ଆମ ସୁନି ଆଈ
ସୁନି ଆଈ ଆମ
ନଇଁ ନଇଁ ଚାଲେ
ଧରି ସେ ବଙ୍କୁଲି ବାଡ଼ି
ଖଳ ଲୋକ କିଛି
ସହିପାରନ୍ତିନି
ପାଖରୁ ଦିଅନ୍ତି ତଡ଼ି ||
ସୁନି ଆଈ ଟାର
ପିଲା ପିଲି ନାହିଁ
ହୁଅଇ ତା ପାଇଁ କାଳ
କୁହନ୍ତି ସଭିଏଁ
ଅଲକ୍ଷଣି ତାକୁ
ଶୂନ୍ୟ ବୋଲି ତା’ର କୋଳ ||
ସନିଆ ଅଜାଟା
ଦୁଇ ବର୍ଷ ହେବ
ଯାଇଛନ୍ତି ବୋଲି ମରି
ସୁନି ଆଈ ମନ
ଭଲ ରହୁ ନାହିଁ
ଖୁସି ଯାଇଛି ତା ସରି ||
ଏକ ଘରକିଆ
ହୋଇଯାଇଛି ସେ
ମନେ ନାହିଁ ତା’ର ଦୁଃଖ
ଦିନ ରାତି ବସି
ଠାକୁରଙ୍କୁ ଡ଼ାକେ
ପାଇଯିବ କାଳେ ମୋକ୍ଷ ||
କୁନା କୁନି ମାନେ
ଆଈ ଆଈ ବୋଲି
ଛାଡ଼ନ୍ତିନି ତା’ର ପାଶ
ନିଇତି ସନ୍ଧ୍ୟାରେ
ଗପ ଶୁଣି ଶୁଣି
ମୁଖେ ଆସେ ତାଙ୍କ ହସ ||
ଦରକାର ବେଳେ
ସାହାଯ୍ୟ କରେ ସେ
ମନେ ନାହିଁ ତିଳେ ହିଂସା
ସ୍ୱାର୍ଥପର ଲୋକ
ସାହାଯ୍ୟ ଭୁଲନ୍ତି
ହୋଇଯାଏ ଲୋକ ହସା ||
ସୁନି ଆଈ ପରି
ଆଉ କେହି ନାହିଁ
ଆପଣା ର ମନେ ହୁଏ
ପାକୁଆ ପାଟିରେ
ହସି ହସି ସିଏ
ନିନ୍ଦା ଅପବାଦ ସହେ ||
ବିଜ୍ଞାନ ଯୁଗ ଏ
କହି ହୁଏ ଆମେ
ବଦଳିନି ଚିନ୍ତାଧାରା
ଶିକ୍ଷିତ ହୋଇ କି
ଅଶିକ୍ଷିତ ଭଳି
ବ୍ୟବହାର ଆମ ପରା ||
ମାନବ ଜାତି ବି
ହୋଇକରି ଆମେ
ନାହିଁ ମାନବିକ ଗୁଣ
ପଶୁ ପକ୍ଷୀ ମାନେ
ପାଇଲେ ସାହାଯ୍ୟ
ସୁଝି ଦେବେ ମଧ୍ୟ ଋଣ ||
✍️ବିକାଶ କୁମାର ହୋତା