ସାତ ବର୍ଷ ମଧ୍ୟରେ ୧୨୫ ଦିନ ଧାରଣା ଓ ୧୭ ଦିନ ଆମରଣ ଅନଶନ ପରେ ବି କିଛି ସୁଫଳ ମିଳି ନାହିଁ। ଶେଷରେ ଅଭିନବ ଉପାୟରେ କାନ ଧରି ପ୍ରତିବାଦ କରିଛନ୍ତି।
ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ ପଦବୀ ପୂରଣ ନିମନ୍ତେ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଦାବି କରି ଆସୁଛନ୍ତି ଓଡ଼ିଶାର ଓ.ଏସ.ଏସ.ଟି.ଇ.ଟି. ର ସଦସ୍ୟ। ୨୦୧୬ ମସିହାରୁ ୨୦୧୯ ମସିହା ମଧ୍ୟରେ ୧୦,୦୦୦ ପାଖାପାଖି ତାଲିମ ପ୍ରାପ୍ତ ଶିକ୍ଷକ ବେକାର ହୋଇ ବସିଛନ୍ତି।
କିଛି ମାସ ପୂର୍ବରୁ ୪୪୫୫ ଜଣ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ ନିଯୁକ୍ତି ନିମନ୍ତେ ଅର୍ଥବିଭାଗ ମଞ୍ଜୁର ହୋଇଛି। କରୋନା ସମୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଥିବା ବେଳେ ଅନେକ ବିଦ୍ୟାଳୟରେ ଏହି ଶିକ୍ଷକ ପଦବୀ ଖାଲି ପଡ଼ିଛି। ତେଣୁ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ନିମନ୍ତେ ତ୨୦-୮-୨୦୨୧ ସୁଦ୍ଧା ବିଜ୍ଞାପନ ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏହା ଛଡ଼ା ଅନ୍ୟ ପ୍ରତିଯୋଗିତା ପ୍ରଶ୍ନପରି ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବା, ପରୀକ୍ଷାର ମୂଲ୍ୟାୟନ ଦୁଇ ଭାଗରେ ନକରି ସମ୍ପୂର୍ଣ୍ଣ ମାର୍କକୁ ନେଇ ଚୟନ କରିବା ସହ କେବଳ ପାଠ୍ୟପୁସ୍ତକରୁ ପ୍ରଶ୍ନ ତିଆରି କରିବାକୁ ଦାବି କରିଥିଲେ। ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ଆବାସ ନିକଟରେ ଅନଶନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
