News
lipub
samparksetu

ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ ଶିବିର

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଭାରତ ସରକାରଙ୍କ ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିସର୍ସ କୋଅପରେଟିଭ୍ ଲିମିଟେଡ଼ (ଏଫ୍‌ଆଇଏସ୍‌ଏଚ୍‌ଓସିଏଫ୍‌ଇଡ଼ି) ସହଭାଗିତାରେ ଚାଷୀମାନଙ୍କ ପାଇଁ ମତ୍ସ୍ୟ ଚାଷ ଉପରେ ଏକ ପ୍ରଶିକ୍ଷଣ ତଥା ପରିଦର୍ଶନ ଯାତ୍ରା ଆୟୋଜିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରରେ ଅବସ୍ଥିତ କମ୍ପାନୀର କାରଖାନା ପାଶ୍ୱର୍ବର୍ତୀ ୧୧ଟି ଗ୍ରାମର ୭୧ ଜଣ ଚାଷୀ ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣରେ ମାଛ ପାଳନ, ଔଷଧ ଏବଂ ସେମାନଙ୍କ ଯତ୍ନ, ପୋଖରୀର ଉପଚାର, ବିଭିନ୍ନ ପ୍ରକାର ରୋଗ ଓ ଏହାର ଚିକିତ୍ସା, ଜଳର ପରୀକ୍ଷଣ ଉପାୟ, ଉପଯୁକ୍ତ ଅମଳ ସମ୍ପର୍କିତ ରଣନୀତି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା । ଢେଙ୍କାନାଳ ଜିଲ୍ଲା ମତ୍ସ୍ୟ ଚାଷ ଅଧିକାରୀ ଶ୍ରୀ ପ୍ରଦୀପ୍ତ କିଶୋର ଭୂୟାଁ ଏବଂ ଅନୁଗୁଳର ଜିଲ୍ଲା ମତ୍ସ୍ୟ ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତି ବବିତା ମହାନ୍ତି ଏହି ପ୍ରଶିକ୍ଷଣରେ ଯୋଗ ଦେଇ ମତ୍ସ୍ୟ ଚାଷ ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ମାଗଦର୍ଶନ କରିବା ସହିତ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଉକ୍ତ ପ୍ରଶିକ୍ଷଣ ଅନ୍ତର୍ଗତ ଚାଷୀମାନଙ୍କୁ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକ୍‌ର ଯୋରନ୍ଦାଠାରେ ଅବସ୍ଥିତ ମତ୍ସ୍ୟ ଚାଷ ଫାର୍ମକୁ ପରିଦର୍ଶନ ନିମନ୍ତେ ନିଆଯାଇଥିଲା । ସେଠାରେ ସେମାନେ ସ୍ଥାନୀୟ ସଫଳ ମତ୍ସ୍ୟ ଚାଷ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବା ସହିତ ଉକ୍ତ ଚାଷ ଉପରେ ପ୍ରାଥମିକ ଜ୍ଞାନ ହାସଲ କରିଥିଲେ । କୁରୁଂଟି, କୁସୁପଙ୍ଗା, ତାଳବାହଲ, ଇଟାପ, ଗଣ୍ଠିଗାଡ଼ିଆ, ନୂଆଗାଁ, କୋଚିଲାମଡ଼ା, ଶିବପୁର, ନରେନ୍ଦ୍ରପୁର, ସରପା, ରଘୁନାଥପୁରକୁ ମିଶାଇ ମୋଟ ୧୧ଟି ଗ୍ରାମର ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଟାଟା ଷ୍ଟିଲର ସିଏସ୍‌ଆର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସର୍ବେଶ୍ୱର ନାଥ ଚାଷୀମାନଙ୍କ ସହିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ଥାନୀୟ ଗ୍ରାମବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର କାରଖାନା ପାଶ୍ୱର୍ବର୍ତୀ ୯ଟି ଗ୍ରାମରେ ମତ୍ସ୍ୟ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଆସୁଛି । ମତ୍ସ୍ୟ ଚାଷରେ ନିୟୋଜିତ ଥିବା ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦନ ବୃଦ୍ଧିରେ ସହାୟତାସ୍ୱରୁପ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହା ସହିତ ସେମାନଙ୍କୁ ମାଛର ଖାଦ୍ୟ, ମାଛ ଯାଅଁଳ, ଔଷଧ ଯୋଗାଇ ଦିଆଯିବା ସହିତ ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିସର୍ସ କୋଅପରେଟିଭ୍ ଲିମିଟେଡ଼ଙ୍କ ବିଶେଷଜ୍ଞଙ୍କ ଦ୍ୱାରା ସେମାନଙ୍କ ମାର୍ଗଦର୍ଶନ କରାଯାଉଛି ।

new life
You might also like
error: Content is protected !!