ବର୍ତ୍ତମାନ ସମୟରେ ଟିକାକୁ ନେଇ ବିଭିନ୍ନ ପ୍ରକାରର ମିଛ ସୂଚନା ଓ ଜାଲି ଖବର ପ୍ରସାରିତ ହେଉଛି । ବିଶେଷତଃ ସାମାଜିକ ଗଣମାଧ୍ୟମରେ ଖୁବ୍ କମ୍ ସମୟ ମଧ୍ୟରେ ଏମିତି ଭୁଲ ସୂଚନା ଲକ୍ଷଲକ୍ଷ ଲୋକଙ୍କ ମଧ୍ୟରେ ପହଞ୍ଚିଯାଉଛି ।
ଲୋକେ ବି କିଛି ନବୁଝି ସଙ୍ଗେସଙ୍ଗେ ସେହି ଭୁଲ ସୂଚନାକୁ ଅନ୍ୟମାନଙ୍କୁ ଦେଇଦେଉଛନ୍ତି । ଏସବୁର ସମାଧାନ ଦିଗରେ ଗଣମାଧ୍ୟମର ବିଶେଷ ଭୂମିକା ରହିଛି । ଏହାସହ ଇଣ୍ଟରନେଟ୍ ବ୍ୟବହାରକାରୀ ମଧ୍ୟ କୌଣସି ସୂଚନାକୁ ଆଖି ବୁଜି ବିଶ୍ୱାସ ନକରି ତା’ର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରିବା ଦରକାର ବୋଲି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍ ତଥ୍ୟ ନିରୀକ୍ଷଣ ତାଲିମ୍ କର୍ମଶାଳାରେ ମତ ପ୍ରକାଶ ପାଇଛି ।
ଆଇଆଇଏମ୍ସି ପକ୍ଷରୁ ଗୁଗୁଲ୍ ନିଉଜ୍, ଡେଟା ଲିଡ୍ସ ସହଯାଗରେ ଅନୁଷ୍ଠିତ ହୋଇଛି ଅନ୍ଲାଇନ୍ ‘ଭ୍ୟାକ୍ସଚେକ୍ ଭର୍ଚୁଆଲ୍ ଟାଉନ୍ ହଲ୍ ସିରିଜ୍ର’ର ଏକ କାର୍ଯ୍ୟକ୍ରମ । ଜୁମ୍ ଭିଡିଓ କନ୍ଫରେନ୍ସିଂ ଆପ୍ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ସାମ୍ବାଦିକ, ସାମ୍ବାଦିକତା ଛାତ୍ରଛାତ୍ରୀ ଓ ଶିକ୍ଷାର୍ଥୀମାନେ ଯୋଗଦେଇଥିଲେ । ଏଥିରେ ଟିକାକୁ ନେଇ ଆସୁଥିବା ଭୁଲ ସୂଚନା ଓ ମିଛ ସୂଚନା ସମ୍ପର୍କରେ ଆଲୋଚନା ହୋଇଥିବାବେଳେ କିପରି ଜାଲି ଖବରକୁ ଜାଣିହେବ ଏବଂ ଏଥିରୁ ଦୂରେଇ ରହିହେବ ସେନେଇ ବିଶେଷ ଆଲୋଚନା ହୋଇଥିଲା ।
ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଟିକାକୁ ନେଇ ଭାରତରେ ଅନେକ ଗୁଜବ ଦେଖିବାକୁ ମିଳୁଛି । ଏମିତି ଏକ ସ୍ଥିତିରେ ସାମ୍ବାଦିକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗବେଷକ, ଗବେଷଣା ପ୍ରତିଷ୍ଠାନ ଓ ଏହାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଏବଂ ଲୋକଙ୍କ ଭିତରେ ଯୋଗସୂତ୍ର ରକ୍ଷା କରିବାରେ ଗଣମାଧ୍ୟମର ଏକ ବଡ଼ ଭୂମିକା ରହିଛି ।
ଏଣୁ ସାମ୍ବାଦିକମାନେ ଏହିପରି ଭୁଲ ସୂଚନାକୁ କିପରି ଜାଣିପାରିବେ ଏବଂ ଏହାର ସତ୍ୟାସତ୍ୟ ଜାଣି ଲୋକଙ୍କୁ ଜଣେଇବେ, ତାହା ଜରୁରୀ । ଏଥିପାଇଁ ଏହି କର୍ମଶାଳା ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଗୁଗୁଲ୍ ନିଉଜ୍ ଇଣ୍ଡିଆ ତାଲିମ୍ ନେଟ୍ୱର୍କର ପ୍ରଶିକ୍ଷିକା ତଥା ପ୍ରକଳ୍ପ ପରିଚାଳିକା ଅପର୍ଣ୍ଣା ଦିୱାଲ କହିଛନ୍ତି, ଟିକାକୁ ନେଇ ଅନେକ ଭୁଲ ସୂଚନା ଓ ଜାଲି ଖବର ପ୍ରସାରିତ ହେଉଛି । ଲୋକେ ସେସବୁକୁ ବେଶୀ ବିଶ୍ୱାସ କରୁଛନ୍ତି । ତେବେ ଭୁଲ ସୂଚନା ଏତେ ସଂଖ୍ୟକ ସେୟାର ହେବାର କାରଣ ହେଉଛି ଅନେକ ସମୟରେ କୌଣସି ରାଜନେତା, ଅଭିନେତା ବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଫଟୋକୁ ବ୍ୟବହାର କରି ଫଟୋ କିମ୍ବା ଭିଡିଓ କରାଯାଇ ଭୁଲ ସୂଚନା ପ୍ରସ୍ତୁତ କରାଯାଉଛି । ସାଧାରଣ ଲୋକେ ଏହାକୁ ଖୁବ୍ ସହଜରେ ବିଶ୍ୱାସ କରିନେଉଛନ୍ତି ଓ ସେୟାର କରୁଛନ୍ତି । ଫଳରେ ଏହିସବୁ ଭୁଲ ସୂଚନା ବହୁତ ଶୀଘ୍ର ଖେଳିଯାଉଛି । ସେହିପରି ଆଉ କିଛି ଭୁଲ ସୂଚନା ଭିଡିଓ ମାଧ୍ୟମରେ ଆସୁଛି । ଏଇ କୋଭିଡ୍-୧୯ ସମୟରେ ଟିକାକୁ ନେଇ ସେମିତି କିଛି ଭୁଲ ସୂଚନା ଆସିଥିଲା ।
ଲୋକେ କିଛି ବୁଝନ୍ତୁ ବା ନବୁଝନ୍ତୁ, ସଙ୍ଗେସଙ୍ଗେ ସେୟାର କରିପକଉଛନ୍ତି । ଏହି ଭୁଲ ସୂଚନାଟି ଯେ ଭୁଲ, ତାହା କହିବା ଆଗରୁ ବା ସ୍ପଷ୍ଟ କରିବା ପୂର୍ବରୁ ଭୁଲ ସୂଚନାଟି ଚାରିଆଡ଼େ ଖେଳିଯାଉଛି । ଆଉ କିଛି ପୁରୁଣା ମିଛ ଖବର ମଧ୍ୟ ବାରମ୍ବାର ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ପାଖକୁ ଆସୁଛି । ଆଉ ସେ ସୂଚନାଟି ଯେ ପୁରୁଣା ଓ ମିଛ ଲୋକେ ଜାଣିଥିଲେ ମଧ୍ୟ ହଠାତ୍ ସେମାନେ ଏହାକୁ ଜାଣିପାରୁନାହାନ୍ତି । ସେହିପରି ଅନେକ ସମୟରେ ହେଡ୍ଲାଇନ୍ରେ ସମ୍ପୂର୍ଣ୍ଣ ଖବର ଜଣାପଡ଼େନି କି ସ୍ପଷ୍ଟ ହୋଇପାରେନି । ଯେଉଁମାନେ ଭୁଲ ସୂଚନା ଦିଅନ୍ତି ସେମାନଙ୍କ ପାଇଁ ଏହା ବେଶ୍ ସହାୟକ ହୋଇଥାଏ ।
ସେମାନେ ହେଡ୍ଲାଇନ୍ରେ ଏମିତି କଥା ଲେଖିଦିଅନ୍ତି ଯେ ଲୋକେ ତାହାକୁ ବିଶ୍ୱାସ କରିବାକୁ ବାଧ୍ୟ ହୁଅନ୍ତି ଓ ଖବରର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ନକରି ସଙ୍ଗେସଙ୍ଗେ ସେୟାର କରିଦିଅନ୍ତି । ଆଜିକାଲି ସାମାଜିକ ଗଣମାଧ୍ୟମରେ ଏହିପରି ଅଧିକରୁ ଅଧିକ ଭୁଲ ସୂଚନା ପ୍ରସାରିତ ହେଉଛି ।
ସେହିପରି ଅନ୍ୟତମ ପ୍ରଶିକ୍ଷିକା ମିନତୀ କହିଛନ୍ତି, ଯେତେବେଳେ କୌଣସି ଭୁଲ ସୂଚନା ପ୍ରସାରିତ ହେଉଛି, ତାହାର ସତ୍ୟାସତ୍ୟ ଜାଣିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ । ଏଥିପାଇଁ ବିଭିନ୍ନ ବିଶ୍ୱସନୀୟ ଖବର ପ୍ରସାରଣ ସଂସ୍ଥା, ଗଣମାଧ୍ୟମ ସଂସ୍ଥାରେ ଖବର ଖୋଜିବା ଦରକାର । ଏହାସହ ଗୁଗୁଲ୍ରେ ସେହି ଖବର ଖୋଜିବାବେଳେ କେତୋଟି କି’ୱାର୍ଡ ବିଷୟରେ ସଚେତନ ରହିବା ଜରୁରୀ ।
ଏସବୁ ବିଷୟରେ ବିସ୍ତୃତଭାବେ ସେ ଉପସ୍ଥାପନ କରିଥିଲେ । କେତୋଟି ବିଶ୍ୱସନୀୟ ସୂଚନାର ସୂତ୍ର ମଧ୍ୟ ବତାଇଥିଲେ ।
ଡେଟା ଲିଡ୍ସ ସଂସ୍ଥାନର ପ୍ରକଳ୍ପ ସହଯୋଗୀ ସଂସ୍କୃତି ଗିର୍ଧର୍ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
