ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ବହୁତ ଫଳ ହୁଏ ।
ପାଳନ ବିଧି
ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ଓଡ଼ିଆ ଘରଣୀମାନେ ପବିତ୍ରତାର ସହିତ ଉତ୍ସବଟିକୁ କେତେକ ଅଞ୍ଚଳରେ ପାରମ୍ପରିକ ରୀତିରେ ପାଳନ କରନ୍ତି । ଘରେ ଗଇଁଠା ପିଠା ତିଆରି କରାଯାଏ ।
ଉକ୍ତ ଦିନ ବାଡ଼ି ରେ ଥିବା ଫଳ ଗଛ ମୂଳରୁ ଘାସ, ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ । ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ । ତା’ପରେ ସେହି ଗଛଗୁଡ଼ିକରେ ଚିତା ପକାଯାଏ । ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ । କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡ଼ ମଧ୍ୟ କୁହାଯାଏ ।
ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ ଏବଂ ଏହି ଭୋଗ ଓ ଆମ୍ବ ବଉଳ ପାଖ ପଡ଼ିଶା ବନ୍ଧୁ କୁଟୁମ୍ବଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ ।
ସାଧାରଣତଃ ଗୋଷ୍ଠିଗତ ଭାବେ ରହୁଥିବା କୁଟୁମ୍ବରେ ବୟୋଜ୍ୟେଷ୍ଠ ପୁରୁଖା ବ୍ୟକ୍ତିଙ୍କ ଘରେ ଏହି ପୂଜା ହୋଇଥାଏ ଏବଂ ସମ୍ଭବ ସ୍ଥଳେ ଭାଇ ବିରାଦର ସମସ୍ତେ ଭୋଜିରେ ଏକାଠି ହୋଇ ପ୍ରଥମେ ବଉଳ ମିଶ୍ରିତ ଭୋଗ ସେବନ କରିଥାନ୍ତି ଓ ପରେ ବିଭିନ୍ନ ସୁମିଷ୍ଠ ଭୋଜନରେ ଆପ୍ୟାୟିତ ହୋଇଥାନ୍ତି ।
ଉକ୍ତ ସାମାଜିକ ପର୍ବଟିର ନାମ ଏବଂ ପାଳନ ବିଧିରୁ ସ୍ପଷ୍ଟ ଅନୁମେୟ ଯେ ନୂତନ ବଉଳକୁ ସ୍ୱାଗତ ଜଣାଇ ଓଡ଼ିଆ ଘରେ ଏହା ପର୍ବ ରୂପେ ସ୍ଥାନ ପାଇଛି ।
