ଭୂଇଁ ଉପରେ ପଡିଛି ଗଦି ଆଉ ତା ଉପରେ ଅଚେତ ଅବସ୍ଥାରେ ପଡିଛନ୍ତି ରୋଗୀ, ହାତ ରେ ଲାଗିଛି ସଲାଇନ ଚେତା ଆସିବାକୁ ଅପେକ୍ଷା । ଏହା କୌଣସି ବ୍ୟସ୍ତବହୁଳ ଏସସିବି ମେଡିକାଲ ର ଦୃଶ୍ୟ ନୁହେଁ ଏହା ହେଉଛି ଖୋଦ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ ।
ସୂଚନା ଅନୁଯାୟୀ ଗତକାଲି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗଣେଶ ବଜାର ନିକଟରେ ଶୁଖୁଆ ବ୍ୟବସାୟ କରୁଥିବା ଲକ୍ଷ୍ମୀଧର ବେହେରା ଙ୍କୁ କେହି ଜଣେ ଦୁର୍ବୃତ୍ତ ମୃଦୁପାନୀୟ ରେ ନିଶା ଦେଇ ତାଙ୍କ ଠାରୁ ପ୍ରାୟ ୧୫ ହଜାର ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ପୁରୁଷ ଭେଷଜ ବିଭାଗ ର ୧ ନମ୍ବର ୱାର୍ଡ ରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଏଭଳି ଅବସ୍ଥାରେ ତାଙ୍କୁ ତଳେ ଶୁଆଇ ଚିକିତ୍ସା କରାଯିବାର ଦୃଶ୍ୟ ସର୍ବସାଧାରଣଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ତେବେ କଣ ଚିକିତ୍ସାଳୟ ରେ ବେଡ଼ ର ଅଭାବ ରହିଛିକି କାହିଁକି ଏଭଳି ଭାବେ ଜଣେ ଅଚେତ ରୋଗୀ ଙ୍କୁ ସାଲାଇନ ଲଗାଇ ତଳେ ଶୁଆଇ ଦିଆଯାଇଛି ? ଆକାଶ ଛୁଆଁ କୋଠା ସାଙ୍ଗକୁ ବାହ୍ୟ ଚାକଚକ୍ୟ ର ଦୃଶ୍ୟ ଏଭଳି ଭିଡିଓ ଦେଖିଲେ ସବୁ ଫିକା ଏବଂ ହାସ୍ୟସ୍ପଦ ମନେ ହୁଏ ବୋଲି ବୁଦ୍ଧିଜିବୀ ମାନେ ମତ ରଖିଛନ୍ତି । ତେବେ ବିବାଦ ଭିତରକୁ ବାରମ୍ବାର ଆସୁଥିବା ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଅବସ୍ଥାରେ କେବେ ଯେ ସୁଧାର ଆସିବ ତାହାକୁ ଜିଲ୍ଲା ବାସୀଙ୍କ ଅପେକ୍ଷା ।