ଯଦି ମୁଁ କେବେ ମରିଯାଏ ତେବେ ଏତିକି ବିନତି ରହିଲା,
ମୋତେ ପୁଣିଥରେ ସେହି ମା କୋଳଟିରେ ଦେଖାଇବ ସେହି ଚେହେରା ।
ସ୍ନେହମୟୀ ସେ ନାରୀ ଶ୍ୱାସଟିରେ
ବହୁଥାଏ ତ୍ୟାଗ ପ୍ରେମର ଧାରା।
ଦଶମାସ ଦଶଦିନ ଗରଭେ ତାହାରି,
ପୁଣିଥରେ ବଢିବି ଜତନେ ମୁଁ ଝରି।
ସରସ ସତେଜ କୋମଳ ହାତଟି ଯେବେ ଛୁଇଁଯିବ ପରଶ,
ଏନ୍ତୁଡ଼ି ନିଆଁ ଟି ଲାଗିବ ଯେମିତି ଶପ୍ତ ବୈକୁଣ୍ଠ ର ତରାସ।
ନିଜ ସ୍ତନ କ୍ଷୀର ଭିଡି ଦେଉଥିବ ମୋ କଅଁଳ ଅଧର ଧାରେ,
ସେହି ମକରନ୍ଦ ପାନ କରି ନୀତି ବଢ଼ୁଥିବି ସରାଗରେ।
ମଳମୁତ୍ର ମୋର ପୋଛିଦେଉଥିବ କ୍ଷଣିକେ କାତର ନ କରି,
ହଳଦୀ ତେଲରେ ଲେପି ଦେଉଥିବ ମାଂସ ପିଣ୍ଡୁଳାକୁ ମୋହରି।
କେତେ ଆଦର ରେ ଖୁଆଇ ଦେବ ସେ ଦେଖାଇ ଜହ୍ନ ମାମୁଁଙ୍କୁ,
ଋଷିଗଲେ ଗେଲ୍ହେ ଚୁମି ନେଉଥିବ ଧନମାଳି କହି ଗାଲକୁ।
ହଲେଇ ଝୁଲେଇ ଶୁଆଇ ଦେବ ସେ ନିଜ କୋଳ ଝୁଲଣାରେ,
ଲଙ୍ଗଳା ପିଙ୍ଗଳା ଦେହଟି ମୋହର ଝୁଲୁଥିବ ତାର ମମତାରେ।
ଗୁରୁଣ୍ଡି ଗୁରୁଣ୍ଡି ଏରୁଣ୍ଡି ଡେଇଁ ମୁଁ ଝୁଣ୍ଟି ପଡୁଥିବୀ ଯେବେ,
ଆଉଁସି ଆଉଁସି ପରସି ମତେ ସେ ଜଡାଇ ଧରିବ ତେବେ।
କଜଳ ମଥାରେ ଆଙ୍କି ଦେଉଥିବ ନଜର ନ ଲାଗିବ ବୋଲି,
ବେଳ ନଇଁଗଲେ ଚାହିଁ ବସୁଥିବ ଗଲା କୁଆଡେ ମୋ ସଙ୍ଖାଳି।
ଯେତେ ଦୁଷ୍ଟାମୀ କୁ ପଣତେ ଘୋଡାଇ ଲଢ଼ୁଥିବ ସେ ମୋ ପାଇଁ,
ଟିକେ ଆଘାତରେ ଚମକି ପଡି ସେ କାନ୍ଦୁଥିବ କଇଁ କଇଁ।
ସଂସାର ଭିତରେ ହୃଦୟକୁ ମୋ ଚିନ୍ହିପାରେ ସେ ଏକା,
କ୍ଷୁଧାରେ ତୃଷ୍ଣାରେ ଦୁଃଖରେ କଷ୍ଟରେ ସାଥେ ଥାଏ ଛାଇ ପରିକା।
ମା’ ମା’ ବୋଲି ଲୁଟି ଯାଉ ପ୍ରାଣ ମା’ ମା’ ବୋଲି ଯାଉ ଏ ଜୀବନ,ମା’ ନାମଟିରେ ସବୁ ପାପ କ୍ଷୁର୍ଣ୍ଣ ମୋ ମା’ ହିଁ ମୋରି ଭଗବାନ।
