ବିଦ୍ୟୁତ୍ ବିଭ୍ରାଟ ଦୂର କରିବା ପାଇଁ ୨ ବର୍ଷ ତଳେ ସ୍ଥାପିତ ହୋଇଥିଲା ଟ୍ରାନ୍ସଫର୍ମର ; ଆଜିଯାଏଁ ହୋଇପାରିଲା ନାହିଁ କାର୍ଯ୍ୟକ୍ଷମ
ଢେଙ୍କାନାଳ ଜିଲ୍ଲାର ବିଦ୍ୟୁତ୍ ସେବାର ଅବସ୍ଥା ଦିନକୁ ଦିନ ଅବହେଳିତ ହୋଇ ଚାଲିଛି। ଏହି କାରଣରୁ ଉପଭୋକ୍ତା ହଟହଟା ହେବାକୁ ମଧ୍ୟ ପଡୁଛି। ବିଦ୍ୟୁତ୍ ବିଲ୍ ଠାରୁ ଆରମ୍ଭ କରି ସେବା ପ୍ରଦାନର ବିଭିନ୍ନ ପ୍ରକାର ତୃଟି ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଉଛି।
ଜିଲ୍ଲାର ଗଁଦିଆ ବ୍ଲକ ମନ୍ଦାର ପଞ୍ଚାୟତ ଚିତଲପୁର ଗାଁ ରେ ପାଖାପାଖି ୨୦୦ ପରିବାର ପାଇଁ ଗୋଟିଏ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଥିଲା। ତେବେ ଉପଭୋକ୍ତା ସଂଖ୍ୟା ଅଧିକ ହେବାରୁ ବାରମ୍ବାର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ସେହି ଅଞ୍ଚଳରେ ଦୁଇ ବର୍ଷ ତଳେ ଆଉ ଏକ ଟ୍ରାନ୍ସଫର୍ମର ସ୍ଥାପନକରାଯାଇଛି।
ହେଲେ ସ୍ଥାପନ ହେବାର ଦୁଇ ବର୍ଷ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ନାହିଁ। ଯେଉଁ କାରଣରୁ ଉପଭୋକ୍ତା ଲୋ ଭୋଲଟେଜର ବିଜୁଳି ପାଉଛନ୍ତି। ତାଛଡା ଲୋଡ ପଡ଼ିଲେ ଫ୍ଯୁଜ ବାରମ୍ବାର କଟୁଛି। ଏ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଆମ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି।
