News
WhatsApp Image 2023-10-04 at 17.25.00
samparksetu

ପହଞ୍ଚିଛି ଶୀତ

ଭଗ୍ନ ଅଥବା ଚାକଚକ୍ୟ ମନ୍ଦିର
ଆଉ ତା’ ଭିତରେ ଥିବା ପ୍ରସ୍ତର ମୂର୍ତ୍ତି ,
ଦେବତା ମଧ୍ୟ ଶୀତରେ ଘୋଡେଇ ହୋଇଥିବେ
ସଦ୍ୟଫୁଟା ସୁଗନ୍ଧ ଫୁଲ ଗୁଡିକୁ ।
କାକରରେ ଭିଜିବାକୁ ଡରିଥିବ ଝିଣ୍ଟିକା
ଭୋକ ବିକଳରେ ଆମ ଗୁହାଳ ପାଖ
କଂକ୍ରିଟରେ ଶୋଇଥିବ ସେ ଗେମେଣା ଷଣ୍ଢ ।
ଖବର ଆସିବ ଅମକ ବୁଢ଼ୀ ଚାଲିଗଲା
ଅମୁକ ଜଣକ ଦେହର ଚାଦରଟି ଖୋଲୁ ଖୋଲୁ
ବସ୍ ଟି ଚାଲିଲା ଆଗକୁ ,
ଆହୁରି ଆଗକୁ ।

ଏହା ମଧ୍ୟ ହେବ କି !
ଦାମ ଓ ପୁହାଣ ଘର ପୁଅ ଗୁଡାକ
ସ୍କୁଲ ନଯାଇ କୋଉ ଅଳିଆ ରେ ନିଆଁ ଧରାଇଛନ୍ତି ?
ଦେଖ, ଦେଖ !
କେତୋଟି ମଲା ମେନ୍ତେରୀ ବୁଢ଼ୀକୁତ୍ତି
ରାଜୁତି କଲେଣି ସେ ନିଆଁ ପାଖରେ ।
ଶୀତ କେବଳ ଏମାନଙ୍କୁ ନୁହେଁ
ରାତିସାରା ଖଟି ଖଟି ଗରମ ହୋଇପଡିଥିବା
ପଇ ମଉସା ଭଙ୍ଗା ଟ୍ରେକରକୁ ବି ଥରାଇ ଦିଏ ।
ଏମିତିକି ସ୍ୱାଧୀନତା ନ ଥାଏ ରାସ୍ତା ଧୂଳିର
ପବନରେ ଉଡିଉଡି ନିଜ ଇଛାରେ
ଦୂଷିତ କରିବାକୁ ମଣିଷଙ୍କ ଦୁନିଆ,
ଏ ଶୀତ ମାଡିବସିଛି ସାରା ଆତ୍ମାକୁ ।

ହେଲେ ମୋର ବିଶ୍ୱାସ ହେଉନି
ଏବେ ମଧ୍ୟ ସଂସାରରେ ଦୁଇଜଣ ବାକିଥିବେ
ଆମ ଗାଁ ସନା ସେଣ୍ ର ବିଧବା
ଆଉ ତା’ ନ’ମାସିଆ ଛୁଆଟି ।
ସତରେ ଏମାନଙ୍କୁ କଣ ଶୀତ ଛୁଇଁଥିବ ?
ସନା ପରେ ସେ କେବେ ଦେଖିନି ଶୀତ କି ବସନ୍ତ
ଦେଖିଛି କେବଳ ଟିଙ୍କ ଭଳି ଲାଗିଥିବା ଛୁଆ ଟି ।
ଏବେ ଶୀତ ନ ଥିବ ‘ମା’ ର ଛିଣ୍ଡା ବିଛଣା
ଅଥବା ଫୁଙ୍ଗୁଳା ଛୁଆ ପାଟି କି ପିଚାରେ ।
ଅନାୟାସରେ ସେ ତା ଶାଢ଼ୀ ବ୍ଲାଉଜ ଖୋଲିଦେଇ
ଜାକିଧରିଥିବ ସନ୍ତକଟିକୁ
ଆଉ ସେ ଶୀତ… ?
ତାର କ’ଣ ଲାଜ ସରମ ନାହିଁ ବୋଲି ଭାବୁଛ !
ସେ ନ ଥିବ ସେଠାରେ ,
ମାଡି ବସିଥିବ ସାରା ପୃଥିବୀକୁ ,
ମା’ କୁ ନୁହେଁ ।
ଶୀତ ର ବି ମା ଥିବ
ଦେଖୁନ !
କେମିତି ଲୁହ ଜକେଇଲାଣି ସେ ମଇପିର
ଆଉ ଶୀତ ଏବେ ସେ ଘରେ ନ ରହି
କେମିତି ବିଞ୍ଚିଚାଲିଛି ଲୁହକୁ କାକର ବୁନ୍ଦା କରି
ସେ ମାରଣା ଷଣ୍ଢ ଉପରେ !
               

✍️ହିମାଂଶୁ ଭୂଷଣ ସାହୁ

new life
You might also like
error: Content is protected !!