News
WhatsApp Image 2023-10-04 at 17.25.00
samparksetu

ସତ୍ୟ ଆଗେ ମିଥ୍ୟା କାହିଁ ହୋଇବ ତୁଳନ

ମହାପୁରୁଷ ହଜରତ ମୁହମ୍ମଦଙ୍କ ଜନ୍ମ ଜୟନ୍ତୀର ଶୁଭ ଅବସରରେ ତାଙ୍କ ଜୀବନର ଗୋଟିଏ ଶିକ୍ଷାପ୍ରଦ ଘଟଣା_

ସତ୍ୟ ଆଗେ ମିଥ୍ୟା କାହିଁ ହୋଇବ ତୁଳନ
ମାଣିକର ସଙ୍ଗେ ସମ ହେବକି କାଞ୍ଚନ ,

ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ ସଲ୍ଲମ ସତ୍ୟର ଜ୍ୱଳନ୍ତ ଉଦାହରଣ ଥିଲେ, ତାଙ୍କ ଜୀବନ ଇତିହାସ ଲେଖିଥିବା ୟୂରୋପିୟ ଇତିହାସକାର ସର୍ ୱିଲିୟମ୍ ମ୍ୟୋର “ଦ ଲାଇଫ୍ ଅଫ୍ ମୁହମ୍ମଦ” ରେ ବର୍ଣ୍ଣନା କରିଛନ୍ତି,” ମୁହମ୍ମଦ ବାଲ୍ୟବସ୍ଥାରୁ ସଚୋଟ ଥିଲେ, ସେ ମକ୍କାରେ ସିଦ୍ଦିକ୍ ଅଥବା ସତ୍ୟବାଦୀ ନାମରେ ପରିଚିତ ଥିଲେ”।

ବନ୍ଧୁଗଣ ! ଆଜି ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମ ଙ୍କ ଜନ୍ମଜୟନ୍ତୀ ର ଶୁଭ ଅବସରରେ ତାଙ୍କ ଜୀବନ ଇତିହାସରେ ବର୍ଣିତ ଏକ ଅବିସ୍ମରଣୀୟ ଘଟଣା ଏଠାରେ ଉଲ୍ଲେଖଯୋଗ୍ୟ।
ଏକଦା ଜଣେ ବ୍ୟକ୍ତି ହଜରତ୍ ମୁହମ୍ମଦଙ୍କ ସେବାରେ ଉପସ୍ଥିତ ହୋଇ କହିଲା, ହେ ଅଲ୍ଲାଙ୍କ ରସୁଲ ! ମୋର ତିନୋଟି ଗୁରୁତର ଦୋଷ ରହିଛି। ମିଥ୍ୟା,ମଦିରା ପାନ ଓ ବ୍ୟଭିଚାର। ହୋଜୁର୍ ! ଏହିସବୁ ଦୋଷରୁ ମୁକ୍ତି ପାଇବା ପାଇଁ ମୁଁ ବହୁତ ପ୍ରୟାସ କରିଛି କିନ୍ତୁ ନିଜ ଚେଷ୍ଟାରେ ସଫଳ ହୋଇ ପାରିଲି ନାହିଁ ।

ଆପଣ କୈାଣସି ଉପାୟ ବତାନ୍ତୁ ଯଦ୍ୱାରା ଏସବୁ କାଳିମା ମୋ ଠାରୁ ଦୂର ହୋଇପାରିବ। ଏହା ଶୁଣି ମହାଭାଗ କହିଲେ “ତୁମେ ସେଥି ମଧ୍ୟରୁ କୈାଣସି ଗୋଟିଏ କୁକର୍ମ ଛାଡ଼ି ଦେବ ବୋଲି ମୋତେ କଥା ଦିଅ’ ତାହେଲେ ଅନ୍ୟ ଦୁଇଟିକୁ ମୁଁ ଛଡ଼ାଇ ଦେବି। ସେ ଲୋକଜଣକ କହିଲା, ମୁଁ ପ୍ରତିଶ୍ରୁତି ଦେଉଛି, କୁହନ୍ତୁ କେଉଁ କୁକର୍ମ କୁ ପରିତ୍ୟାଗ କରିବି ? ମହାଭାଗ ଉପଦେଶ ଦେଲେ ମିଥ୍ୟାକୁ ପରିହାର କର। ପୁଣି କିଛି ଦିନ ପରେ ସେ ଆସି କହିଲା ମହାଭାଗ, ଆପଣଙ୍କ ଉପଦେଶ ମୁଁ ପାଳନ କଲି, ଏବେ ମୋର ସବୁ ଦୋଷ ଦୂର ହୋଇଯାଇଛି। ପୈଗମ୍ବର ହଜରତ ମୁହମ୍ମଦ ପଚାରିଲେ କ’ଣ ହୋଇଛି ମୋତେ ବୁଝାଇ କୁହ । ତେବେ ସେ ବ୍ୟକ୍ତି ଜଣକ ଏହିପରି ବର୍ଣ୍ଣନା କଲା, ମୋ ମନରେ ଥରେ ମଦିରା ପାନ କରିବାକୁ ପ୍ରବଳ ଇଚ୍ଛା ହେଲା।

ମୁଁ ମଦ୍ୟପାନ ପାଇଁ ଉଦ୍ୟତ ହେବାବେଳେ ଚିନ୍ତା କଲି ଯେ ଯଦି ମୋ ବନ୍ଧୁମାନେ ମୋତେ ପଚାରିବେ ଯେ କ’ଣ ତୁମେ ମଦ୍ୟପାନ କରିଛ ? ତେବେ ମୁଁ ପୂର୍ବ ଅଭ୍ୟାସ ଭଳି ମିଛ ତ କହିବି ନାହିଁ, ଯେହେତୁ ଏବେ ମୁଁ ସତ କହିବାକୁ ପ୍ରତିଶ୍ରୁତି ଦେଇଛି, ଯଦି ମୁଁ ମଦ ପିଇଛି ବୋଲି କହେ ତେବେ ସେମାନେ ମୋଠାରୁ ପୃଥକ ହୋଇଯିବେ, ଆଉ ଯଦି ମୁଁ ନାହିଁ କରିବି ତା’ହେଲେ ମୋତେ ମିଥ୍ୟା କହିବାର ପାପ ଲାଗିବ, ଯାହା କରିବି ନାହିଁ ବୋଲି ମୁଁ ସଂକଳ୍ପ କରିଛି। ସୁତରାଂ ମୁଁ ମନରେ ସ୍ଥିର କଲି ଯେ ବର୍ତ୍ତମାନ ପାଇଁ ମୁଁ ମଦ୍ୟପାନ କରିବି ନାହିଁ।

ସେହିପରି ମୋ ହୃଦୟରେ ବ୍ୟଭିଚାର କରିବା ସମ୍ବନ୍ଧରେ ଦ୍ୱନ୍ଦ ଉପୁଜିଲା ଯେ ମୋର ମିତ୍ରଗଣ ମୋତେ ପଚାରିଲେ ମୁଁ କି ଉତ୍ତର ଦେବି ? ଯଦି ମୁଁ କହିବି ଯେ ମୁଁ ବ୍ୟଭିଚାର କରିଛି , ତା’ହେଲେ ସେମାନେ ମୋଠାରୁ ଦୂରେଇ ଯିବେ, ଯଦି ନାହିଁ କହିବି ତେବେ ମିଥ୍ୟା ହେବ ଯାହାକି ନକହିବା ପାଇଁ ମୁଁ କଥା ଦେଇ ସାରିଛି। ଏହିପରି ଭାବେ ମୋ ହୃଦୟ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଲା । ଏହି ଦୁଇଟି ମନ୍ଦ ଅଭ୍ୟାସରୁ ବଞ୍ଚିତ ହୋଇ ରହିବା ଯୋଗୁଁ ମୋ ମନରେ ସେହି କର୍ମ ପ୍ରତି ଆଉ ଆକର୍ଷଣ ରହିଲା ନାହିଁ ବରଂ ସେଥିପ୍ରତି ଘୃଣାଭାବ ମନରେ ଜାଗ୍ରତ ହେଲା। ଫଳତଃ ସତ୍ୟକୁ ସ୍ୱୀକାର କରିଥିବା ଯୋଗୁଁ ଅବଶିଷ୍ଟ ପାପରୁ ମୁଁ ମୁକ୍ତି ପାଇଲି।

ତେବେ ଆସନ୍ତୁ ମହାପୁରୁଷ ମୁହମ୍ମଦଙ୍କ ଜନ୍ମଜୟନ୍ତୀର ଶୁଭ ଅବସରରେ ସଂକଳ୍ପ ନେବା ତଥା ସତ୍ୟ ପଥରେ ଆଗେଇଯିବା।
ଅସତ୍ୟ ପଥକୁ ତେଜିଣ ସତ୍ୟ କର ଅର୍ଜନ
ସତ୍ୟରେ ଜିଣିବା ଜଗତ ଏହା ନିଶ୍ଚୟ ଜାଣ

✍🏿 ଅନସାର୍ ଅଲୀ ଖାଁ , ଢେଙ୍କାନାଳ,
୧୯.୧୦.୨୦୨୧

new life
You might also like
error: Content is protected !!