ମୋ ଅତି ଆଦରର ବାପା ଏ ଧରାଧାମ ରୁ ବିଦାୟ ନେଇ ଗଲେଣି ସେ ଅଫେରା ରାଇଜକୁ ଖାଲି ଛାଡି ଯାଇଛନ୍ତି ପୁରୁଣା ସ୍ମୃତି ସବୁ… ଯାହା ଏବେବି ମନେ ପଡୁଛି…. ଆଉ ଆଖିଟା ଲୁହରେ ଭର୍ତ୍ତି ହୋଇ ଯାଉଚି. ସେ ବାପାଙ୍କ ସ୍ନେହ ଯେତେ ଖୋଜିଲେ ବି ଆଉ ଜୀବନରେ ମିଳେନି… ସବୁଦିନ ପାଇଁ ମୋ ଜୀବନ ଅଭିଧାନରୁ ବିଲୁପ୍ତ ହୋଇ ଯାଏ ସେ ସ୍ନେହ ଭରା ମା ଡାକ ।ବାପା ସବୁଦିନ ବଡି ସକାଳୁ ଉଠନ୍ତି ଆଉ ମୁଁ ଯଦି ଡେରିରେ ଉଠେ କହନ୍ତି ଅଳସୁଆ ଦୁଃଖ ପାଏ । ଜୀବନ କୁ ଦେଖିବାର ଶୈଳୀ ତାଙ୍କର ନିଆରା । ଭଲ ଆଉ ଖରାପ ସବୁ ପରିସ୍ଥିତି କୁ ବୁଝିବାର ଦୃଷ୍ଟିକୋଣ ତାଙ୍କର ଭିନ୍ନ, ତେଣୁ ତାଙ୍କର କଥାବାର୍ତ୍ତା, ସବୁଜିନିଷକୁ ଦେଖିବା ଆଉ ବୁଝିଵାର ଶୈଳୀ ମୋତେ ବହୁତ ପ୍ରଭାବିତ କରିଥିଲା. ମୋ ଛୋଟ ମନଟି ତାଙ୍କ ଆଖିରେ ଦୁନିଆଁ ଦେଖିବାର ସୁଯୋଗ ପାଇ ଥିଲା ।
ସମସ୍ତେ କୁହନ୍ତି ଶିଶୁର ଜୀବନ ର ପ୍ରଥମ ଗୁରୁ ତା ମା, ହେଲେ ମୋ ଜୀବନ ର ପ୍ରଥମ ଗୁରୁ ମୋ ବାପା.ଧୀରେ ଧୀରେ ବଡ଼ ହେଲି ବାପା ବହି ପାଠ ପଢିବା ସହିତ ବିଭିନ୍ନ ପ୍ରକାର ଗପ ବହି ପଢିବା ପାଇଁ ଆଣି ଦିଅନ୍ତି, ନାରୀ ଟିଏ ତା ଜୀବନ କୁ କେମିତି ଗଢ଼ିବ, ତାର ଆଦର୍ଶ କଣ ହେବା ଉଚିତ ସେ ବିଷୟରେ ମୋତେ ପ୍ରାୟ କୁହନ୍ତି. ମୁଁ ସ୍କୁଲରୁ ଆସିବା ପରେ ସାଙ୍ଗ ଘରକୁ ପଳାଏ, ମୁଁ ଅଧିକ ସମୟ ସାଙ୍ଗ ମାନଙ୍କ ସହ କାଟିବାକୁ ଭଲ ପାଏ । ବାପା ଚାହୁଁ ଥିଲେ ମୁଁ କେମିତି ପାଠ ରେ ମନ ଦିଏ ସେଥିପାଇଁ ସେ ବୁଝାନ୍ତି ବହିକୁ ନିଜର ସାଙ୍ଗ ବୋଲି ଭାବ ସବୁ ସାଙ୍ଗ ଦିନେ ଛାଡି ଚାଲିଯିବେ, କିନ୍ତୁ ବିଦ୍ୟା ସବୁବେଳେ ଛାଇ ପରି ଥିବ । ଆଜି ସେ କଥା ସତ ବୋଲି ମୁଁ ଅନୁଭବ କରିଛି । ସତରେ ବାପାଙ୍କ ପରି ସୁଵିଚାର କେହି ବି ଦେବେନି. ମୋର ଆଜି ବି ମନେ ଅଛି ଦଶମ ପରୀକ୍ଷା ଥାଏ, ମୁଁ ଟି. ଭି ଦେଖିବାକୁ ଭଲ ପାଏ ।
ବାପା ନ ଥିଲା ବେଳେ ଟି. ଭି ଦେଖେ, ବୋଉ ଏକଥା ବାପାଙ୍କୁ କହି ଦେଲା ବାପା ଟି ଭି ଟିକୁ ରଖି ଦେଲେ ଆଉ ଚଳାଇଲେ ନାହିଁ. ମୋ ମନରେ ଦୁଃଖ ଆସିଲା, ମନେ ମନେ ଭାବିଲି ମୋ ଭବିଷ୍ୟତ ଚିନ୍ତା କରି ବାପା ମଧ୍ୟ ଟିଭି ଦେଖୁ ନାହାନ୍ତି, ବାପା ସବୁବେଳେ ନିଉଜ ଦେଖନ୍ତି, ବୋଉ ‘ ପାଲା ‘ ଦେଖିବାକୁ ଭଲ ପାଏ ।
ମୁଁ ଭଲ ନମ୍ବର ରଖି ପାସ କରିବି ବୋଲି ବାପା ଙ୍କର ସେ ତ୍ୟାଗ ମୁଁ ଆଜିଯାଏ ଭୁଲିନି ।ବାପା ପାଠ ପଢ଼ା ସହ ସବୁବେଳେ ହାତକାମ ଶିଖିବା ପାଇଁ କୁହନ୍ତି, ତେଣୁ ମୁଁ ତାଙ୍କ କଥା ମାନି ସିଲେଇ ଓ ବୁଣା ବୁଣି ମଧ୍ୟ କରେ. ଆଜି ବୁଝିଛି ଜଣେ ବାପା ହିଁ ପିଲାଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ପ୍ରବର୍ତ୍ତାନ୍ତି । ପାଠ ପଢ଼ି ଲେ ବି ସରକାରୀ ଚାକିର ଟିଏ କରିନି କିନ୍ତୁ ସିଲେଇ ଶିଖିଥିବାରୁ ମୁଁ ଆତ୍ମ ନିର୍ଭରଶୀଳ ହୋଇ ପାରିଛି । ବାପା ଆମ ସଂସ୍କୃତି ଓ ପରମ୍ପରା କୁ ବହୁତ ମାନନ୍ତି. ଆମେ ଓଡ଼ିଆ ବୋଲି ବାପା ଭାରି ଗର୍ବ କରନ୍ତି ।ମୋର ଏଵେ ବି ମନେ ଅଛି ଦିନେ ମୁଁ ଇଂରାଜୀ ଭାଷା କୁ ଗୁରୁତ୍ୱ ଦେଇ କହିଲି ଓଡ଼ିଆ ପଢିଲେ କଣ ଲାଭ ଯେ, ବାପାଙ୍କୁ କଷ୍ଟ ଲାଗିଲା ମୋତେ ଘଣ୍ଟାଏ ଧରି ବୁଝାଇଲେ, ଆଜି ବି ସେ ଶବ୍ଦ ସବୁ କାନରେ ଝାଇଁ ଝାଇଁ ହୋଇ ବାଜୁଛି ।
ମାତୃଭାଷା ପ୍ରତି ଶ୍ରଦ୍ଧା ଭାବ ପ୍ରତ୍ୟେକ ମଣିଷ ଠାରେ ରହିବା ଉଚିତ । ରାଷ୍ଟ୍ରଭାଷା ଓ ଆନ୍ତର୍ଜାତୀୟ ଭାଷା ଭଳି ଆମ ମାତୃଭାଷା ର ମଧ୍ୟ ବହୁତ ସମ୍ମାନ ଅଛି ସେ କାହା ପାଖରେ ଦୟନୀୟ ନୁହେଁ କି ଗୁରୁତ୍ୱ ହୀନ ମଧ୍ୟ ନୁହେଁ.ଳ । ସତରେ ବାପାଙ୍କ ସ୍ଥାନ କେହି ନେଇ ପାରିବେନି ମୁଁ ବାପାଙ୍କ ଆଖିରେ କେବେ ଲୁହ ଦେଖି ନ ଥିଲି କିନ୍ତୁ ଯୋଉ ଦିନ ମୁଁ ଶାଶୂଘର କୁ ଆସିଲି ସେଦିନ ତାଙ୍କ ଆଖିର ଲୁହ ଦେଖିଥିଲି. ବାପା ଥିଲେ ମୋର ବଡ଼ ସମର୍ଥକ ।
ଏଵେ ବି ମୋ ବାପା ମୋ ଜୀବନର ଆଦର୍ଶ. ମୋ ଆଶା ସବୁ ଝିଅ ଙ୍କ ପିତା ମୋ ବାପାଙ୍କ ପରି ଖୋଲା ହୃଦୟ ବାନ ଓ ଉଚ୍ଚ ବିଚାର ବାଦୀ ହୁଅନ୍ତୁ ।
✍️ ଏଲୀ ଦାସ