News
WhatsApp Image 2023-10-04 at 17.25.00
samparksetu

ଦାନ୍ତ ଚୋରୀ
       

ସକାଳୁ ସକାଳୁ ଗାଆଁ ସାରା ହଲ୍ଲା । ନୂଆ ବୋହୁ ଦାନ୍ତ ଚୋରି ହୋଇଯାଇଛି । ଚୋରି ତ ଚୋରି ପୁଣି ଦାନ୍ତ ଚୋରି । ଲୋକେ କହିଲେ….. କାନ ଉଠିବା ଦିନଠାରୁ ଏମିତି ଚୋରି କଥା ଆମେ ଜାଣି ନଥିଲୁ କି ଶୁଣି ନଥିଲୁ…. ଚୋର ସିନା ଧନ ସମ୍ପତ୍ତି ଚୋରି କରେ ଦାନ୍ତ ଚୋରି କେମିତି ହେଲା ।

ନୂଆ ବୋହୁଟା ଆଠ ଦିନ ହେବ ଶାଶୁ ଘରକୁ ଆସିଛି…ଶେଷରେ ଦାନ୍ତ ଚୋରି ହୋଇଗଲା । ଭାଙ୍ଗି ଯାଇଥିଲେ ଗଢେଇ ଦେଵ…କି ହଜି ଯାଇଥିଲେ ଖୋଜି ଆଣିବ..ହେଲେ ଦାନ୍ତ ଗୁଡା ଆଣିବ କେଉଁଠୁ !

ଘରେ ଖିଆ ପିଆ ନାହିଁ…. ଦାନ୍ତୁରି ଘର କୋଣରେ ଗୁମ ମାରି ବସିଛି….କାନ୍ଦି କାନ୍ଦି ଆଖି ଦିଟା ଗେଣ୍ଡା ଭଳି ଫୁଲି ଗଲାଣି । ଯିଏ ଯାହା କହିଲେ କିଛି ବି ଉତ୍ତର ଦେଉନାହିଁ । ଖାଲି ମୁଣ୍ଡ ହଲୋଉଛି… ଆଉ ପାଟିକୁ ଚାପି ଧରିଛି ।

ପେଟୁ ମାନେ ଦାନ୍ତୁରୀର ସିଏ ମାନେ ଗେରସ୍ତ ବି ଘୁମ ମାରି ବସିଛି । ଦାନ୍ତୁରି ତ ତା ପାଖରେ ଶୋଇଥିଲା ପାଟି ଭିତରୁ ଦାନ୍ତ ଗୁଡ଼ା ଚୋରି ହେଲା କେମିତି !

ନା ଏ ସବୁ ହେଉଛି ଗୁଣି ଗାରେଡି…ଆଉ ତନ୍ତ୍ର ମନ୍ତ୍ର କଥା…. ଶଳେ ମୋ ସୁନ୍ଦରୀକୁ ଦେଖି ସହିନପାରି ଗୁଣି କରି ତା ଦାନ୍ତ ଉଭାନ କରିଦେଲେ । 

ଏ କଥା ଶୁଣି ପେଟୁର ମାଆ କୋକିଳକୁ ଆଉ ସମ୍ଭାଳେ କିଏ !

ଗାଳି ଗୁଳଜ କରିବା ଆରମ୍ଭ କାରିଦେଲା… ଏ ଯୋଗିନୀ ଖିଏ… ଏ ଗୁହ ଖିଏ… ଏ ପୁଅ ଖିଏ…ତୁମ ବଉଁଶ ବୁଡ଼ୁ… ତୁମ ପୁତା ମରୁ…ଏ ରାଣ୍ଡେ….ଏ ଘଇତା ଖାଇଏ… ତୁମ ମୁହଁରେ କୁକୁର ମୁତୁ…ଅଧା ବୟସରେ ରାଣ୍ଡ ହୁଏ…ତୁମ ଆଖି ଫୁଟି ଯାଉ….ହେ ଅଳପ ଆଇସିଏ… ଏ ରାଣ୍ଡେ…ମୋ ବୋହୁର ଦାନ୍ତକୁ ଦେଖି ସହି ପାରିଲାନି,ମୋ ସୁନ୍ଦରୀ ବୋହୂକୁ ଦେଖି ପାରିଲାନି…ଅଧା ବୟସରେ ମରିବ ରେ….ଏମିତି ଦିନ ଯାକ ଗାଳି ମନ୍ଦ ଚାଲିଥିଲା ।

ଘର ଭିତରେ ଦାନ୍ତୁରି କିନ୍ତୁ ଚୁପ ହୋଇ ବସିଥିଲା ।

ସଞ୍ଜରେ ଗାଆଁରେ ନିଶାପ ହେଲା….ମୁରବି ମାନେ ବି ବୁଝି ପାରିଲେ ନାହିଁ ପାଟି ଭିତରୁ ଦାନ୍ତ ଚୋରି ହେଲା କେମିତି !

ଏ ସବୁ ତନ୍ତ୍ର ମନ୍ତ୍ରର ଖେଳ… କୋକିଳ ଭଲ ଗୁଣିଆ ଆଣି ଘର କିଳି ଦେଲେ… ଆଉ କିଛି ହେବ ନାହିଁ…. ଦାନ୍ତ ଗଲେ ଗଲା… ।

ସତକୁ ସତ ଗାଆଁକୁ ଆସିଲା ଗୋଟେ ତାନ୍ତ୍ରିକ । କଳା ଭୁଷୁଣ୍ଡା ଲୋକଟା….ଫୁଟେ ଫୁଟେ ନିଶ…ଦାନ୍ତ ଗୁଡ଼ିକ କଳା ଖଇନି ଖାଇ…କଳା ଲୁଗା ପିନ୍ଧି…. ଆସିଲା ।

ଘର ଭିତରେ ପୂଜା ଆରମ୍ଭ ହେଲା… ଜଣା ପଡ଼ିଲା ଏଇଟା ଗୋଟାଏ ଅଣ୍ଡିରା ଭୂତର କାମ…ସେଇ ଦାନ୍ତ ଗୁଡ଼ାକ ଚୋରି କରି ନେଇଛି । ସେ ଭୂତର କୋପ ଦୃଷ୍ଟି ଦାନ୍ତୁରି ଉପରେ ପଡିଛି…ସେଇ ଭୂତର ବି ବଡ ବଡ଼ ଦାନ୍ତ ରହିଛି ।

ତାକୁ ଘରୁ ତଡିବାକୁ ନିଷ୍ପତ୍ତି ହେଲା…ଏମିତି କି ଗାଆଁ ମୁଖିଆ କହିଲେ ତାକୁ ଏ ଗାଆଁରୁ ତଡିବାକୁ ପଡିବ…. ନହେଲେ ସେ ଆଉ କାହା ଦାନ୍ତ ଚୋରି କରିବ ।

ଗୋଟେ ଭଲ କଳା ବୋଦା ଆସିଲା… ତିନିଟା ଗଞ୍ଜା…ଧୂପ, ଝୁଣା ସବୁ ଆସିଲା… ରାତି ଅଧରେ ପୂଜା ହେବ…ମଶାଣୀରେ…ସେଠିକୁ କେହି ଯିବେ ନାହିଁ…. ତାନ୍ତ୍ରିକ ସେଇ ଭୂତକୁ ଗୋଟେ ମାଠିଆରେ ପୁରେଇ ସମୁଦ୍ରରେ ଭସେଇ ଦେଵ ।

ଦଶ ହଜାର ଟଙ୍କା ନେଇ…ଦେଶୀ ମଦ ଦୁଇ ଗରା ନେଇ ତାନ୍ତ୍ରିକ ମଶାଣୀକୁ ଗଲା । ତା କହିବା ଅନୁସାରେ ଗାଆଁର ସମସ୍ତେ ଖାଇ ପିଇ ଘର ଭିତରେ ପଶିଲେ….ସୂର୍ଯ୍ୟ ନ ଉଇଁଲା ପର୍ଯ୍ୟନ୍ତ କେହି ବାହାରିବେ ନାହିଁ ।

ସେୟା ହେଲା….ସକାଳୁ ସକାଳୁ ମାଶାଣୀରେ ବୋଦାର ମୁଣ୍ଡଟା ଗଡୁଥିଲା ବୋଲି ଲୋକେ କୁହାକୁହି ହେଉଥିଲେ ।

ଦାନ୍ତୁରି କିନ୍ତୁ ମନେ ମନେ ହସୁଥିଲା । କିହୋ ହସିବ ନାହିଁ କାହିଁକି…. ଗୁମର କଥାଟି ତାକୁ ଜଣା । ସେ ଅବିବାହିତ ଥିବା ବେଳେ ଭାରି ଦୁଷ୍ଟ ଥିଲା । ଗୋଟେ କାଳିଆ ଷଣ୍ଢ ଲାଙ୍ଗୁଡ଼ ଟାଣି ଦେବାରୁ ଷଣ୍ଢଟା ଏମିତି ନାତ ଦେଲାଯେ ଦାନ୍ତୁରି ଓରଫ ଦମୟନ୍ତିର ଦାନ୍ତ ଦବୁ ସଫା ।

ଦାନ୍ତ ନଥିବା ଝିଅକୁ ବାହା ହେବ କିଏ । ଡାକ୍ତରକୁ ଦେଖେଇ ସେ ପ୍ଲାଷ୍ଟିକ ଦାନ୍ତ ଲଗେଇ ଥିଲା…ରାତିରେ ଶୋଇଥିବା ବେଳେ କେମିତି ଖସି ପଡ଼ିଲା । ଆଉ ତାକୁ କିଏ ନେଲା ତାର କିଛି ଟେର ବି ମିଳିଲା ନାହିଁ ।

ଘଟଣାଟା ଧରାପଡିଲେ କଣ ଅବସ୍ଥା ହେବ..ଛାଡପତ୍ର କି ଶାଶୁଘରୁ ବିଦା ହେବାକୁ ପଡ଼ିବ ।

କିଛି ଉପାୟ ନପାଇ ସକାଳୁ ସକାଳୁ ଦାନ୍ତୁରି କହିଲା ମୋ ଦାନ୍ତ କିଏ ନେଇ ଗଲା…ଏମିତି ଅଭିନୟ କଲା ଯେ ସମସ୍ତେ ସତ ଭାବିଲେ । ଏବେ ସେ ଚିନ୍ତା ଗଲା ।

ଦିନେ ସକାଳୁ ସକାଳୁ ଶାଶୁ ଅଗଣା ଝାଡୁ କରୁଥିଲେ । ଗଛ ମୂଳରେ ସେଇ ଦାନ୍ତଗୁଡ଼ାକ ଦେଖି ହାଉଳି ଖାଇଲେ “ହେ ଲୋ ଭୂତ ପୁଣି ମୋ ବୋହୁକୁ ପେଷିଲାଣି…ଏ ଦାନ୍ତଗୁଡା ଫୋପାଡ଼ିଲାଣି…କଣ କରିବି ଲୋ ମାଆ”କହି ଚେତା ବୁଡ଼ିଗଲେ ।

କଣ ହେଲା ବୋଲି ଦାନ୍ତୁରି ଦୌଡ଼ି ଆସିଲା… ଶାଶୁ ଚେତା ହରାଇ ପଡିଛନ୍ତି…. ହାତରେ ଝାଡୁ….କଣ ହେଲା…. ଦେଖୁ ଦେଖୁ ତାରି ଦାନ୍ତ ଗୁଡା ପଡ଼ିଛି….. ତାରତର କରି ଅଣ୍ଟାରେ ଖୋସି ଚୁପ କିନା ବାଡ଼ି ଚୂଲିରେ ଭର୍ତ୍ତି କରି ନିଆଁକୁ ଖୁବ ଜୋରରେ ଜାଲିଦେଲା ।

ସେଠୁ ଆସି କାନ୍ଦି ଉଠିଲା…. ମୋ ମାଆଙ୍କର କଣ ହେଲା ଲୋ କହି ଚେତା କରେଇଲା….ଶାଶୁ ଉଠୁ ଉଠୁ କହିଲେ ପଳା ପଳା ଏଠୁ ସେଇ ଭୂତ ପୁଣି ଆସିଲାଣି…ଦେଖ ଦେଖ ଦାନ୍ତ ଗୁଡ଼େ ପଡିଛି କହି ଶାଶୁ ଦାନ୍ତ ପଡିଥିବା ଜାଗାକୁ ଚାହିଁଲେ ।

ହେଲେ ଦାନ୍ତ କାହିଁ…. ଏଠି ଥିଲା ଲୋ ମୁଁ ଦେଖିଛି…. ସତରେ ସେ ଭୂତ ପୁଣି ଆସିଲାଣି କହିଲେ ତ….. ଦାନ୍ତୁରି ହାଉଳି ଖାଇଲା…ମୋ ଶାଶୁ ଠାରେ ଭୂତ ଲାଗିଛି ।

ପୁଣି ଗୁଣିଆ ଆସିଲା….ଭୂତ ଛଡ଼ାଇବା ନାମରେ ଭଲ ଦି ପଇସା ନେଲା । ଆଉ ଛାଞ୍ଚଉଣୀରେ ଭଲ କରି ଶାଶୁ ପିଠିରେ ଦେଲା ।

ଗୁମର କଥା ତ ଦାନ୍ତୁରିକୁ ଜଣା….ହେଲେ ପାଟି ଖୋଲିଲେ ସର୍ବନାଶ । ସମସ୍ତେ କହୁଥିଲେ ଗୁଣିଆ ଭୟରେ ସେ ଭୂତ ଆଉ ଗାଆଁ ମାଡିନଥିଲା ।

✍️ଅଶୋକ ମହାରଣା

new life
You might also like
error: Content is protected !!