ନିଜ ଅନ୍ତର୍ଭୁକ୍ତିକରଣର ଯାତ୍ରା ଜାରି ରଖିବା ସହିତ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଏହାର କଞ୍ଚାମାଲ ସଂଚାଳନ ପ୍ରଣାଳୀରେ (ଆରଏମ୍ଏଚ୍ଏସ୍) ନିଜ ଭେଣ୍ଡର ସହଯୋଗୀ ଭାମନ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ଼ ମାଧ୍ୟମରେ ୪ ଜଣ ମହିଳା ଅପରେଟରଙ୍କୁ ଷ୍ଟାକର-କମ୍ ରିକ୍ଲେମର (ଏସ୍ସିଆର) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଟାଟା ଷ୍ଟିଲରେ ପ୍ରଥମ ଥର ପାଇଁ ମହିଳାମାନେ ଏସ୍ସିଆର ଅପରେଟର ଭାବେ କାର୍ଯ୍ୟ କରିବେ । ଏହାସହିତ ଜଣେ ମହିଳା ହାଇଭା ଅପରେଟର ସେମାନଙ୍କ ସହିତ ଯୋଗ ଦେଇଛନ୍ତି ।
ଟାଟା ଷ୍ଟିଲ ମେରାମଣ୍ଡଳୀର ଭାଇସ ପ୍ରେସିଡେଣ୍ଟ ସୁବୋଧ ପାଣ୍ଡେଙ୍କ ସହିତ ଅନ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନବ ସମ୍ବଳ ବ୍ୟବସାୟିକ ସହଯୋଗୀ ବିଭାଗ ଚିଫ୍ ସନ୍ଦିପ ଧୀର, ଲଜିଷ୍ଟିକ୍ ଅପରେସନ୍ ବିଭାଗ ଚିଫ୍ ସୁବ୍ରତ ବସାକ ଓ ଆରଏମ୍ଏଚ୍ଏସ୍ ତଥା କଂଚାମାଲ ପ୍ରକ୍ରିୟାକରଣ କାରଖାନାର ଚିଫ୍ ସୁଭ୍ରାଂଶୁ ଶେଖର ରାଉତ ନୂତନ ରୂପେ ନିଯୁକ୍ତି ପାଇଥିବା ମହିଳାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ମହିଳାମାନଙ୍କ ସହ ଆଲୋଚନା କରିଥିଲେ ।
ଏହି ମହିଳାମାନଙ୍କୁ ସ୍ୱାଗତ ଜଣାଇ ପାଣ୍ଡେ କହିଛନ୍ତି ଯେ, “ କାରଖାନାର ଶ୍ରମଶକ୍ତିରେ ଲିଙ୍ଗଗତ ସମାନତା ଆଣିବା ଦିଗରେ ଏହା ଏକ ସ୍ମରଣୀୟ ପଦକ୍ଷେପ ହୋଇଥିବାରୁ ଆପଣମାନଙ୍କୁ ଆମ ଟିମ୍ରେ ସାମିଲ କରି ଆମେ ବହୁତ ଖୁସି ଅନୁଭବ କରୁଛୁ । ଏକ ବିବିଧ ଓ ଅନ୍ତର୍ଭୁକ୍ତକାରୀ କାର୍ଯ୍ୟସ୍ଥଳୀ ଗଠନ ଦିଗରେ ଆମ ପ୍ରତିଶ୍ରୁତିବଦ୍ଧତାକୁ ଅଧିକ ତ୍ୱରାନ୍ୱିତ କରିବା ସହିତ ଏହି ପଦକ୍ଷେପ ମହିଳାମାନଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବ ।
ଏହି ଅବସରରେ ଉଦ୍ବୋଧନ ଦେଇ ବସାକ୍ କହିଛନ୍ତି ଯେ, “ଏକ ଦାୟିତ୍ୱବାନ କର୍ପୋରେଟ୍ ସଂସ୍ଥା ଭାବେ ଆମେ ନିଜ ମାନବ ପୁଞ୍ଜିର ବିବିଧତା ଉପରେ ଦୃଢ ବିଶ୍ୱାସ ରଖିଆସିଛୁ । ଏହାସହିତ ଆମ ଭେଣ୍ଡର ସହଯୋଗୀମାନଙ୍କୁ ଆମର ବିଶ୍ୱାସ ଓ ଯୋଗଦାନକୁ ଗ୍ରହଣ କରିବା ପାଇଁ ସେମାନଙ୍କ ମାର୍ଗଦର୍ଶନ କରୁଛୁ । କାର୍ଯ୍ୟ ପ୍ରଣାଳୀର ପୁନଃକଳ୍ପନା, ଶ୍ରମଶକ୍ତିର ରୂପାନ୍ତରିକରଣ ଏବଂ ଯେ କୌଣସି ସ୍ଥାନରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ସଶକ୍ତିକରଣକୁ୍ ଏହା ପ୍ରତିଫଳିତ କରୁଛି ।
ଏକ ସଫଳ ରୂପାୟନ ସ୍ୱରୁପ ମହିଳା ଡିପ୍ଲୋମା ମେକାନିକାଲ ଇଞ୍ଜିନିୟରିଂ କରିଥିବା ଏସ୍ସିଆର ଅପରେଟର ଷ୍ଟେକିଂ ଓ ରିକ୍ଲେମିଂ ଅପରେସନ୍ରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସଫଳତାର ସହ ନିଜ ପ୍ରାଥମିକ ଓ ନିଯୁକ୍ତି ସଂକ୍ରାନ୍ତୀୟ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି । ଏହାକୁ ପୂର୍ବରୁ କେବଳ ପୁରୁଷଙ୍କ କାର୍ଯ୍ୟ ବୋଲି ଗ୍ରହଣ କରାଯାଉଥିଲା ।
ମୋଜାଇକ୍ (ଏମ୍ଓଏସ୍ଏଆଇସି) ର ଗଠନ ଠାରୁ ୨୦୧୫ରେ କମ୍ପାନୀର ବିବିଧତା ଓ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ, ଖଣିରେ ମହିଳାଙ୍କ ନିଯୁକ୍ତି ଏବଂ ଏଲ୍ଜିବିଟିକ୍ୟୁ+ଙ୍କ ପାଇଁ ଏସିଆର ବୃହତ୍ତମ ନିଯୁକ୍ତି ମେଳା ରାଇଜ୍ (ଆରଆଇଏସ୍ଇ) ରେ ଯୋଗଦାନ ଏବଂ ଅତି ନିକଟରେ ଟ୍ରାନ୍ସଜେଣ୍ଡରମାନଙ୍କୁ ନିଯୁକ୍ତି ପ୍ରଦାନ ଭଳି ପଦକ୍ଷେପ ମାଧ୍ୟମରେ କମ୍ପାନୀ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଏକ ପଥ ପ୍ରଦର୍ଶକ ଭାବେ ବିକଶିତ ହେଉଛି । ଏହାସହିତ କମ୍ପାନୀ ପକ୍ଷରୁ ଋତୁସ୍ରାବକାଳୀନ ଛୁଟି, ଏଲ୍ଜିବିଟିକ୍ୟୁ+ ସହଯୋଗୀଙ୍କ ପାଇଁ ସମାନ ସୁବିଧା, ସବୁ ପ୍ରକାର ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ମାତା ଓ ପିତା ହେବା କ୍ଷେତ୍ରରେ ଛୁଟି ଭଳି ଅନେକ ଉଲ୍ଳେଖନୀୟ ପଦକ୍ଷେପମାନ ଗ୍ରହଣ କରାଯାଇଛି ।
ଏକ ବିବିଧ, ଅନ୍ତର୍ଭୁକ୍ତିକରଣ, ସୁରକ୍ଷିତ ଏବଂ ନିରପେକ୍ଷ କାର୍ଯ୍ୟସ୍ଥଳୀ ସୃଷ୍ଟି ପାଇଁ ଟାଟା ଷ୍ଟିଲ ପ୍ରତିଶ୍ରୁତିବଦ୍ଧ ରହିଛି । ଏହାସହିତ କମ୍ପାନୀ ୨୦୨୫ ସୁଦ୍ଧା ଏକ ୨୫ ପ୍ରତିଶତ ବିବିଧ ଶ୍ରମଶକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଏଲ୍ଜିବିଟିକ୍ୟୁ+ କାର୍ଯ୍ୟସ୍ଥଳୀ ପାଇଁ କାର୍ଯ୍ୟସ୍ଥଳୀ ସମାନତା ସୂଚକରେ ଟାଟା ଷ୍ଟିଲକୁ ସ୍ୱର୍ଣ୍ଣ ନିଯୁକ୍ତିଦାତା ଭାବେ ସମ୍ମାନିତ କରାଯାଇଛି ।