ଅନୁଗୁଳ-ପୁରୀ-ଅନୁଗୁଳ ରେଳ ଗାଡି ଟି ନିୟମିତ ଯାତ୍ରା କରୁଥିବା ତଥା କାର୍ଯ୍ଯ ଅନ୍ବେଷଣ ରେ ଯାଉଥିବା ଯାତ୍ରୀମାନଙ୍କର ଜୀବନ ରେଖା।ସମ୍ପର୍କୀୟମାନଙ୍କର ଘରକୁ ବୁଲିଯିବା ବା କାଳିଆ ତଥା ଲିଙ୍ଗରାଜ ଙ୍କୁ ଖୁବ କମ ଖର୍ଚ୍ଚ ରେ ଦର୍ଶନ କରିବା ପାଇଁ ଏହି ଟ୍ରେନ ଟି ଏକ ଅପରିହାର୍ଯ୍ଯ ମାଧ୍ୟମ ହୋଇପଡିଛି। ଷ୍ଟେସନ ରେ ଗାଡି ପହଞ୍ଚିଲା ପରେ ଯାତ୍ରୀମାନଙ୍କର ମଧ୍ଯରେ ପ୍ରତିଯୋଗିତା ହୋଇଯାଏ କିପରି ସିଟ ପାଇଲେ ଆରାମ ରେ ବସିପଡିବେ। ଦୀର୍ଘ 22 ବର୍ଷ ନିୟମିତ ଯାତ୍ରୀ ହିସାବ ରେ ମୁଁ ବା ସେଥିରୁ ବାଦ ପଡିବି କିପରି ?
ଅନୁଗୁଳ ଗାଡି ଟି ଦାଣ୍ଡିମାଳ ଷ୍ଟେସନ ରେ ସକାଳେ ପହଞ୍ଚିବା ପରେ ମୁଁ ଟ୍ରେନ ରେ ଉଠିଯାଇ ଅପେକ୍ଷାରତ ଥିବା ସିଟ ରେ ବସିପଡିଲି। ସାମନା ରେ ବସିଥିବା ଜଣେ ଯୁବକଙ୍କର ବ୍ୟାଗ ଉପରେ ଲେଖାହୋଇଥିବା ବାର୍ତ୍ତା ଉପରେ ହଠାତ ମୋର ଦୃଷ୍ଟିଗୋଚର ହେଲା।
ଲେଖାଟି ଥିଲା : ” If you will never try, you’ll never know ” ଏହାର ଅର୍ଥ “ଯଦି ତୁମେ କେବେ ଚେଷ୍ଟା କରିବ ନାହିଁ, ତୁମେ କଦାପି ଜାଣିବ ନାହିଁ ।”
ତାକୁ ପଢିସାରିଲା ପରେ ତା ଉପରେ କିଛି ଲେଖିବା ପାଇଁ ମୋ ମନରେ ସ୍ବତଃ ଆଗ୍ରହ ସୃଷ୍ଟି ହେଲା।
ରୋଜଗାରକ୍ଷମ ହେବାପାଇଁ ଆମକୁ ବିଭିନ୍ନ ଜୀବିକା ଅବଲମ୍ବନ କରିବାକୁ ହୋଇଥାଏ। ସେଥିପାଇଁ କର୍ମ କରିବାକୁ ପଡେ। ବେଳେବେଳେ କିଛି ବ୍ଯକ୍ତି ସେହି ଏକାପ୍ରକାର କର୍ମ କରି କରି ବୀତସ୍ପୃହ ହୋଇପଡନ୍ତି। ସେମାନେ ଆଗକୁ ବଢିବା ପାଇଁ ବୋଧହୁଏ ଚେଷ୍ଟା କରିନଥାନ୍ତି ବା ସେମାନଙ୍କୁ ପର୍ଯ୍ଯାପ୍ତ ସୁବିଧା ମିଳିନଥାଏ। ସେମାନଙ୍କର ଆହରଣ ଦକ୍ଷତା ସେତେଟା ଦୃଷ୍ଟି ଆକର୍ଷଣ କରିପାରି ନଥାଏ ଉପରିସ୍ଥ କର୍ମଚାରୀଙ୍କ ର। ସେମାନେ ସେହିଠାରେ ରହିଯାଆନ୍ତି। ସେମାନଙ୍କ ପାଖରେ ସମୟ , ଅର୍ଥ କିମ୍ବା କିଛି କରିବାର ସମ୍ଭାବନା ନାହିଁ ବୋଲି ଭାବନା ବଳବତ୍ତର ହୋଇଯାଏ। ସେମାନଙ୍କଠାରେ ଉତ୍ସାହ ଓ ପ୍ରେରଣା ର ଅଭାବ ହେତୁ ତାଙ୍କର ଜ୍ଞାନ ର ପରିସୀମା ସୀମିତ ହୋଇ ରହିଯାଏ।
ଅନ୍ୟକିଛି କର୍ମଚାରୀ ଅଛନ୍ତି ଯେଉଁମାନେ ତାଙ୍କର କାର୍ଯ୍ଯ ରେ ସ୍ବତନ୍ତ୍ର ରୁଚି ରଖିଥାଆନ୍ତି। ସେମାନଙ୍କର ଜ୍ଞାନ ଆହରଣ ଶକ୍ତି ଅଧିକ। ସେମାନେ କାର୍ଯ୍ଯ କୁ ନୂତନ ରୂପରେଖ ଦେବାକୁ ଭଲ ପାଆନ୍ତି । ସେମାନଙ୍କର କାର୍ଯ୍ୟଶୈଳୀ ଉଚ୍ଚକୋଟୀର ଓ ଦୃଷ୍ଟି ଆକର୍ଷଣକାରୀ ହୋଇଥାଏ । ଏପରି କର୍ମଚାରୀଙ୍କ ର ଉତ୍ପାଦିକା ଶକ୍ତି ଅଧିକ ହୋଇଥାଏ କାରଣ ଏମାନେ କାମ ରେ ରିସ୍କ ନେବାକୁ ଭଲ ପାଆନ୍ତି ଓ ତଦନୁଯାୟୀ କାର୍ଯ୍ୟପନ୍ଥା କୁ ଅନୁସରଣ କରି ତାକୁ ରୁପାନ୍ତରିତ କରିଥାନ୍ତି ମୁଖ୍ଯ ଲକ୍ଷ୍ଯ ହାସଲ ପାଇଁ।
ଦୁନିଆ ସୁଯୋଗରେ ପରିପୂର୍ଣ୍ଣ । ଏହା ସମସ୍ତଙ୍କୁ ମିଳିଥାଏ ବହୁତ କିଛି କରିବାକୁ। କେବଳ ଉପଯୁକ୍ତ ସମୟ ରେ ସେଥିରେ ସାମିଲ ହେବା ଦରକାର। ସମସ୍ତେ ସ୍ବପ୍ନ ଦେଖନ୍ତି। ଏହାକୁ ସାକାର କରିବାକୁ ହେଲେ ନିଜର ସାମର୍ଥ୍ଯ ର ଉପଯୁକ୍ତ ଉପଯୋଗ ଉପଯୁକ୍ତ ସମୟରେ ଦରକାର। ସେଥିପାଇଁ ନିଜସ୍ବ ଚେଷ୍ଟା ଦରକାର। ଯଦି କିଛି ଚେଷ୍ଟା କରାନଯାଏ ତେବେ କିଛି ବି ଜ୍ଞାନ ଅର୍ଜନ ହୋଇପାରେନାହିଁ।
କାର୍ଯ୍ଯ ରେ ଆମେ ସଫଳ ହୋଇପାରୁ ବା ବିଫଳ ହୋଇପାରୁ। କଳ୍ପନା ବା ଭାବନା କରିବା ଦରକାର। କଳ୍ପନା ନଥିଲେ ମନରେ ଉଦ୍ଦୀପନା ବା ଉତ୍ସାହ ଆସେନାହିଁ। କଳ୍ପନା ମନ ମଧ୍ଯରେ ଅନ୍ବେଷଣ ଓ କୌତୁହଳ ସୃଷ୍ଟି କରେ। ତାହା ଚେଷ୍ଟା ରେ ରୂପାନ୍ତରିତ ହୋଇଥାଏ। ଚେଷ୍ଟା କରିବା ଦ୍ବାରା ନୂତନ ବିଷୟବସ୍ତୁ ଶିଖିବାକୁ ମିଳିଥାଏ। ଫଳରେ ଜ୍ଞାନ ଆହରଣ ସହଜ ହୋଇଥାଏ। ଏହା ଚେଷ୍ଟାରତ ବ୍ଯକ୍ତି ଭିତରେ ସୃଜନଶୀଳତା, ଆତ୍ମବିଶ୍ୱାସ, ନୈପୁଣତା, ଧୈର୍ଯ୍ଯ, ସମୟାନୁବର୍ତ୍ତିତା, ସନ୍ତୁଷ୍ଟି, ଉତ୍ପାଦକତା କ୍ଷମତା ଇତ୍ୟାଦିର ଅଭିବୃଦ୍ଧି କରିଥାଏ। ତେଣୁ ଲକ୍ଷ୍ଯ ହାସଲ ପାଇଁ ଯଥାସମ୍ଭବ ଚେଷ୍ଟା ଦରକାର।
ଇତିହାସ ରେ ଅନେକ ଉଦାହରଣ ଅଛି ଯେ ସମସ୍ତ ଉଦ୍ଭାବକ ଓ ଆବିଷ୍କାରକ ଧୈର୍ଯ୍ଯ ର ସହିତ ଅନେକ ଚେଷ୍ଟା କରିଥାନ୍ତି ସଫଳତା ପାଇବା ପାଇଁ। ଚେଷ୍ଟା ବ୍ଯକ୍ତି କୁ ଅନ୍ଯ ଏକ ପରିବେଶ କୁ ନେଇଯାଇଥାଏ। ନୂତନ ଅନୁଭବ ଆଣିଥାଏ ଓ ପରିଶେଷ ରେ ଆଶ୍ଚର୍ଯ୍ୟଜନକ ଅନୁଭୂତି ଆଣିଥାଏ ସଫଳତା ମାଧ୍ୟମ ରେ। ନୂତନ ଅନୁଭୂତି ଜ୍ଞାନ ର ବିସ୍ତାର କରିଥାଏ।
ମନ ମଧ୍ଯରେ କୌଣସି ବିଷୟ ରେ ଯଦି କିଛି ପ୍ରଶ୍ନ ଉଙ୍କି ମାରେ ତେବେ ତାର ଉତ୍ତର ପାଇବା ପାଇଁ ବ୍ଯକ୍ତି ଟି ଆଗ୍ରହୀ ହୋଇଥାଏ। ଆଗ୍ରହୀ ମନ ନିଜକୁ ପ୍ରଶ୍ନ ପଚାରିଥାଏ। ଶିଖିବା ପାଇଁ ଚେଷ୍ଟା ଜାରି ରଖେ। ଏହା ଅଧିକ ଶିକ୍ଷାଲାଭ କରିବା ପାଇଁ ପଥ ଦର୍ଶାଇ ଥାଏ।
ମଣିଷ ମନରେ ଜ୍ଞାନ ର ଭଣ୍ଡାର ଗଚ୍ଛିତ ଅଛି। ଆତ୍ମ-ବିଶ୍ଳେଷଣ ଦ୍ବାରା ସମସ୍ତ ଲୁକ୍କାୟିତ ଜ୍ଞାନ ର ପରିପ୍ରକାଶ ହୋଇଥାଏ। ଏହା ଅନ୍ତର୍ନିହିତ ଗୁଣଗୁଡିକର ବିକାଶ କରି ମନ ମଧ୍ଯ ରେ ଆତ୍ମବିଶ୍ୱାସ ବଢାଇ ଶକ୍ତି ଦେଇଥାଏ। ଫଳରେ ଚେଷ୍ଟା ଦ୍ବାରା ଉପୁଜୁଥିବା ଆହ୍ବାନ ର ସମ୍ମୁଖୀନ ହେବାପାଇଁ ବ୍ଯକ୍ତି ଟି ମଧ୍ଯରେ ସାହାସ ସଞ୍ଚାର ହୋଇଥାଏ।
ସାର୍ଥକ ଚେଷ୍ଟା ବ୍ଯକ୍ତି କୁ ବହୁତ ଆଗକୁ ନେଇଯାଏ। ପ୍ରତିଦିନ ଜ୍ଞାନ ଆହରଣ କରିବାର ଅଦ୍ଯମ ଇଚ୍ଛା ଜୀବନକୁ ଶୃଙ୍ଖଳିତ କରି ଉନ୍ନତି ଆଣିଥାଏ। ତାହାହେଲେ ଅପେକ୍ଷା କାହିଁକି କରିବା ? ଆସନ୍ତୁ ! ଆଜିଠାରୁ ସାର୍ଥକ ଚେଷ୍ଟା କରି ଜୀବନ ରେ ପରିବର୍ତ୍ତନ ଆଣିପାରିବା।