ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତରୁ ଗ୍ରାମ ରୋଜଗାର ସେବକ(ଜିଆରଏସ)ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅମିତା ସାହୁ ଚଞ୍ଚକତା କରି ଲେବର ଟଙ୍କା ହଡପ କରିଥିବା ନେଇ ଅଭିଯୋଗ କରିଛନ୍ତି ହିତାଧିକାରୀ । କେବଳ ସେତିକି ନୁହେଁ ଜଣେ ଲୋକଙ୍କ ନାମରେ ରହିଛି ତିନି ତିନୋଟି ଜବ କାର୍ଡ । କେଉଁଠି ଘର କାମ ସମ୍ପୂର୍ଣ୍ଣ ନହୋଇ ବିଲ ହେଉଛି ତ ,କେଉଁଠି ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ପ୍ରୋତ୍ସାହିତ ଲେବର ଟଙ୍କା ଅନ୍ୟ ମାନଙ୍କ ଏକାଉଣ୍ଟକୁ ଯାଉଛି ।
ଯାହାକୁ ନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ହିତାଧିକାରୀ । ଥରେ ନଜର ମାରନ୍ତୁ ଜବ କାର୍ଡ ନଂ OR-07-007-009-002/29409 ,29412 ଏବଂ 29413 କାର୍ଡ ଉପରେ । ନାଁ ରହିଛି ଅଭୟ ପରିଡା ପିତା-କ୍ଷେତ୍ରବାସୀ ପରିଡା । ତିନିଗୋଟି ଅଲଗା ଅଲଗା ରେଜିଷ୍ଟ୍ରେସନ ନମ୍ବର ଥିବା ଜବ କାର୍ଡ ଗୋଟିଏ ନାଁରେ । କେବଳ ଜବ କାର୍ଡ ଘୋଟାଲା ନୁହେଁ ବରଂ ମାଡାମ ସବୁ କିଛି ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ହୋଇଛି ।
ଗରିବ ହିତାଧିକାରୀଙ୍କ ଟଙ୍କାକୁ ଅନ୍ୟ ଜବ କାର୍ଡ ଏକାଉଣ୍ଟକୁ ପଠେଇ ମାଡାମ ଟଙ୍କା ହଡପ କରୁଥିବା ସାମ୍ନାକୁ ଆସିଛି । ଏ ନେଇ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଅଭିଯୋଗ ପାଇବା ପରେ ପରଜଙ୍ଗ ବିଡ଼ିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
