News
lipub
samparksetu

ଆବାସ ଯୋଜନାରୁ ବଞ୍ଚିତ ଶିସୁଳା !

ସରକାର କାର୍ଯ୍ୟକାରୀ କରିଥିବା ଯୋଜନାର ସଫଳତା ନେଇ ପ୍ରତିଦିନ ବିଭିନ୍ନ ବିଜ୍ଞାପନ ଜରିଆରେ ପ୍ରଚାର ପ୍ରସାର କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନାହିଁ। ପ୍ରତ୍ୟେକ ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିବା ନିତିଦିନିଆ ଖବର ହୋଇଗଲାଣି । ଏହାର ଏକ ନିଚ୍ଛକ ଉଦାହରଣ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁଁସିଙ୍ଗା ପଞ୍ଚାୟତର ତୁମୁଁସିଙ୍ଗା ଗାଁ ରେ ଦେଖିବାକୁ ମିଳିଛି । ଗରିବ ଭୂମିହୀନ ଅନାଥ ଝିଅ ଶିସୁଳା ମହାରଣା ପିତା ଧୀର ମହାରଣା, ବୟସ ୪୨ ହେବ। ବାପାମାଆ କେଉଁ କାଳରୁ ଛାଡି ଆରପାରିକୁ ଚାଲିଗଲେଣି। ନିଜର କହିଲେ ଭାଇଟିଏ ଭାଉଜ ଓ ଛୋଟ ଝିଆରୀ ଅଛନ୍ତି। ଭାଇର ସ୍ବାସ୍ଥ୍ୟ ମଧ୍ୟ ଏତେଟା ଠିକ୍ ନୁହେଁ । କିଛି ବର୍ଷ ହେଲା ଭାଇ ମାନସିକ ଭାରସାମ୍ୟ ଠିକ୍ ରହୁନାହିଁ ବୋଲି ସାହିପଡିଶା କହନ୍ତି ।

ଜମିବାଡ଼ି କହିଲେ କିଛି ନାହିଁ, ଅବିବାହିତା ଝିଅ ହୋଇଥିବାରୁ ଭତ୍ତା ୫୦୦ ଟଙ୍କା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କିଲୋଗ୍ରାମ ଚାଉଳ ପାଉଛନ୍ତି। ଏହା ଛଡ଼ା ବର୍ଷା ଦିନେ ବିଲବାଡ଼ି କାମ କରି ପେଟ ପୋଷିବାକୁ ପଡୁଛି। ଓଳିଏ ଖାଇଲେ ଅନ୍ୟ ବେଳା ପାଇଁ ଚିନ୍ତା କରିବାକୁ ପଡୁଛି। ନୁଆଁଣିଆ ବରଡା ଛପର ଘରେ ରହି ଆସୁଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଚେଷ୍ଟା କରି ବିଫଳ ହୋଇଛନ୍ତି । ପଞ୍ଚାୟତ ଅଫିସରେ କାଗଜ ପତ୍ର ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଗାଁ ରେ ଧନୀକ ଶ୍ରେଣୀର ଲୋକ ମାନଙ୍କୁ ଘର ମିଳିଥିବା ବେଳେ ଗରିବଙ୍କ ପାଇଁ କାହାର ଦରଦ ନାହିଁ ବୋଲି ଭାରିମନରେ ପ୍ରକାଶ କରିଛନ୍ତି । ପ୍ରଶାସନକୁ ଅନୁରୋଧ ନିରାଶ୍ରୟା ଶିସୁଳାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କରାଗଲେ ସିଏ ସୁରକ୍ଷିତ ଜୀବନ ଯାପନ କରିପାରିବେ ବୋଲି କୁହନ୍ତି ।

new life
You might also like
error: Content is protected !!