କରୋନା କାଳରେ ରାଜ୍ୟ ପାଇଁ ଏହା ସବୁଠାରୁ ବଡ଼ ଖୁସୀ ଖବର। ଆଜି କରୋନା ଭ୍ୟାକ୍ସିନ କୋଭିସିଲ୍ଡ ଭୁବନେଶ୍ୱରରେ ଆସି ପହଞ୍ଚିଛି।
ପୁଣେ ସ୍ଥିତ ସେରମ ଇନ୍ଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆଜି ଟିକା ଆସିଛି । ଟିକା ପହଁଚିବା ପରେ ଟିକା କାଢ଼ି ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଛି।
ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସେହିପରି ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଓ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର କରିବାକୁ ନିଷ୍ପତି ହୋଇଛି ।
ବିମାନବନ୍ଦରରେ ପହଞ୍ଚିବା ପରେ ଟିକା ଗୁଡ଼ିକୁ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯାଇଛି। ଏହା ପରେ କୋଭିସିଲ୍ଡକୁ ପ୍ରତି ଜିଲ୍ଲାର ଟିକା କେନ୍ଦ୍ରକୁ ପଠାଯିବ।
ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର ୪୦ ହଜାର ୮ଶହ ଭାଏଲ୍ (ଛୋଟ ବୋତଲ୍) ଆସିଛି । ଗୋଟିଏ ବୋତଲରେ ଯେଉଁ ପରିମାଣରେ ଔଷଧ ରହିଛି ତାହା ୧୦ ଜଣଙ୍କୁ ଦିଆଯାଇ ପାରିବ । ହିସାବ ଅନୁସାରେ, ରାଜ୍ୟରେ ସମୁଦାୟ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ପହଞ୍ଚିଛି। ଆଜି ଯେତିକି ଟିକା ଆସିଛି ତାହା ୧ ଲକ୍ଷ ୯୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇପାରିବ । ପ୍ରଥମ ପର୍ଯ୍ୟାୟ ଟୀକାକରଣ ଲାଗି ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ । ଯେଉଁ ସବୁ ଜିଲ୍ଲାରେ କୋଭିଡ ସ୍ଥିତି ସଙ୍ଗୀନ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ ।
