷ୍ୟତ ବାଣୀ ଅନୁସାରେ କିଛି ବର୍ଷପରେ ଏହି ଖିଲାଫତ ପ୍ରଥା (ଖିଲାଫତେ ରାଶେଦା) ଟି ଅପସାରିତ ହୋଇ ଯାଇଥିଲା ।

ହେଲେ ପୁଣି ପୈଗମ୍ବର ହଜରତ୍ ମୁହମ୍ମଦ ସଲ୍ଲମଙ୍କର ଭବିଷ୍ୟତ ବାଣୀ ଥିଲା ଯେ ଅନ୍ତିମ ଯୁଗରେ ଯେତେବେଳେ “ଇମାମ୍ ମେହଦୀ”(ଯୁଗ ସଂସ୍କାରକ) ଙ୍କର ଆବିର୍ଭାବ ହେବ ତାଙ୍କ ଦେହାବସାନ ପରେ ଅଲ୍ଲାହତାଲା ଏହି ଖିଲାଫତ୍ ପ୍ରଥାଟିକୁ ପୁନର୍ବାର ଆରମ୍ଭ କରିବେ ଯାହା ପ୍ରଳୟ ଦିବସ ପର୍ଯ୍ୟନ୍ତ ରହିବ।
ସୁତରାଂ ସେହି ଯୁଗାବତାର ହଜରତ ମିର୍ଜା ଗୁଲାମ ଅହମଦ କାଦିୟାନି ସଂସ୍ଥାପକ ଅହମଦିୟା ମୁସଲିମ ସମ୍ପ୍ରଦାୟଙ୍କ ଦେହାନ୍ତ ପରେ ୨୭ ମେ ୧୯୦୮ ଠାରୁ ଅହମଦିୟା ମୁସଲିମ ସମ୍ପ୍ରଦାୟ ରେ “ଖିଲାଫତେ ଅହମଦିୟା” ର ଆଧ୍ୟାତ୍ମିକ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ।

ହଜରତ୍ ମିର୍ଜା ଗୁଲାମ ଅହମଦ କାଦିୟାନି ସଂସ୍ଥାପକ ଅହମଦିୟା ମୁସଲିମ ସମ୍ପ୍ରଦାୟ ନିଜ ପୁସ୍ତକ “ଅଲ୍ ୱସିୟତ୍”ରେ ଏହାର ବର୍ଣ୍ଣନା କରିଛନ୍ତି , ପୁଣ୍ୟଶ୍ଲୋକ ଲେଖନ୍ତି :-
ହେ ବନ୍ଧୁଗଣ ! ପ୍ରାଚୀନକାଳରୁ ଏହାହିଁ ଅଲ୍ଲାହତାଲାଙ୍କର ପରମ୍ପରା ଚାଲି ଆସୁଛି। ଅର୍ଥାତ୍ ଅଲ୍ଲାହତାଲା ଏପରି ଦୁଇଗୋଟି ପରାକ୍ରମ ପ୍ରଦର୍ଶନ କରନ୍ତି, ଯାହା ଫଳରେ ବିରୋଧୀମାନଙ୍କର ଦୁଇଗୋଟି ତଥାକଥିତ ଉଲ୍ଲାସକୁ ସେ ପଦଦଳିତ କରିଦିଅନ୍ତି। ଏଣୁ ବର୍ତ୍ତମାନ ମଧ୍ୟ ଅଲ୍ଲାହତାଲା ନିଜର ପ୍ରାଚୀନ ପରମ୍ପରାକୁ କେବେ ପରିତ୍ୟାଗ କରିବେ ନାହିଁ।

ସୁତରାଂ ମୁଁ ତୁମମାନଙ୍କ ନିକଟରେ ଯେଉଁ ବିଷୟ ବର୍ଣ୍ଣନାକରିଛି ସେଥିପାଇଁ ଦୁଃଖିତ ହୁଅନାହିଁ ଏବଂ ତୁମମାନଙ୍କ ହୃଦୟ ବ୍ୟସ୍ତବିବ୍ରତ ନହେଉ। କାରଣ ତୁମମାନଙ୍କ ପକ୍ଷରେ ଅଲ୍ଲାହତାଲାଙ୍କ ଦ୍ଵିତୀୟ ପରାକ୍ରମକୁ ଦେଖିବା ଅନିବାର୍ଯ୍ୟ । ତାହାର (ଦ୍ଵିତୀୟ ପରାକ୍ରମର) ଆଗମନ ତୁମମାନଙ୍କ ସକାଶେ ଉତ୍କୃଷ୍ଟ ହେବ। କାରଣ ତାହା ଚିରସ୍ଥାୟୀ, ଯାହାରକ୍ରମ ପ୍ରଳୟ ପର୍ଯ୍ୟନ୍ତ ବିଛିନ୍ନ ହେବ ନାହିଁ। ପୁନଶ୍ଚ ମୋର ପ୍ରସ୍ଥାନ ନହେବା ପର୍ଯ୍ୟନ୍ତ ସେହି ଦ୍ଵିତୀୟ ଶକ୍ତିର ଆଗମନ ସମ୍ଭବନୁହେଁ। ମାତ୍ର ମୁଁ ଯେବେ ଚାଲିଯିବି, ସେତେବେଳେ ଅଲ୍ଲାହ୍ ତୁମମାନଙ୍କ ପାଇଁ ସେହି ଦ୍ଵିତୀୟ ଶକ୍ତିକୁ ପ୍ରେରଣ କରିବେ ଯାହା ତୁମମାନଙ୍କ ସାଙ୍ଗରେ ସର୍ବଦା ରହିବ। ଏ ସଂକ୍ରାନ୍ତରେ ପ୍ରତିଶ୍ରୁତି “ବରାହିନେ ଅହମଦିୟା” ପୁସ୍ତକରେ ଲିପିବଦ୍ଧ ହୋଇଛି। ସେହି ପ୍ରତିଶ୍ରୁତି ବ୍ୟକ୍ତିଗତ ଭାବରେ ମୋ ସମ୍ପର୍କରେ ଦିଆଯାଇନାହିଁ। ବରଂ ତାହା ତୁମମାନଙ୍କ ସମ୍ପର୍କରେ ଦିଆଯାଇଛି।

ସୁତରାଂ ଅଲ୍ଲାହତାଲା କହିଛନ୍ତି ” ଆମେ ପ୍ରଳୟପର୍ଯ୍ୟନ୍ତ ତୁମର ଅନୁଗାମୀ (ଗୋଷ୍ଠୀ) ଙ୍କୁ ଅନ୍ୟମାନଙ୍କ ଉପରେ ଆଧିପତ୍ୟ ଅର୍ପଣ କରିବୁ। ତେଣୁ ତୁମମାନଙ୍କଠାରୁ ମୋର ବିଦାୟ ହେବା ଅନିବାର୍ଯ୍ୟ ଓ ଏହା ପରେ ହିଁ ପ୍ରତିଶ୍ରୁତି ପାଳନଜନିତ ସ୍ଥାୟୀ ଦିବସଟି ଆସିବ।
ଆମର ସେହି ଅଲ୍ଲାହ୍ ପ୍ରତିଶ୍ରୁତି ଦେବାରେ ନିଷ୍ଠାପର, ବିଶ୍ୱସନୀୟ ଓ ସତ୍ୟନିଷ୍ଠ ଅଟନ୍ତି। ସେ ଯେଉଁ ଯେଉଁ ବିଷୟରେ ପ୍ରତିଶ୍ରୁତି ଦେଇଛନ୍ତି, ସେସବୁ ତୁମମାନଙ୍କ ନିକଟରେ ପ୍ରଦର୍ଶନ କରିବେ । ଯଦିଚ ଏହି ସମୟ ପୃଥିବୀର ଅନ୍ତିମ ସମୟଅଟେ ଓ ଏହି ସମୟ ମଧ୍ୟରେ ବହୁବିଧ ବିପତ୍ତି ଆସିବା ଅବଶ୍ୟମ୍ଭାବୀ ।

ତଥାପି ଅଲ୍ଲାହ୍ ଯେଉଁ ସବୁ ବିଷୟରେ ଜଣାଇ ଦେଇଛନ୍ତି, ସେ ସବୁ ନଘଟିବା ପର୍ଯ୍ୟନ୍ତ ଏହି ପୃଥିବୀ ଅବଶ୍ୟ ତିଷ୍ଠି ରହିବ। ମୁଁ ଅଲ୍ଲାହଙ୍କ ତରଫରୁ ଏକ ଶକ୍ତିସ୍ବରୂପ ଆବିର୍ଭାବ ହୋଇଛି । ମୁଁ ଅଲ୍ଲାହଙ୍କର ଏକ ମୂର୍ତ୍ତିମନ୍ତ ଶକ୍ତିର ପ୍ରତୀକ। ମୋ ଅନ୍ତେ ଅନ୍ୟ କେତେକ ଦେହଧାରୀ ଜନ୍ମଗ୍ରହଣ କରିବେ। ସେମାନଙ୍କ ରୂପରେ ଦ୍ଵିତୀୟ ଶକ୍ତି ପ୍ରଦର୍ଶିତ ହେବ।

(ଅଲ୍ ୱସିୟତ୍, ଓଡ଼ିଆ ରୁପାନ୍ତର “ଇଛାପତ୍ର” ପୃଷ୍ଠା ୭-୮)
ସେହି ଭବିଷ୍ୟତ ବାଣୀ ଅନୁସାରେ ଅହମଦିୟା ମୁସଲିମ ଜମାଅତରେ ୨୭ମେ ୧୯୦୮ ଠାରୁ “ଖିଲାଫତ୍ ପ୍ରଥା” ଅର୍ଥାତ୍ Successorship ର ଶୁଭାରମ୍ଭ ହୋଇଥିଲା। ସର୍ବପ୍ରଥମେ ହଜରତ ମୌଲବୀ ହକିମ୍ ନୂରଦ୍ଦିନ୍ ସାହେବ ପ୍ରଥମ ଖଲିଫା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଠାରୁ ଆଜିପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ଆନ୍ଦୋଳନଟି ଜାରି ରହିଛି। ବର୍ତ୍ତମାନ ହଜରତ୍ ମିର୍ଜା ମସରୁର ଅହମଦ ତାଙ୍କର ପଞ୍ଚମ ଖଲିଫା ଭାବେ ଅହମଦିୟା ମୁସଲିମ ସମ୍ପ୍ରଦାୟ ର ଆଧ୍ୟାତ୍ମିକ ନେତୃତ୍ତ୍ୱ ଗ୍ରହଣ କରିଛନ୍ତି। ବିଶ୍ଵରେ ପ୍ରେମ,ଶାନ୍ତି ତଥା ମାନବବାର୍ତ୍ତା ର ସ୍ଥାପନା ପାଇଁ ମାନ୍ୟବର ଖଲିଫା ଦିବାରାତ୍ରି ବ୍ୟସ୍ତ ଅଛନ୍ତି।

ଅଲ୍ଲାହତାଲା ତାଙ୍କୁ ଦିର୍ଘାୟୁ କରନ୍ତୁ ତଥା ରୁହୁଲ୍ କୁଦ୍ଦୁସ୍ (ପବିତ୍ର ଆତ୍ମା) ଦ୍ଵାରା ତାଙ୍କର ସହାୟ ହୁଅନ୍ତୁ। ଆମୀନ୍ ।

✍️ ଅନସାର୍ ଅଲୀ ଖାଁ

ବି ଦ୍ର: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି ଢେଙ୍କାନାଳ ଅପଡେଟ ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ ।

new life
You might also like
error: Content is protected !!