ଢେଙ୍କାନାଳ ଜିଲ୍ଲା ଓଡା଼ପଡ଼ା ବ୍ଲକ ସରପା ରଘୁନାଥପୁର ଗ୍ରାମରେ ଟାଟା ଷ୍ଟିଲ୍ର କର୍ପୋରେଟ ଶାଖା ଟାଟା ଷ୍ଟିଲ୍ ଫାଉଣ୍ଡେସନ ଉଦ୍ୟମରେ ଅରୁଣିମା ୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଦୁଇଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅସାଧାରଣ ମହିଳା ନେତ୍ରୀ ଓ ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରିବା, ଅନୁସୂଚିତ ଜାତି/ଜନଜାତି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ଯୁବକ, ମହିଳା ଓ ବିଭିନ୍ନ ଗୋଷ୍ଠୀ ସହ ଜ୍ଞାନର ଆଦାନ ପ୍ରଦାନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମୀଣ ସ୍ୱେଚ୍ଛାସେବୀ ଏବଂ ଯୁବ ନେତୃତ୍ୱ, ଜୀବନ ଦକ୍ଷତା ଶିକ୍ଷା, ଉଦ୍ୟୋଗ ପ୍ରୋତ୍ସାହନରେ ସୁଯୋଗ, କ୍ରେଡିଟ୍ ଲିଙ୍କେଜ୍, ବିଭିନ୍ନ ଉତ୍ପାଦର ପ୍ରଚାର ଓ ପ୍ରସାର ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ଟିଏସ୍ଏଫ ପକ୍ଷରୁ ଟିଏସଏମ୍ ପାରିପାର୍ଶିକ ଗ୍ରାମ ମାନଙ୍କରୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏସ୍ସି/ଏସ୍ଟି ପରିବାରର ୨୪ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଛି । ଫେଲୋସିପ୍ ଅନୁଦାନ ବାବଦରେ ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଟିଏସ୍ଏଫ ଦ୍ୱାରା ପ୍ରଶିକ୍ଷଣ ଓ ପରାମର୍ଶ ପ୍ରାପ୍ତ ୫୦ ଜଣ ଜାତୀୟ ଓ ରାଜ୍ୟ ସ୍ତରୀୟ ଭଲିବଲ୍ ଖେଳାଳି, ୧୨ ଜଣ ସଫଳ ମହିଳା ନେତ୍ରୀ ଓ ଉଦ୍ୟୋଗୀ ଏବଂ ୯ ଜଣ କିଶୋର ଓ ଯୁବ ପରିବର୍ତ୍ତନ କାରୀଙ୍କୁ ସମାଜ ପ୍ରତି ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଦିବସର ପରିଶେଷରେ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରଯାଇଥିଲା ।
ଦ୍ୱିତୀୟ ଦିବସରେ ବିଶିଷ୍ଟ ମହିଳାଙ୍କ ପ୍ରେରଣାଦାୟୀ ଭାଷଣ ଏବଂ ସେମାନଙ୍କ ପ୍ରଭାବଶାଳୀ ଅବଦାନକୁ ସ୍ୱୀକୃତି ଦେବା ସହିତ ଭବିଷ୍ୟତର ନେତୃବୃନ୍ଦଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସରକାରୀ ଯୋଜନା ମାଧ୍ୟମରେ ଉଦ୍ୟୋଗ ପ୍ରୋତ୍ସାହନ, କ୍ରେଡିଟ୍ ଲିଙ୍କେଜ୍, ବ୍ରାଣ୍ଡିଂ ଏବଂ ଉତ୍ପାଦ ମାର୍କେଟିଂ, ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିର ମାର୍ଗ ଦର୍ଶାଇବା ଉପରେ ଆଲୋଚନା ହୋଇଥିଲା ।ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଯୁବତୀମାନଙ୍କୁ ସମ୍ବୋଧିତ କରିବା ସହ ଜୀବନରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିଥିଲେ ।
ଏହି ପଦକ୍ଷେପ ପାଇଁ ସେ ଟିଏସ୍ଏଫ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଓଡ଼ିଶା ସିଏସଆର୍ ମୁଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ କହିଛନ୍ତି ଯେ, “ଟିଏସ୍ଏମ୍ରେଅରୁଣିମାର ପ୍ରଥମ ସଂସ୍କରଣ ଆରମ୍ଭ କରିଥିବାରୁ ଆମେ ବହୁତ ଖୁସି ଏବଂ ଆମେ ଭବିଷ୍ୟତରେ ମଧ୍ୟ ଏହି ଅଭିଯାନ ଜାରି ରଖିବୁ । ଏହିକାର୍ଯ୍ୟକ୍ରମ ଫଳପ୍ରଦ ଆଲୋଚନା ସହିତ ବହୁ ଯୁବକଯୁବତୀ, ମହିଳା ଓ ଉଦୀୟମାନ ଉଦ୍ୟୋଗୀଙ୍କ ଜୀବନରେ ସକାରାତ୍ମକ ମୂଲ୍ୟବୋଧ ପ୍ରଦାନ କରିବ ।
ସରକାରୀ ଯୋଜନା ଜରିଆରେ ସଂସ୍ଥା ପ୍ରସାରର ସୁଯୋଗ ଓ ମହିଳା ସଶକ୍ତୀକରଣ ଏବଂ ଉଦ୍ୟମିତା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଡିପିସି ସେଫାଳି ସ୍ୱାଗତିକା, ବରଗଡ଼ର ଜାତୀୟ ପୁରସ୍କାରପ୍ରାପ୍ତ ଛତୁ ଚାଷୀ ଜୟନ୍ତୀ ପ୍ରଧାନ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଟିଏସ୍ଏଫ୍ର ଅଧିକାରୀ, ଯୁବକଯୁବତୀ, ମହିଳା, ଛାତ୍ରଛାତ୍ରୀ ଏବଂ ଆଖପାଖ ଗ୍ରାମବାସୀ ଉପସ୍ଥିତ ଥିଲେ ।