କରୋନା ସଂକ୍ରମଣର ତୃତୀୟ ଲହର ପୂର୍ବରୁ ସ୍କୁଲ ଖୋଲିବା ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜୁଲାଇ ୨୬ ରୁ ଖୋଲିବ ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ । ଏ ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।
ସ୍କୁଲର ସମୟ ସୀମା ମଧ୍ୟ ନିର୍ଦ୍ଧାରଣ ମୁତାବକ ସକାଳ ୧୦ଟାରୁ ଗୋଟାଏ ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ୍ । ସେହିଭଳି ଅଗଷ୍ଟ ୧୬ ରୁ ନବମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଅଭିଭାବକଙ୍କ ସହ ଆଲୋଚନା କରି ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ । ଅନ୍ୟ ଶ୍ରେଣୀରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅନଲାଇନ୍ ପାଠଶାଳା ଜାରି ରହିବ ।
ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ଜାରି ହୋଇଛି ଏସଓପି । ନୂଆ ଏସଓପି ଅନୁଯାୟୀ କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ସ୍କୁଲ ଖୋଲିବନାହିଁ । ଏହା ସହ ସ୍କୁଲ ଆସିବେନି ଶିକ୍ଷକ ଓ ଛାତ୍ରଛାତ୍ରୀ । ଯଦି ସ୍କୁଲ କର୍ମଚାରୀ କଣ୍ଟେନେମଣ୍ଟ ଜୋନରେ ଥିବେ ତେବେ ସେ ମଧ୍ୟ ସ୍କୁଲ ଆସିବେନାହିଁ ।
ସ୍କୁଲ ର ଶିକ୍ଷକ, କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେଲେ ସଂପୃକ୍ତ ସ୍କୁଲ ବନ୍ଦ କରିପାରିବେ ଜିଲ୍ଲାପାଳ । ସ୍କୁଲର ସମସ୍ତ ଅଞ୍ଚଳ ସାନିଟାଇଜ କରିବାକୁ ବାଧ୍ୟତାମୂଳକ ଏପରିକି ଲାଇବ୍ରେରୀ, ଲାବ୍, ରୋଷଇ ଘର, ପାଣି ଟାଙ୍କି, ଗାଧୁଆ ଘର, ଟଏଲେଟ ବି ସାନିଟାଇଜ କରାଯିବ ।
ଯଦି ସ୍କୁଲରେ ପାନୀୟ ଜଳ ଓ ଟଏଲେଟ ବ୍ୟବସ୍ଥା ନାହିଁ ତେବେ ସ୍କୁଲ ଖୋଲିବ ନାହିଁ । ଏହି ସମୟରେ ହଷ୍ଟେଲ ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳିବନାହିଁ । ହଷ୍ଟେଲ ଖୋଲିବା ନେଇ ମଧ୍ୟ ସରକାର ଏସଓପି ଜାରି କରିବେ । ସ୍କୁଲ ବସ୍ ୫୦% ଛାତ୍ରଛାତ୍ରୀଙ୍କୁ ନେଇ ଚାଲିପାରିବ । ତେବେ ସ୍କୁଲ ବସ୍ ସେବା ନେଇ ଅଭିଭାବକ ଉତ୍ତରଦାୟୀ ରହିବେ । ସମସ୍ତ ଏସଓପି ମାନିବା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସରକାର ଅପିଲ୍ କରିଛନ୍ତି ।
