News
WhatsApp Image 2023-10-04 at 17.25.00
samparksetu

ଆଇଆଇଏମ୍‍ସିର ପ୍ରତିଷ୍ଠା ଦିବସ ପାଳିତ

ଶିକ୍ଷାନୁଷ୍ଠାନ ଏକ ଜୀବନ୍ତ ଅସ୍ତିତ୍ୱ । ଯଦି କୌଣସି ଶିକ୍ଷାନୁଷ୍ଠାନ ଅବିରତ ଭଲ ପ୍ରଦର୍ଶନ କରେ, ତେବେ ତାହା ଶ୍ରେଷ୍ଠ ଐତିହ୍ୟରେ ପରିଣତ ହୋଇଯାଏ । ଆଇଆଇଏମ୍‍ସି ଏହିପରି ଏକ ଐତିହ୍ୟ । ଯାହା ଦେଶ ବିଦେଶରେ ସାମ୍ବାଦିକତା ତାଲିମ୍‍ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିଛି । ଏହି ସଂସ୍ଥାନରୁ ଶହ ଶହ ଶିକ୍ଷାର୍ଥୀ ସାମ୍ବାଦିକତା ତାଲିମ୍‍ ନେଇ ସୁସାମ୍ବାଦିକତା କରିବା ସହ ବିଭିନ୍ନ ଗଣମାଧ୍ୟମରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ବୋଲି କହିଛନ୍ତି ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଡ. ଚାଟାର୍ଜୀ କହିଛନ୍ତି, ୧୯୬୫ରେ ଆଇଆଇଏମ୍‍ସି ନୂଆଦିଲ୍ଲୀଠାରେ ପ୍ରତିଷ୍ଠା ହେବା ପୂର୍ବରୁ ଭାରତରେ ସାମ୍ବାଦିକତା ପାଠ୍ୟକ୍ରମ ଖୁବ୍‍ କମ୍‍ ଶିକ୍ଷାନୁଷ୍ଠାନରେ ଥିଲା । ତୃତୀୟ ବିଶ୍ୱର ଦେଶଗୁଡ଼ିକରେ ସାମ୍ବାଦିକତା ପାଠ୍ୟକ୍ରମର ବିଶେଷ ପ୍ରଚଳନ ନଥିଲା । ତେଣୁ ଯୋଗାଯୋଗ କ୍ଷେତ୍ରରେ ଦକ୍ଷତା ଓ ତାଲିମ୍‍ର ଆବଶ୍ୟକତାକୁ ଆଖି ଆଗରେ ରଖି ଭାରତ ସହ ସମ୍ପୂର୍ଣ୍ଣ ତୃତୀୟ ବିଶ୍ୱ ଦେଶଗୁଡ଼ିକର ଯୋଗାଯୋଗ ଅଧିକାରୀମାନଙ୍କର ତାଲିମ୍‍ ପାଇଁ ଆଇଆଇଏମ୍‍ସି ଖୋଲାଯାଇଥିଲା । ପ୍ରଥମ କେଇ ବର୍ଷ ଭାରତୀୟ ସୂଚନା ଅଧିକାରୀଙ୍କ ପାଇଁ ତାଲିମ୍‍ କାର୍ଯ୍ୟକ୍ରମ ଦେଇଥିଲା ସଂସ୍ଥାନ ।

ପରେ ୧୯୬୯ରେ ଆଫ୍ରିକୀୟ-ଏସୀୟ ରାଷ୍ଟ୍ରସମୂହର ବିକାଶଶୀଳ ଦେଶଗୁଡ଼ିକର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଆନ୍ତର୍ଜାତିକ ସ୍ତରର ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା କାର୍ଯ୍ୟକ୍ରମ କରାଗଲା । ପରେ ଇଂରାଜୀ ସାମ୍ବାଦିକତା, ହିନ୍ଦୀ ସାମ୍ବାଦିକତା, ରେଡିଓ ଓ ଟିଭି ସାମ୍ବାଦିକତା ଏବଂ ବିଜ୍ଞାପନ ଓ ଲୋକସମ୍ପର୍କରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଗଲା । ପରବର୍ତ୍ତୀ ସମୟରେ ୨୦୦୨ରୁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ତେବେ ସାମ୍ବାଦିକତା ତାଲିମ୍‍ କ୍ଷେତ୍ରରେ ଏହି ସଂସ୍ଥାନର ସମ୍ମାନ ସବୁଠୁଁ ଉପରେ ରହିଛି । ଏହା ଅନ୍ୟ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ପାଇଁ ଏକ ଉଦାହରଣ ହୋଇପାରିଛି । ଏହା ସଂସ୍ଥାନ ପାଇଁ ଗୌରବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଆଇଆଇଏମ୍‍ସି ଢେଙ୍କାନାଳର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ ସଂସ୍ଥାନର ବିଭିନ୍ନ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ସକାଳେ ଆଇଆଇଏମ୍‍ସି ଢେଙ୍କାନାଳର ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଥିଲେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ।

new life
You might also like
error: Content is protected !!