ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ହେତୁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ଶିକ୍ଷା ଆଦୌ ସମ୍ଭବ ହୋଇପାରି ନାହିଁ। ଯେତେବେଳେ କି ୯ମ ରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା । ଅନ୍ଲାଇନ୍ ଯଥା ଟିଭି, ରେଡ଼ିଓ, ଇଣ୍ଟରନେଟ୍, ହ୍ବାଟସପ୍ ମାଧ୍ୟମରେ ପିଲାଙ୍କୁ ପଢ଼ାଯାଇଥିଲେ ମଧ୍ୟ ତାହା ଏତେଟା ସଫଳ ହୋଇ ନାହିଁ ।

ସୂଚନା ଅନୁଯାୟୀ ୨୦୨୦-୨୧ ଶିକ୍ଷାବର୍ଷରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୫ ଲକ୍ଷ ପିଲା ଅନ୍ଲାଇନ୍ରେ ଶିକ୍ଷା ଗ୍ରହଣ କରିଥିଲେ । ତାହାକୁ ନଜରରେ ରଖି ଚଳିତ ବର୍ଷ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପନ୍ଥା ଗ୍ରହଣ କରାଯାଇଛି, ତାହା ହେଉଛି ୟୁ-ଟ୍ୟୁବ୍ ଲାଇଭ୍ କ୍ଲାସ ।
ଆସନ୍ତା ଜୁନ୍ ୨୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାରୁ ଆସନ୍ତା ୧୭ ତାରିଖ ପୂର୍ବରୁ ଦୁଇଟି କ୍ଲାସରୁମ୍ ପ୍ରସ୍ତୁତ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପିନ୍ଦ୍ର ସିଂ ପୁନିଆ ଗତକାଲି ଢେଙ୍କାନାଳ ସମେତ ୧୩ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଢେଙ୍କାନାଳ ସମେତ ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ନୟାଗଡ଼, ଭଦ୍ରକ, ବାଲେଶ୍ବର ଓ ସମ୍ବଲପୁର ଜିଲ୍ଲାରେ ପ୍ରାରମ୍ଭିକ ଭାବେ ଏହି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।
