ଘରୋଇ ଡାକ୍ତରଖାନା ମନଇଚ୍ଛା ଅସ୍ତ୍ରୋପଚାର ପ୍ରସବ କରାଇ ପ୍ରସୂତି ଓ ତାଙ୍କ ପରିବାରଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ହେଲେ ସରକାରଙ୍କ ନିୟମ ମାନି ଅଡିଟ୍ ରିପୋର୍ଟ ଦେବାକୁ ନାରାଜ। ତେବେ ନିୟମ ଉଲ୍ଲଂଘନ କରୁଥିବା ଏପରି ଘରୋଇ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଘରୋଇ ଡାକ୍ତରଖାନାରେ ମାତ୍ରାଧିକ ଅସ୍ତ୍ରୋପଚାର ପ୍ରସବ ହେଉଥିବାରୁ ସମସ୍ତ ଘରୋଇ ଡାକ୍ତରଖାନାକୁ ଅଡିଟ୍ରେ ସାମିଲ କରାଯିବ ବୋଲି ଗତ ଏପ୍ରିଲ ୨୮ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଥିଲା। କିନ୍ତୁ ଏତେ ଦିନ ପରେ ବି ମାତ୍ର ୪/୫ଟି ଜିଲ୍ଲାକୁ ବାଦ୍ ଦେଲେ ଆଉ କୌଣସି ଜିଲ୍ଲାରୁ ଅଡିଟ୍ ରିପୋର୍ଟ ବିଭାଗ ନିକଟରେ ପହଞ୍ଚି ନଥିବା ଜଣାପଡ଼ିଛି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ୨୦୧୫-୧୬ ତୁଳନାରେ ୨୦୧୯-୨୦ ରିପୋର୍ଟରେ ଓଡ଼ିଶାରେ ଅସ୍ତ୍ରୋପଚାର ପ୍ରସବ ରିପୋର୍ଟ ଢେର ଅଧିକ ରହିଥିବା ଜଣାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷ ଭିତରେ ସରକାରୀ ଡାକ୍ତରଖାନାରେ ୨୦%ରୁ କମ୍ ଅସ୍ତ୍ରୋପଚାର ପ୍ରସବ ହୋଇଥିଲା ବେଳେ ଘରୋଇ ଡାକ୍ତରଖାନାରେ ୮୦%ରୁ ଅଧିକ ଗର୍ଭବୀତଙ୍କର ଅସ୍ତ୍ରୋପଚାର ପ୍ରସବ କରାଯାଇଥିଲା। ସରକାରୀ ଡାକ୍ତରଖାନାରେ ଯଦି ସାଧାରଣ ପ୍ରସବ ହୋଇପାରୁଛି, ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାରର କାହିଁକି ଆବଶ୍ୟକ ପଡ଼ୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏପରିସ୍ଥଳେ ଘରୋଇ ଡାକ୍ତରଖାନା, ନର୍ସିଂହୋମ୍କୁ ଯାଞ୍ଚ ପରିଧି ମଧ୍ୟକୁ ଆଣିବା ପାଇଁ ଗତବର୍ଷ ଏପ୍ରିଲରେ ସରକାର ନିଷ୍ପତ୍ତି ନେଇଥିଲେ। ଏଥିରେ କୁହାଯାଇଥିଲା ଯେ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରସବର ଅଡିଟ୍ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତିନିଟି ଫର୍ମାଟ୍ ପ୍ରସ୍ତୁତ କରି ସବୁ ଜିଲ୍ଲାକୁ ପ୍ରଦାନ କରାଯାଇଛି।
ଫର୍ମ-ଏ ଜରିଆରେ ଅଡିଟ୍ କରାଯାଇ ତାହା ଫର୍ମ-ବି ସହ ମେଳ କରାଯିବ। ସମ୍ପୃକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅବା ଜନସ୍ୱାସ୍ଥ୍ୟ ଅଧିକାରୀ ଏହାର ତର୍ଜମା କରି ଫର୍ମ-ସି’ରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟକୁ ରିପୋର୍ଟ ପ୍ରଦାନ କରିବେ। ଅସ୍ତ୍ରୋପଚାର ପ୍ରସବ ପାଇଁ ଉଦ୍ଦିଷ୍ଟ ନିୟମକୁ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଳନ କରୁଛନ୍ତି କି ନାହିଁ, ତାହା ଯାଞ୍ଚ ପାଇଁ ଏବଂ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ସିଡିଏମ୍ଓ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବେ। ଏହି ପଦକ୍ଷେପ ଦ୍ୱାରା ଶିଶୁ ଓ ମା’ଙ୍କର ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବିଭାଗର ହୃଦ୍ବୋଧ ହୋଇଥିଲା।
କିନ୍ତୁ ନିୟମ ଜାରି କରିବା ପରେ ସବୁ ଭୁଲିଗଲେ। କିଛି ହାତଗଣତି ଜିଲ୍ଲାକୁ ବାଦ୍ ଦେଲେ, ଅନ୍ୟ ଜିଲ୍ଲାରୁ ରିପୋର୍ଟ ଆସୁନାହିଁ। କେଉଁ ପରିସ୍ଥିତିରେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ପ୍ରସବ କରାଗଲା, ତାହା ଘରୋଇ ଡାକ୍ତରଖାନା ସରକାରଙ୍କୁ ଜଣାଉନାହାନ୍ତି। ଏଥିସହ ସମ୍ପୃକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ରିପୋର୍ଟ ତଲବରେ ଢିଲା କରାଯାଉଥିବା ଅଭିଯୋଗ ହେଉଛି। ତେବେ ଅଭିଯୋଗ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ଓଲଟି ଆକ୍ରୋସ ର ଶିକାର ହେବା ଭୟରେ ଚୁପ୍ ବସୁଥିବାର ଅଭିଯୋଗ ଆଣିଛନ୍ତି ପ୍ରସୂତୀଙ୍କ ସମ୍ପର୍କୀୟ ।