ଢେଙ୍କାନାଳ ବନଖଣ୍ଡ ଷଡଙ୍ଗୀ ଅଞ୍ଚଳରେ ଦୀର୍ଘଦିନ ହେବ ୧୬ଟି ହାତୀପଲ ଉପଦ୍ରବ ଚଳାଇଛନ୍ତି। ସଂନ୍ଧ୍ୟା ହେବା ମାତ୍ରେ ହାତୀପଲ ଜନବସତି ମୁହାଁ ହେବା ସହିତ ଧାନ କ୍ଷେତରେ ପଶି ଫସଲପାତି ନଷ୍ଟ କରୁଛନ୍ତି।
ଯେତେ ଅଭିଯୋଗ କରିଲେ ମଧ୍ୟ ବନବିଭାଗ ପକ୍ଷରୁ ଏଥିପ୍ରତି କୌଣସି ଦୃଷ୍ଟି ଆକର୍ଷଣ କରୁନାହାଁନ୍ତି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଏପଟେ ହାତୀଦାଉରୁ ଫସଲକୁ ସୁରକ୍ଷା ଦେବାକୁ ଯାଇ ଚାଷୀମାନେ ନିଜ ଜୀବନ କୁ ବାଜି ଲଗାଇ ଦିନରାତି ଏକ କରି ଫସଲ ଜଗୁଛନ୍ତି। ଷଡଙ୍ଗୀ ଜଙ୍ଗଲର ରୂପାବଳିଆ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତା, ମୁଗପଦା ଆଙ୍କୁର୍ଦା ଅଞ୍ଚଳରେ ଗୋଟିଏ ଖଙ୍କିରା ସଂରକ୍ଷିତ ଜଙ୍ଗଲରେ ୯ଟି ଏବଂ କପିଳାସ ବନାଞ୍ଚଳରୁ ୫ଟି ହାତୀ ଆସି ବଣିଆପଡା ବିଟ୍ ଅନ୍ତର୍ଗତ ସଦେଇବେରେଣୀ ଅଞ୍ଚଳରେ ରହି ଉପଦ୍ରବ ଚଳାଇଛନ୍ତି।
ବର୍ତ୍ତମାନ ଧାନ ଅମଳ ସମୟରେ ହୋଇଥିବା ବେଳେ ପାଚିଲା ଧାନ ଖାଇବା ପାଇଁ ସଞ୍ଜ ହେବା ମାତ୍ରେ ଜମିରେ ପଶି ଧାନ ଖାଇବା ସହିତ ଧାନ କିଆରୀକୁ ନଷ୍ଟ କରିଦେଉଛନ୍ତି। ଜଙ୍ଗଲରେ ସେମାନଙ୍କ ପାଇଁ ଖାଦ୍ୟ ଅଭାବରୁ ହାତୀପଲ ଖାଦ୍ୟ ସଂଗ୍ରହ ପାଇଁ ଜନବସତି ଆଡକୁ ଚାଲି ଆସୁଥିବା ବେଳେ ମଣିଷ ସହିତ ହାତୀର ସଙ୍ଘର୍ଷ ବଢିଚାଲିଛି।
ଜଙ୍ଗଲରେ ହାତୀର ପାରମ୍ପରିକ ଖାଦ୍ୟ ପାଇଁ ପ୍ରତି ବର୍ଷ ବିଭିନ୍ନ ଯୋଜନାରେ ସେମାନଙ୍କ ଉଦିଷ୍ଟରେ ବୃକ୍ଷ ରୋପଣ କରାଯାଉଛି। ମାତ୍ର ଗଛ ଲଗାଇବା କାର୍ଯ୍ୟ ବନବିଭାଗ କାଗଜ କଲମରେ ଚାଷ କରୁଛି। ହାତୀ ଜନବସତି ମୁହାଁ ହେବା ଦ୍ବାରା ପ୍ରତ୍ୟେକ ଦିନ ଚାଷୀ ରାତ୍ରି ଅନିଦ୍ରା ହୋଇ ଜମିରେ ମଞ୍ଚା,ନିଆଁ ଜାଳି ଫସଲକୁ ସୁରକ୍ଷା ଦେଉଛନ୍ତି। ଏଦିଗରେ ବନ କର୍ମଚାରୀ ମାନଙ୍କ ପଦକ୍ଷେପ ଶୂନ ।ଷ୍ଟାଫ୍ କମ୍ ଅଛନ୍ତି, ଗାଡିର ସୁବନ୍ଦୋବସ୍ତ ନାହିଁ ଏଭଳି କହି ଚାଷୀ ମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ଢେଙ୍କାନାଳ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀ ଜନବସତି ମୁହାଁ ହେବା ସହିତ ଘରଦ୍ବାର ଭାଙ୍ଗିବା, ଧାନ ଖାଇବା ସହିତ ଲୋକଙ୍କୁ ବେସାହାରା କରିବା ନିତି ଦିନିଆ ଘଟଣାରେ ପରିଣତ ହୋଇଛି।
ଏ ଦିଗରେ ବନଖଣ୍ଡ ଅଧିକାରୀ ଦୃଷ୍ଟି ଗୋଚର କରିବାକୁ ଅଞ୍ଚଳ ବାସୀ ଦାବି ଜଣାଇଛନ୍ତି।

