ରାଜ୍ୟ ସ୍ତରୀୟ ସାଇନ୍ସ ସେମିନାରରେ ଟପ୍ପର ହୋଇ ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିବା , ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଞ୍ଚାୟତିରାଜ ହାଇସ୍କୁଲ, କାନପୁରାର ଛାତ୍ରୀ ସ୍ବାତୀ ସ୍ବାଗତିକା ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତା ୨୬ ତାରିଖରେ ମୁମ୍ବାଇର ନେହରୁ ବିଜ୍ଞାନ କେନ୍ଦ୍ରରେ ନାସନାଲ୍ ସାଇନ୍ସ ସେମିନାରର ଜାତୀୟ ସ୍ତରୀୟ ସେମିନାର ଆୟୋଜନ ହେବ । ଆର୍ଟି ଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ସମ୍ପର୍କିତ ସାଇନ୍ସ ସେମିନାରରେ ଜାତୀୟ ସ୍ତରରେ ଏବେ ପ୍ରତିନିଧିତ୍ବ କରିବେ ସ୍ବାତୀ ସ୍ବାଗତିକା । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରିଥିବା ସ୍ବାତୀ ସ୍ବାଗତିକା ମହାପାତ୍ର ଏହି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ । ସ୍ବାତୀ ସ୍ବାଗତିକାଙ୍କ ସହିତ ପଞ୍ଚାୟତିରାଜ ହାଇସ୍କୁଲ, କାନପୁରାର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ମୁମ୍ବାଇ ଗସ୍ତ କରୁଛନ୍ତି । ଏହି ଅବସରରେ ସ୍ବାତୀ ସ୍ବାଗତିକାଙ୍କୁ ଆଶିର୍ବାଦ ଦେବା ସହିତ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ।
କାମାକ୍ଷାନଗର ବ୍ଲକର ପଞ୍ଚାୟତିରାଜ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ସ୍ବାତୀ ସ୍ବାଗତିକା ମହାପାତ୍ର । ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ସେ ବେଶ୍ କନଫିଡେଣ୍ଟ ଥିବା କହିଛନ୍ତି । ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ସ୍ବାତୀଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଇଛନ୍ତି ବିଜ୍ଞାନ ଶିକ୍ଷକ ଧ୍ରୁବ ଚରଣ ସୁନ୍ଦରାୟ ଏବଂ ଚନ୍ଦ୍ରମଣି ଲେଙ୍କା । ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ପ୍ରେରଣା ତଥା ମାର୍ଗଦର୍ଶନରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ଗୌରବ ଆଣିଥିବା ସ୍ବାତୀ, ଜାତୀୟ ସ୍ତରରେ ରାଜ୍ୟର ଟେକ ରଖିବା ନେଇ ଆଶାବାଦି ଥିବା କହିଛନ୍ତି । ଆସନ୍ତା ୨୬ ତାରିଖରେ ସ୍ବାତୀ ସ୍ବାଗତିକା ମୁମ୍ବାଇରେ ନାସନାଲ ଲେବଲ୍ ସାଇନ୍ସ ସେମିନାରରେ ଅଂଶଗ୍ରହଣ କରିବେ । ପ୍ରଧାନ ଶିକ୍ଷକଙ୍କ ସହିତ ସ୍ବାତୀ , ଭୁବନେଶ୍ବରରୁ ବିମାନ ଯୋଗେ ମୁମ୍ବାଇ ଯାତ୍ରା କରିଛନ୍ତି । ସ୍ବାତୀଙ୍କ ସଫଳତା ନେଇ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସମସ୍ତ ସହପାଠୀ ।