News
WhatsApp Image 2023-10-04 at 17.25.00
samparksetu

ମା ମୋ ମା

ମାତୃ ଦିବସର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
“ମାଆ ମା, ଯିଏ ଆମକୁ ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ଉଚିତ୍ ସମୟରେ ଏହି ପୃଥିବୀ ପୃଷ୍ଠରେ ଆବିର୍ଭାବ କରାଇଲା ସିଏ ହେଉଛି ଆମ ମା । ମା ବିଷୟରେ କଣ ବା ଆମେ ଲେଖି ପାରିବ,ସିଏ ତ ଆମକୁ ଆମ ହାତଧରି ଲେଖିବା ସିଖାଇଲା, ସିଏ ତ ଚାଲି ଶିଖାଇଲା ସିଏ ତ ସବୁକିଛି।  ସେ ହେଉଛି ଆରମ୍ଭ ମଧ୍ୟମ ଓ ଶେଷ। ମା ଶବ୍ଦ ଟିର ପ୍ରକୃତ ଅର୍ଥ ଏତେ ବିଶାଳ ଯେ ଏଇ ପୃଥିବୀ ପୃଷ୍ଠରେ ବର୍ଣ୍ଣିତ କରିବା ପାଇଁ ଜାଗା ହିଁ ନାହିଁ କି ତାହା ପାଇଁ ଶବ୍ଦକୋଷ ରେ ଶବ୍ଦହିଁ ନାହିଁ। ତାହା ଅବର୍ଣ୍ଣନୀୟ।  ତଥାପି ଆମେ ମା ବିଷୟରେ ଲେଖୁଛେ,ମା ଲୋ ଭୁଲ୍ ଥିଲେ କ୍ଷମା କରିବୁ।
ତୋ ପାଇଁ ଏହି ଦୁଇ ଧାଡ଼ି ଲେଖି ଦେଉଛି।

ତୋ ପାଇଁ ତ ଏହି ମୋର ସାହିତ୍ୟର ପରିଭାଷା ପର୍ଯ୍ୟାପ୍ତ ନୁହେଁ।
ମା ଟିଏ ଛୁଆଟିକୁ ଜନ୍ମ ଦିଏ ଅସୁମାରୀ ସ୍ବପ୍ନ ସାଥିରେ ବହୁତ କିଛି ଆଶା ରଖି । ତୋ ମମତାର ନଈ ଏତେ ଅତୁଳନୀୟ ଯେ ତୁ ରକ୍ତ ନିଗାଡି ପିଆଇ ଦେଉ କ୍ଷୀର ଯାହାକି କ୍ଷୀର ନୁହେଁ ତ ଅମୃତ ସେ। ନିଜେ କାନ୍ଦିଥାଉ ଆମକୁ ହସାଇ ଛାତି ତଳେ ତୋର ଦୁଃଖକୁ ଚାପି ରଖି। ନିଜେ ତୁ ନଖାଇ ଆମକୁ ଖୁଆଉ ତୋ ପେଟରେ ଓଦା କନା ଦେଇ। ମା ଲୋ ବହୁତ୍ ଦୁଃଖ ଲାଗୁଛି ତୋ ପାଇଁ ବହୁତ୍ କାନ୍ଦ ଲାଗୁଛି। ତୋ କଥା ଭାବି ଭାବି ମୋ ହୃଦୟ ଏତେ ତରଳି ଯାଇଛି କାନ୍ଦି ନପାରି ସମ୍ଭାଳି ପାରୁନି ମନର କୋହକୁ । ମୁୁଁ ଅଣାୟତ ହୋଇ ଯାଇଛି ତୋରି ପ୍ରେମରେ । ପୁଣି ତୋ କୋଳରେ ଶୁଆଇ ଦିଅନ୍ତୁ ହେଲେ, ଆଉ ଥରେ ତେଲ କଜଳ ଦେଇ ତୋ ହାତରେ ସଜେଇ ଦିଅନ୍ତୁ।

କୋଳରେ କାଖେଇ ସଞ୍ଜବେଳେ ଜହ୍ନମାମୁଁ କୁ ଦେଖେଇ ଦିଅନ୍ତୁ।ତେଲ ହଳଦିରେ ଗାଧୋଇ ଦେଇ ଦେହରେ ଲାଗିଥିବା ଟୋପା ଟୋପା ପାଣି ବୁନ୍ଦା କୁ ତୋ ପଣତ କାନିରେ ପୋଛି ଦିଅନ୍ତୁ।ରାଗଋଷା କାନ୍ଦ କାନ୍ଦ ମୁହଁ ମୋର ଦେଖି ତୋ ଛାତିରେ ଆବୁଜି ଧରି ନାନା କଥା ଗପ କହି ମନେଇ ନିଅନ୍ତୁ। ସେହି ପିଲା ଦିନ ତ ଫେରିବନି ଆଉ ସେଇ ସ୍ମୃତି କୁ ମନେ ପକାଇ ବଞ୍ଚିଛି।ତୋ ସ୍ନେହ ମମତାରେ ବନ୍ଧା ମୋ ଜୀବନ ଡୋରି। ଯେମିତି ଲାଗୁଛି ତୁ ଥିଲେ ମୋର ଆଉ କିଛି ଆବଶ୍ୟକ ନାହିଁ,ହେଲେ ତା ପ୍ରତି ବଦଳରେ ତୋତେ କେବେ ଖୁସି ଟିକିଏ ଦେଇ ପାରିନି ଏହି ହତଭାଗାଟା। ହେଲେ ଏହି ଆବଳ ବାଳକଟିକୁ ଜନ୍ମ ଦେଇ ଥିବାରୁ ତୋର ପାଦ ତଳେ ମୋର ଅଶେଷ ଜୁହାର।

               ଆଜି ଜାଣି ପାରୁଛି ସବୁ ସୁଖ ମୋ ଉପରେ ଅଜାଡି ଦେଇଛୁ ଟିକିଏ ବି ବଳକା ରଖିନୁ।  ତୁ ତୋ ସମୁଦ୍ର ଠାରୁ ଗଭୀର,ପବନ ଠାରୁ ଶୀତଳ,ମହୁ ଠାରୁ ମଧୁର,ଫୁଲ ଠାରୁ କୋମଳ।ଯାହାର ହୃଦୟ ଆକାଶ ଠାରୁ ବିଶାଳ। ସିଏ ହେଉଛି ଆମ ମା। ତଥାପି ତୁ ଏତେ ମହାନ୍ ଯେ ତୋତେ ମୂଲ୍ୟାଙ୍କନ କରିବା ଅସମ୍ଭବ। କାହିଁଙ୍କିନା ତୋ ଅକୁହା ହୃଦୟ କୁ ପଢି ହୁଏନା, ତୋର ମମତାର ଗଭୀରତା କୁ ମାପି ହୁଏନା,ତୋ ତ୍ୟାଗର କାହାଣୀ ଶୁଣି ହୁଏନା। ତୋର ଧର୍ଯ୍ୟ ର ପରୀକ୍ଷା କିଏ ବା କାହିଁଙ୍କି ମାଗିବ,କିଏ ଭାଗ ନେଇ ପାରିବ କି ତୋର ଅସହ୍ୟ ଯନ୍ତ୍ରଣା ରୁ। ହେଲେ ତୁ ପାଇଥାଉ କଣ ,କିଛି ନାହିଁ।
                    ଭଗଵାନ ଙ୍କୁ ମୁୁଁ ଏତିକି ପଚାରୁଛି,ଏତିକି ନିବେଦନ କରୁଛି ଏହି ମିଛ ମାୟ ସ୍ୱାର୍ଥପର ଦୁନିଆରେ ତାର ଜନ୍ମ କଣ ପାଇଁ ମା ରୂପରେ? ସିଏ କଣ କେବେ ପରିଚୟ ନେଇ ବଞ୍ଚିଥାଏ କି?
                  ଏଇ ଜୀବନ ନାଟକ ରଙ୍ଗମଞ୍ଚରେ ମାଆ ଏମିତି ଗୋଟେ କଳାକାର ଯେ କି ନିଜେ ପିଲାକୁ ଜନ୍ମ ଦେଇ ତା ବାପାର ପରିଚୟ ଦେଇ ଥାଏ ।
                  ବନ୍ଧୁ ମାନେ ମା ପାଇଁ ଏହାହିଁ ମୋ ମନର କଥା।  ଭୁଲ୍ ଥିଲେ କ୍ଷମା କରିବୁଲୋ ମା। ମୁୁଁ ତ ଛୋଟିଆ ବାଳକ ଟିଏ ସବୁବେଳେ ତୋରି ଆଖି ଆଗରେ ,ଆଉ କଣ ଲେଖି ପାରିଥାନ୍ତି ।ଯେତିକି ମୋତେ ଶିକ୍ଷା ଦେଇଛୁ ଯେତିକି ମୋତେ ଭଲ ପାଇବା ଦେଇଛୁ ତାହାହିଁ ଲେଖିଲି। ତୋ ଆଗରେ ମୋ ଭଲ ପାଇବା ସାମାନ୍ୟ,ସମୁଦ୍ରର ଅମାପ ଜଳରାଶିରୁ ଟୋପାଏ ଜଳବିନ୍ଦୁ ସଦୃଶ ।ମା ର ଋଣ କିଏ ଶୁଝି ପାରିଛି ଯେ ମୁୁଁ ଶୁଝି ପାରିବି ତୋରି ଋଣ, କିନ୍ତୁ ମା ଲୋ ତୋ ପାଇଁ ସବୁ କିଛି କରିବି ,ଯାହା କହିବୁ ତାହା କରିବି। ଶେଷରେ ମା ଲୋ ତୋତେ ମୋର କୋଟି କୋଟି ପ୍ରଣାମ।

ପ୍ରଭାତ ବିଶ୍ବାଳ
ରାସୋଳ, ଢେଙ୍କାନାଳ

new life
You might also like
error: Content is protected !!