News
WhatsApp Image 2023-10-04 at 17.25.00
samparksetu

ଗୁଣ୍ଡିଚାପଡ଼ା ପାଲା ମଣ୍ଡପ ଠାରେ ସର୍ବ ଧର୍ମ ଶାନ୍ତି ସମ୍ମିଳନୀ

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ପାଲା ମଣ୍ଡପଠାରେ ବିଶ୍ଵବ୍ୟାପୀ ଅହମ୍ମଦିୟା ମୁସଲିମ୍ ସମୁଦାୟ ଆନୁକୁଲ୍ୟରେ ବାର୍ଷିକ ବାଦି ପାଲା ର ଶୁଭ ଅବସରରେ ଏକ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଗୁଣ୍ଡିଚାପଡ଼ା ଗ୍ରାମ ପରିଚାଳନା କମିଟିର ସଦସ୍ୟ ତଥା ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଅହମ୍ମଦିୟା ମୁସଲିମ ସମୁଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମନ ଅଲ୍ଲୀ ଖାଁ ଏହି କାର୍ଯ୍ୟକ୍ରମର ପୌରହିତ୍ୟ କରିଥିଲେ। ପ୍ରମୁଖ ବକ୍ତା ଭାବେ ଅହମ୍ମଦିୟା ସମୁଦାୟର ପ୍ରତିନିଧି ମୌଲବୀ ଶେଖ ହାରୁନ ରଶୀଦ ତଥା ମୌଲବୀ ସୟଦ ଫଜଲେ ନଈମ ଯୋଗ ଦେଇ ବିଶ୍ଵ ଶାନ୍ତି ତଥା ବିଶ୍ଵ ଭ୍ରାତୃଭାବ ଉପରେ ଆଲୋକପାତ କରିଥିଲେ। ଏହି ଶାନ୍ତି ସମ୍ମିଳନୀରେ ବକ୍ତା ମାନେ ବିଶ୍ଵରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ତା’ର ମୌଳିକତା ବିଷୟରେ ଆଲୋଚନା କରିଥିଲେ। ବକ୍ତା ମାନେ କହିଥିଲେ, ଆଜିର ଦୁନିଆ ଏକ ଅଶାନ୍ତ ଝଡ଼ର ତାଣ୍ଡବରେ ଦୋଦୁଲ୍ୟମାନ ଅବସ୍ଥା ଦେଇ ଗତି କରୁଛି, ଅହମ୍ମଦିୟା ସମୁଦାୟ ଏକ ବିଶ୍ବବ୍ୟାପ୍ତ ଧାର୍ମିକ ସମ୍ପ୍ରଦାୟ ହୋଇଥିବାରୁ ଏହାର ପ୍ରଥମ ଆଭିମୁଖ୍ୟ ହେଲା ବିଶ୍ୱକୁ ଶାନ୍ତି ପ୍ରତିଷ୍ଠା ଦିଗରେ ମାର୍ଗ ଦର୍ଶନ କରାଇବା ।

ଇସଲାମ ଧର୍ମର ଉଦ୍ଦେଶ୍ୟ ହେଲା ମନୁଷ୍ୟକୁ ତା’ର ସୃଷ୍ଟି କର୍ତ୍ତା ସର୍ବଶକ୍ତିମାନ ଈଶ୍ଵରଙ୍କ ସହିତ ସଂପର୍କ ସ୍ଥାପନ କରି ପ୍ରକୃତ ଶାନ୍ତି ହାସଲ କରିବା । ମୌଲବୀ ରଶୀଦ କହିଥିଲେ, ଜାତି – ବର୍ଣ୍ଣ – ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ଏକ। ଆମ ସୃଷ୍ଟି କର୍ତ୍ତା ଆମ ମାନଙ୍କ ଭିତରେ କୌଣସି ପାର୍ଥକ୍ୟ କରିନାହାନ୍ତି। ସୂର୍ଯ୍ୟ ଆମ ମାନଙ୍କୁ ନିଜର ସମାନ ଆଲୋକରେ ଆଲୋକିତ କରୁଛନ୍ତି। ଚନ୍ଦ୍ର ନିଜ ସ୍ନେହମୟୀ ଦୃଷ୍ଟିରେ ଆମ ସମସ୍ତଙ୍କୁ ଦେଖୁଅଛି, ପ୍ରକୃତି ନିଜ ନିୟମ ଆମ ସମସ୍ତଙ୍କ ପାଇଁ ସମାନ ଭାବରେ ପାଳନ କରୁଅଛି। ତେବେ ଆମେ ମଧ୍ୟ ସମାନତା ଏବଂ ନିରପେକ୍ଷତାକୁ ଗୁରୁତ୍ବ ଦେବା ଉଚିତ ।

କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ବିବରଣୀ ଦେଇ ଅହମ୍ମଦିୟା ମୁସଲିମ ସମୁଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମନ ଅଲ୍ଲୀ ଖାଁ କହିଥିଲେ, ଅହମ୍ମଦିୟା ସମ୍ପ୍ରଦାୟର ବର୍ତ୍ତମାନ ଖଲିଫା, ପରମ ପାବନ ହଜରତ ମିର୍ଜା ମସରୁର ଅହମ୍ମଦ କହନ୍ତି :- ଯଦି ଆମେ ପ୍ରକୃତ ଶାନ୍ତି ଚାହୁଁଛେ, ତେବେ ଆମକୁ ନ୍ୟାୟ ସହିତ କାର୍ଯ୍ୟ କରିବାକୁ ହେବ । ଇସଲାମ ଧର୍ମଗୁରୁ ମହାମାନ୍ୟ ପୈଗମ୍ବର ହଜରତ ମୁହମ୍ମଦ ଏକ ସୁନ୍ଦର କଥାଟିଏ କହିଥିଲେ ଯେ ଆମେ ନିଜ ପାଇଁ ଯାହା ପସନ୍ଦ କରୁଛେ, ତାହା ଅନ୍ୟମାନଙ୍କ ପାଇଁ ମଧ୍ୟ ପସନ୍ଦ କରିବା ଏବଂ ଯେପରି ଆମେ ନିଜର ଅଧିକାର ପାଇଁ ପ୍ରୟାସ କରୁଛେ, ସେହିଭଳି ଅନ୍ୟର ଅଧିକାରକୁ ଦେବା ପାଇଁ ପ୍ରୟାସ କରିବା, ନିଜର କଲ୍ୟାଣ କାମନା କରିବା ସହ ବିଶ୍ଵର କଲ୍ୟାଣ କାମନା କରିବା ମଧ୍ୟ ଉଚିତ । ଏ ସବୁ ପ୍ରକ୍ରିୟା ବର୍ତ୍ତମାନ ଯୁଗରେ ଶାନ୍ତି ପ୍ରତିଷ୍ଠା କରିବାର ମାଧ୍ୟମ ଅଟେ ।

ଏହି ଅବସରରେ ଗୁଣ୍ଡିଚାପଡ଼ା ଗ୍ରାମ ପରିଚାଳନା କମିଟିର ସଭାପତି ଶ୍ରୀ ଶିଖର ଚନ୍ଦ୍ର ସାହୁ ଅନ୍ୟ ମହାନୁଭବ ବ୍ୟକ୍ତିବିଶେଷ ସର୍ବଶ୍ରୀ ଗାୟକ ପ୍ରବୀର ସନାତନ ଦାଶ (ଜଗତସିଂହପୁର) , ଗାୟକ ଯୁବ ସମ୍ରାଟ ନୃସିଂହ ଚରଣ ହୋତା (ବଡ଼ମ୍ବା), ମିନକେତନ ସାହୁ, ଶେଖ ମନସୁର , ଅଭୟ କୁମାର ବେହେରା, ମୌଲବୀ ଇସ୍ରାଫିଲ ଆଦି ଉପସ୍ଥିତ ଥିଲେ। କାର୍ଯକ୍ରମ ଟିକୁ ସ୍ୱଦେଶ ରଞ୍ଜନ ସାହୁ ଉପସ୍ଥାପନା କରିଥିଲେ।

new life
You might also like
error: Content is protected !!