ସବୁ ବର୍ଷ ପରି ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ନିଜ ଜମି ପଟ୍ଟା ଆଧାରରେ ସମବାୟ ସମିତିରେ ନାମ ପଞ୍ଜିକରଣ କରନ୍ତି। ଜମି ଅନୁସାରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ରହିଛି। ଚଳିତ ବର୍ଷ ଧାନ ମଣ୍ଡିରେ ଦେବା ପାଇଁ କନ୍ତିଓ ପୁଟସାହିର କିଛି ଚାଷୀ ସମବାୟ ସମିତିରେ ନାମ ପଞ୍ଜିକରଣ କରିଥିଲେ। ହେଲେ ତାଙ୍କ ଜମି ପଟ୍ଟା ଆଧାରରେ ଅନ୍ୟ ଜଣେ ନାମ ପଞ୍ଜିକରଣ କରଣ କରି ଧାନ ବିକ୍ରି କରିଛନ୍ତି।
ଏହି ଗାଁର ପୁରୁଷୋତ୍ତମ ସାହୁ ପିତା କୁଞ୍ଜ ସାହୁଙ୍କ ଜମି (ଖାତା ନଂ ୮୦) କୁ ଅନ୍ୟ ଜଣେ ଦଳେଇ ସାହୁ ପିତା ଅର୍ଜୁନ ସାହୁ ନାମରେ ପଞ୍ଜିକରଣ କରାଯାଇଅଛି। ଏହି ପରି ଅନେକ ଲୋକଙ୍କ ଜମି ଅନ୍ୟ ଚାଷୀନାମରେ ପଞ୍ଜିକରଣ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମବାୟ ସମିତିର କର୍ମଚାରୀ ଓ କିଛି ଧାନ ବେପାରୀ ମିଶି ଅନେକ ଜାଲିଆତି କରୁଛନ୍ତି। ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି।
ଧାନ ବିକ୍ରି କରି ନପାରି ବେପାରୀ ମାନଙ୍କୁ ଅଦର ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ପରି ସମାନ ଅଭିଯୋଗ ଆଣିଛନ୍ତି ବିକ୍ରମାଦିତ୍ୟ ପଣ୍ଡା, ନରୋତ୍ତମ ସାହୁ ଓ ପ୍ରଦୀପ ସାହୁ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଜଣେ ବେପାରୀ ଭିନ୍ନ ଭିନ୍ନ ଚାଷୀଙ୍କ ନାମ ପଞ୍ଜିକରଣ କରି ଶହ ଶହ ଟନ ଧାନ ମଣ୍ଡିରେ ବିକ୍ରି କରୁଛନ୍ତି। ଏମାନଙ୍କ ଧାନ ପ୍ରଥମେ କ୍ରୟ କରାଯାଉଥିବା ବେଳେ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରୁ ନାହାଁନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ଅନେକ ରହସ୍ୟ ପଦାକୁ ଆସନ୍ତା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
