ମନେ ପଡେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଓ ପାଞ୍ଚାଳୀଙ୍କର ନିବିଡ଼ ସମ୍ପର୍କ । ବସ୍ତ୍ର କାନିଟିଏ ପାଇଁ ଅଜସ୍ର ବସ୍ତ୍ରର ସାହାଯ୍ୟ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଆଜିର ସମାଜରେ ସେମିତି ଜଣେ ପାଞ୍ଚାଳୀ ଅଛନ୍ତି ଯିଏକି ଦୁଃଖ ଦରିଆରେ କାଳାତିପାତ କରୁଛନ୍ତି ଏବଂ ଗୋବିନ୍ଦ ତାଙ୍କୁ ଛାଡି ଆରପାରିରେ। ଦେଖନ୍ତୁ ଏକ ଦୁଃଖ ଭରା ଦୁଃଖିନୀର କରୁଣ କାହାଣୀ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ କଙ୍ଗେଇଲୋ ଗାଁ । ଗାଁରେ ବାସ କରନ୍ତି ୬୫ ବର୍ଷୀୟା ବୃଦ୍ଧା ପାଞ୍ଚାଳୀ ପରିଡା । ଆଜକୁ ୧୦ ବର୍ଷ ତଳେ ସ୍ୱାମୀ ଗୋବିନ୍ଦ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ପରିବାର କହିଲେ ଏକମାତ୍ର ପୁଅ ଦଣ୍ଡଧର ପରିଡା ଏବଂ ବୃଦ୍ଧା ପାଞ୍ଚାଳୀ । ସ୍ୱାମୀ ମୃତ୍ୟୁ ପରେ ସତେ ଯେପରି ପରିବାରର ମେରୁଦଣ୍ଡ ଭାଙ୍ଗିଗଲା । ଆଉ ଆରମ୍ଭ ହୋଇଗଲା ଦାରୁଣ ଦୁଃଖ ।
ଗରିବୀ ଜୀବନ ସାଙ୍ଗକୁ ବାର୍ଦ୍ଧକ୍ୟ ସମ୍ପୂର୍ଣ ପାଞ୍ଚାଳୀଙ୍କ ପରିବାରକୁ ନିଃସହାୟ କରି ଦେଇଛି । ଭଙ୍ଗା କୁଡ଼ିଆରେ ବିତୁଛି ଅଭିଶପ୍ତ ଜୀବନ । ସତରେ ଗରିବ ହୋଇ ଜନ୍ମ ନେବା କଣ ପାପ ! ଗରିବ ନିଃସହାୟ ମାନଙ୍କ ପାଇଁ ସରକାର ଅନେକ ଜନ ହିତକର ଯୋଜନା କରିଛନ୍ତି । କିନ୍ତୁ ଅସହାୟ ପାଞ୍ଚାଳୀ ଆଜି ସରକାରୀ ସହାୟତାରୁ ବଂଚିତ । ୫ କିଜିଆ ଚାଉଳ ହେଉଛି ତାଙ୍କ ଭାତ ହାଣ୍ଡି । ପେଟ ପୋଷିବା ପାଇଁ ଶେଷରେ ପର ପାଖରେ ମୂଲ ଲାଗି ପରିବାର ପ୍ରତି ପୋଷଣ କଲେ ପାଞ୍ଚାଳୀ ।
ହେଲେ ବୟସର ଅପରାହ୍ନରେ ଥିବା ପାଞ୍ଚାଳୀ ଏ ଦାରୁଣ କଷ୍ଟକୁ ଆଉ ସହ୍ୟ କରି ପାରୁ ନାହାଁନ୍ତି । ଶେଷରେ ଦିନରେ ସୁରୁଜ ରାତିରେ ତାରା ଦେଖା ଯାଉଥିବା ଘର ଖଣ୍ଡିକ ଲଗାଣ ବର୍ଷା କାରଣରୁ ଭୁଶୁଡି ପଡିଲା । ଏବେ ପେଟର ଦୁଃଖ ସାଙ୍ଗକୁ ରହିବାର ଦୁଃଖ ଦ୍ୱିଗୁଣିତ କରି ଦେଇଛି ।
ଘରଟିଏ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଫଳ ଶୂନ୍ୟ । ଶେଷରେ ଆଶା ଛାଡି ଦେଲେଣି ପଞ୍ଚାଳୀ । ବାରମ୍ବାର ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିବା ସହ ନିଜ ଗୁହାରି ଜଣେଇଥିଲେ ମଧ୍ୟ ଶୁଣିବାକୁ କେହି ନାହାଁନ୍ତି । ପାଞ୍ଚାଳୀଙ୍କ ଏହି ଦୁଃଖ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ସ୍ଥାନୀୟ ବାସିନ୍ଦାଙ୍କ ମନକୁ ଆନ୍ଦୋଳିତ କରିଛି । ତୁରନ୍ତ ଏହି ନିଃସହାୟ ବିଧବା ବୃଦ୍ଧାଙ୍କୁ ଘର ଖଣ୍ଡିଏ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ଆମେ ଫୋନ ଯୋଗେ ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ସାଙ୍ଗରେ ଯୋଗାଯୋଗ କରିଥିଲୁ ।
ଘଟଣା ର ତଦନ୍ତ କେଆଯାଇ ଘରଟିଏ ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନଥିବା ଏହି ଦୁଃଖିନୀ ,ଅସହାୟ ବୃଦ୍ଧା ପ୍ରତି ପ୍ରଶାସନ କେବେ ଘର ଖଣ୍ଡିଏ ପ୍ରଦାନ କରିବା ସହ ସହାୟତାର ହାତ ବଢାଉଛି ସେହି ଦିନକୁ ଅପେକ୍ଷା ।
